‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା’ ଶୁଭାରମ୍ଭ; ପ୍ରଥମ ଟ୍ରେନ୍ ଗଲା ବାରଣାସୀ-ଅଯୋଧ୍ୟା

‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା’ ଯୋଜନାରେ ଯାତ୍ରା କରୁଥିବା ଯୋଗ୍ୟ ତୀର୍ଥଯାତ୍ରୀମାନେ ଓଡ଼ିଶାରୁ ବାରଣାସୀ-ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି

ଭୁବନେଶ୍ୱର: ରାଜ୍ୟର ବରିଷ୍ଠ ନାଗରିକଙ୍କୁ ତୀର୍ଥ ସ୍ଥାନ ପରିଦର୍ଶନ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’। ଆଜି ଏହି ଯୋଜନାର ଶୁଭାରମ୍ଭ ହୋଇଛି। ବୁଧବାର ପୂର୍ବାହ୍ନ ୧୧ଟାରେ ଏହି ଟ୍ରେନ ଭୁବନେଶ୍ୱର ନ୍ୟୁ-ରେଳ ଷ୍ଟେସନ ଛାଡ଼ିଛି। ମୋଟ୍ ୭୭୫ ଜଣ ବରିଷ୍ଠ ନାଗରିକ ଓ ତାଙ୍କ ସମ୍ପର୍କୀୟଙ୍କୁ ଧରି ଏହି ଟ୍ରେନ୍ ଯାତ୍ରା ଆରମ୍ଭ କରିଛି।

‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା’ ଯୋଜନାରେ ଯାତ୍ରା କରୁଥିବା ଯୋଗ୍ୟ ତୀର୍ଥଯାତ୍ରୀମାନେ ଓଡ଼ିଶାରୁ ବାରଣାସୀ-ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି। ଏହି ସ୍ୱତନ୍ତ୍ର ଟ୍ରେନ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଖଣି ସବୁଜ ଦେଇ ଶୁଭାରମ୍ଭ କରିଛନ୍ତି।

‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା’ ଯୋଜନାରେ ପ୍ରଥମ ପର‌୍ୟ୍ୟାୟରେ ପୁରୀ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବରିଷ୍ଠ ନାଗରିକମାନେ ବାରଣାସୀ-ଅଯୋଧ୍ୟା ଯାତ୍ରା କରିଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରି ପ୍ରଭାତୀ ପରିଡ଼ା କହିଛନ୍ତି; ପ୍ରଭୁ ଲିଙ୍ଗରାଜଙ୍କ ପୀଠରୁ କାଶୀ ବିଶ୍ୱନାଥ ଓ ଅଯୋଧ୍ୟା ପୀଠକୁ ଏହି ଯାତ୍ରା ସଫଳ ହେଉ। ଏହି ଯାତ୍ରା ଦ୍ୱାରା ବରିଷ୍ଠ ନାଗରିକମାନେ ଗଙ୍ଗା ଆଳତୀ, କାଶୀ ବିଶ୍ୱନାଥ ଦର୍ଶନ ଓ ଶ୍ରୀରାମଲାଲାଙ୍କ ଆଶୀର୍ବାଦ ପାଇବେ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି।

ପ୍ରଥମ ପର୍ଯ୍ୟାୟ ବରିଷ୍ଠ ତୀର୍ଥଯାତ୍ରାରେ ଖୋର୍ଦ୍ଧା ଜିଲ୍ଲାର ୧୬୯ ଜଣ, ଜଗତସିଂହପୁର ଜିଲ୍ଲାର ୮୫, କଟକ ଜିଲ୍ଲାର ୧୯୭, ପୁରୀରୁ ୧୨୭, କେନ୍ଦ୍ରାପଡ଼ାରୁ ୧୦୮ ଓ ଢେଙ୍କାନାଳ ଜିଲ୍ଲାର ୮୯ ଜଣଙ୍କୁ ମିଶାଇ ମୋଟ୍ ୭୭୫ ଜଣ ବରିଷ୍ଠ ନାଗରିକ ଏବଂ ସେମାନଙ୍କର କଥା ବୁଝିବା ପାଇଁ ୨୫ ଜଣ ଅଧିକାରୀ ଯାଇଛନ୍ତି। ସେମାନଙ୍କ ମଧ୍ୟରେ ୩୩୩ଜଣ ମହିଳା ଓ ୪୩୨ଜଣ ପୁରୁଷ ଅଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୨୬-୨୭ ବର୍ଷରେ ମୋଟ୍ ୧୦ଟି ପର୍ଯ୍ୟାୟରେ ୮,୦୦୦ ବରିଷ୍ଠ ନାଗରିକ ଅଯୋଧ୍ୟା, ବାରାଣାସୀ, ହରିଦ୍ୱାର, ଋଷିକେଶ, ରାମେଶ୍ୱରମ ଓ ମଦୁରାଇ ଭ୍ରମଣ କରିବେ।