ଆଇସିୟୁରେ ଭର୍ତ୍ତି ହେଲେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲ, ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ନବୀନ
ଆଇସିୟୁରେ ଭର୍ତ୍ତି ହେଲେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲ
ଓଡ଼ିଶା ଭାସ୍କର ଡେସ୍କ: ବିଜୁ ଜନତା ଦଳର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ବିଜୁ ଶ୍ରମିକ ସାମୁଖ୍ୟର ସଭାପତି ପ୍ରଫୁଲ୍ଲ ସାମଲ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି । ଅସୁସ୍ଥତା କାରଣରୁ ତାଙ୍କୁ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ତାଙ୍କୁ ମେଡିକାଲର ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି ।
ନବୀନଙ୍କ ଆଶୁଆରୋଗ୍ୟ କାମନା: ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ଅସୁସ୍ଥତା ଖବର ପାଇ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଆଶୁଆରୋଗ୍ୟ କାମନା କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ନବୀନ ଲେଖିଛନ୍ତି ଯେ:
Uttarakhand Govt.
“ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବିଷୟରେ ଜାଣିବାକୁ ପାଇଲି । ମୁଁ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଆଶୁଆରୋଗ୍ୟ କାମନା କରୁଛି ।”
ହସ୍ପିଟାଲରେ ପହଞ୍ଚିଲେ ବରିଷ୍ଠ ନେତା: ଖବର ପାଇ ବିଜେଡିର ଅନେକ ବରିଷ୍ଠ ନେତା ହସ୍ପିଟାଲରେ ପହଞ୍ଚି ପ୍ରଫୁଲ୍ଲ ସାମଲଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ତାଙ୍କୁ ଭେଟିବା ପାଇଁ ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ପ୍ରମିଳା ମଲ୍ଲିକ, ବ୍ୟୋମକେଶ ରାୟ, ସଞ୍ଜୀବ ମଲ୍ଲିକ ହସ୍ପିଟାଲରେ ପହଞ୍ଚି ପ୍ରଫୁଲ୍ଲ ସାମଲଙ୍କ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ସହ ଆଲୋଚନା କରିବା ସହ ତାଙ୍କର ଶୀଘ୍ର ସୁସ୍ଥତା କାମନା କରିଛନ୍ତି ।

