ଫ୍ରିଜ୍ ଭିତରେ କଟା ମୁଣ୍ଡ, ବାହାରେ କଟା ଆଙ୍ଗୁଠି… ଫ୍ଲାଟ ଭିତରେ ପଡିଛି ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ

ଦୁର୍ଗନ୍ଧରୁ ଖୋଲିଲା ଭୟଙ୍କର ରହସ୍ୟ! ଫ୍ଲାଟ୍ ଭିତରେ ଭୟାନକ ହତ୍ୟା।

ଆସାମ: ଫ୍ଲାଟ୍‌ରୁ ଆସୁଥିଲା ପ୍ରବଳ ଦୁର୍ଗନ୍ଧ। ପ୍ରଥମେ ପଡ଼ୋଶୀମାନେ ଭାବିଥିଲେ, ହୁଏତ କିଛି ଖାଦ୍ୟ ନଷ୍ଟ ହୋଇଯାଇଛି। କିନ୍ତୁ ଫ୍ଲାଟ୍ ଭିତରକୁ ପୋଲିସ ପହଞ୍ଚିବା ପରେ ଯାହା ସାମ୍ନାକୁ ଆସିଲା, ତାହା ଦେଖି ତଦନ୍ତକାରୀ ଟିମ୍ ମଧ୍ୟ ସ୍ତବ୍ଧ ହୋଇଗଲା। ଘର ଭିତରେ ପଡ଼ିଥିଲା ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିଚ ମୃତଦେହ, ଆଉ ଫ୍ରିଜ୍ ଖୋଲିବା ପରେ ମିଳିଲା ତାଙ୍କ କଟା ମୁଣ୍ଡ।

ଏହି ଭୟଙ୍କର ଘଟଣା ଆସାମର ଗୌହାଟୀର ବଶିଷ୍ଠପୁର ଅଞ୍ଚଳରୁ ସାମ୍ନାକୁ ଆସିଛି। ମୃତ ମହିଳାଙ୍କ ନାଁ ରିୟା ତାଲୁକଦାର। ସେ ନୂନମତି ଅଞ୍ଚଳର ବାସିନ୍ଦା ଥିବାବେଳେ ଫ୍ୟାନ୍ସି ବଜାରର ଏସି ମାର୍କେଟ୍‌ରେ ଥିବା ଏକ ବୁଟିକ୍‌ରେ କାମ କରୁଥିଲେ।

ଦୁର୍ଗନ୍ଧରୁ ଖୋଲିଲା ଭୟଙ୍କର ରହସ୍ୟ: ରିୟା ତାଙ୍କ ସ୍ୱାମୀ ରାମାନୁଜନ ଗୋସ୍ୱାମୀଙ୍କ ସହ ଗୌହାଟୀର ବେଲଟୋଲା ଅଞ୍ଚଳର ବଶିଷ୍ଠପୁର ବାଇଲେନ୍‌ରେ ଥିବା ଅଞ୍ଜଳି ଗୃହ ଆପାର୍ଟମେଣ୍ଟର ଏକ ଘରେ ପ୍ରାୟ ୬ ମାସ ଧରି ରହୁଥିଲେ।

କିଛି ସମୟ ଧରି ଫ୍ଲାଟ୍‌ ଭିତରୁ ଦୁର୍ଗନ୍ଧ ବାହାରିବା ପରେ ପଡ଼ୋଶୀମାନଙ୍କ ସନ୍ଦେହ ହୋଇଥିଲା। ସେମାନେ ପୋଲିସକୁ ଖବର ଦେବା ପରେ ହାଟିଗାଁ ଥାନାର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ତଦନ୍ତ ବେଳେ ଘର ଭିତରେ ରକ୍ତର ଦାଗ ଏବଂ ଏପଟସେପଟ ହୋଇଥିବା ଘରୋଇ ସାମଗ୍ରୀ ଦେଖିବାକୁ ମିଳିଥିଲା। ପରେ ମାମଲାର ତଦନ୍ତରେ CID ମଧ୍ୟ ସାମିଲ ହୋଇଛି।

ଫ୍ରିଜ୍ ଭିତରେ ଥିଲା କଟା ମୁଣ୍ଡ: ପ୍ରାଥମିକ ତଦନ୍ତ ଅନୁସାରେ, ରିୟାଙ୍କ ମୁଣ୍ଡ ଗଣ୍ଡି ଅଲଗା କରି କଳା ପଲିଥିନ୍‌ରେ ରଖାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ପରେ ଫ୍ରିଜ୍ ଭିତରେ ଲୁଚାଇ ରଖାଯାଇଥିଲା। ତାଙ୍କ ହାତର କିଛି ଆଙ୍ଗୁଠି ମଧ୍ୟ କଟାଯାଇଥିବା ନେଇ ପୁଲିସ ତଦନ୍ତରେ ସୂଚନା ମିଳିଛି।

ଘଟଣାସ୍ଥଳରୁ ପୁଲିସ ଏକ ଧାରୁଆ ଦା’ ଏବଂ ଅନେକ ମଦ ବୋତଲ ଜବତ କରିଛି। ଫରେନସିକ୍ ଟିମ୍ ଘର ଭିତରୁ ମିଳିଥିବା ବିଭିନ୍ନ ପ୍ରମାଣ ଓ ଫିଙ୍ଗରପ୍ରିଣ୍ଟ୍‌ର ଯାଞ୍ଚ କରୁଛି।

ପ୍ରାଥମିକ ଫରେନସିକ୍ ଆକଳନ ଅନୁସାରେ ମୃତ୍ୟୁ ଘଟଣାଟି ମୃତଦେହ ମିଳିବାର ପ୍ରାୟ ୨୪ରୁ ୪୮ ଘଣ୍ଟା ପୂର୍ବରୁ ଘଟିଥିବା ସନ୍ଦେହ କରାଯାଉଛି।

ଶନିବାର ରାତିରେ କ’ଣ ଘଟିଥିଲା: ଏବେ ପୋଲିସର ତଦନ୍ତର ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଶନିବାର ରାତିରେ ଫ୍ଲାଟ୍ ଭିତରେ ପ୍ରକୃତରେ କ’ଣ ଘଟିଥିଲା?

ପଡ଼ୋଶୀମାନଙ୍କ କହିବା ଅନୁସାରେ, ସେହି ରାତିରେ ଫ୍ଲାଟ୍ ଭିତରୁ ଜୋର୍‌ରେ ଶବ୍ଦ ଓ ଚିତ୍କାର ଶୁଣାଯାଇଥିଲା। ସେମାନେ ରାମାନୁଜନଙ୍କୁ ରାତି ପ୍ରାୟ ୮ଟା ବେଳେ ଶେଷ ଥର ପାଇଁ ଦେଖିଥିବା କହିଛନ୍ତି। ଦମ୍ପତିଙ୍କ ମଧ୍ୟରେ ପୂର୍ବରୁ ବାରମ୍ବାର ଝଗଡ଼ା ହେଉଥିବା ନେଇ ମଧ୍ୟ ପଡ଼ୋଶୀମାନେ ପୋଲିସକୁ କହିଛନ୍ତି।

ତା’ପରେ ଥାନାରେ ପହଞ୍ଚିଲେ ସ୍ୱାମୀ: ଘଟଣା ପରେ ରିୟାଙ୍କ ସ୍ୱାମୀ ରାମାନୁଜନ ଗୋସ୍ୱାମୀଙ୍କୁ ନେଇ ପୋଲିସର ସନ୍ଦେହ ବଢ଼ିଥିଲା। ପରେ ସେ ହାଟିଗାଁ ଥାନାରେ ଆତ୍ମସମର୍ପଣ କରିଥିବା ଖବର ସାମ୍ନାକୁ ଆସିଛି। ସେ ଆସାମର ଧୁବ୍ରୀ ଜିଲ୍ଲାର ଗୌରୀପୁରର ବାସିନ୍ଦା ଏବଂ ଉବର୍ ଡ୍ରାଇଭର୍ ଭାବେ କାମ କରୁଥିବା ରିପୋର୍ଟରେ କୁହାଯାଇଛି। ତାଙ୍କୁ ପୋଲିସ ପଚରାଉଚରା କରୁଛି।

କିଛି ରିପୋର୍ଟରେ ରାମାନୁଜନଙ୍କୁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ ସୂତ୍ର ଆଧାରରେ କୁହାଯାଇଛି। ତେବେ ହତ୍ୟାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତଦନ୍ତ ଜାରି ରହିଛି।

ସବୁକିଛି ଉପରେ ତଦନ୍ତ: ଘଟଣାସ୍ଥଳର ପ୍ରତ୍ୟେକ ଛୋଟ ପ୍ରମାଣକୁ ଯାଞ୍ଚ କରୁଛି ଫରେନସିକ୍ ଟିମ୍। ଫ୍ଲାଟ୍‌ର କବାଟ କିପରି ବନ୍ଦ ଥିଲା, ଘଟଣା ଦିନ ରାମାନୁଜନ କେଉଁଠି କେଉଁଠି ଯାଇଥିଲେ, ଘଟଣା ପୂର୍ବରୁ ଦମ୍ପତିଙ୍କ ମଧ୍ୟରେ କ’ଣ ଘଟିଥିଲା ଏସବୁ ଦିଗରୁ ତଦନ୍ତ ଚାଲିଛି।

ପୋଲିସ ରାମାନୁଜନଙ୍କ ବ୍ୟକ୍ତିଗତ ଓ ପାରିବାରିକ ପୃଷ୍ଠଭୂମି ସହ ରିୟାଙ୍କ ସହ ତାଙ୍କ ସମ୍ପର୍କକୁ ମଧ୍ୟ ଯାଞ୍ଚ କରୁଛି। ତାଙ୍କର ପୂର୍ବର ସମ୍ପର୍କରେ ମଧ୍ୟ ତଦନ୍ତକାରୀମାନେ ସୂଚନା ସଂଗ୍ରହ କରୁଛନ୍ତି।

ରିୟାଙ୍କ ପରିବାରରେ ଅଛନ୍ତି କେବଳ ଜଣେ ଭାଇ: ରିୟା ନୂନମତି ଅଞ୍ଚଳର ବାସିନ୍ଦା ଥିଲେ। ରିପୋର୍ଟ ଅନୁସାରେ, ସେ ତାଙ୍କ ଉଭୟ ବାପାମାଆଙ୍କୁ ହରାଇଥିଲେ ଏବଂ ପରିବାରରେ କେବଳ ଜଣେ ଭାଇ ଅଛନ୍ତି। ତାଙ୍କ ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ଗୌହାଟୀ ମେଡିକାଲ୍ କଲେଜ୍ ଆଣ୍ଡ ହସ୍ପିଟାଲ୍‌କୁ ପଠାଯାଇଛି।

ଏବେ CID ଓ ପୋଲିସ ସାମ୍ନାରେ ରହିଛି ଅନେକ ପ୍ରଶ୍ନ, ହତ୍ୟାର ପ୍ରକୃତ କାରଣ କ’ଣ? ଶନିବାର ରାତିରେ ଫ୍ଲାଟ୍ ଭିତରେ କ’ଣ ଘଟିଥିଲା? ମୁଣ୍ଡକୁ ଫ୍ରିଜ୍‌ରେ କାହିଁକି ରଖାଯାଇଥିଲା?

ଏହି ସବୁ ପ୍ରଶ୍ନର ଉତ୍ତର ଏବେ ପୁଲିସ ତଦନ୍ତ ଓ ଫରେନସିକ୍ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ। ତଦନ୍ତ ଜାରି ରହିଛି।