DU କଲେଜରେ ହଇଚଇ: ପ୍ରଫେସରଙ୍କ ନାଁ’ରେ ସାଙ୍ଘାତିକ ଅଭିଯୋଗ, ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ୍ ଓ ଫେଲ୍ କରବାକୁ ଧମକ…
ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦୌଲତ ରାମ କଲେଜରେ ପ୍ରଫେସରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ: ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ୍ ଓ ଦେଉଥିଲେ ଫେଲ୍ କରିଦେବାର ଧମକ।
ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଦୌଲତ ରାମ କଲେଜର ଜଣେ ପ୍ରଫେସରଙ୍କ ବିରୁଦ୍ଧରେ ଏକ ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନ ଏବଂ ଶାରୀରିକ ଆକ୍ରମଣ କରିଥିବାର ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଛାତ୍ରୀଙ୍କ ଲିଖିତ ଅଭିଯୋଗ ପରେ, କଲେଜ କର୍ତ୍ତୃପକ୍ଷ ଉକ୍ତ ପ୍ରଫେସରଙ୍କୁ ଛୁଟିରେ ପଠାଇ ଦେଇଛନ୍ତି ଏବଂ ଏହି ଘଟଣାର ତଦନ୍ତ ଦାୟିତ୍ୱ କଲେଜର ‘ଆଭ୍ୟନ୍ତରୀଣ ଅଭିଯୋଗ କମିଟି’କୁ ହସ୍ତାନ୍ତର କରାଯାଇଛି। ବୁଧବାର ଦିନ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ଘଟଣା ଘଟିଥିବା କଥା ନିଶ୍ଚିତ କରିଛନ୍ତି।
ଏହି ଲିଖିତ ଅଭିଯୋଗଟି ଅକ୍ଟୋବର ୨୯ ତାରିଖରେ ଦାଖଲ କରାଯାଇଥିଲା। ପୀଡ଼ିତାଙ୍କ ପକ୍ଷରୁ କଥା କହିବା ବେଳେ ଅନ୍ୟ ଜଣେ ଛାତ୍ରୀ ଅଭିଯୋଗ କରିଛନ୍ତି ଯେ, ଉକ୍ତ ପ୍ରଫେସର ପୀଡ଼ିତାଙ୍କୁ ଅନେକ ଅଶ୍ଳୀଳ, ଆପତ୍ତିଜନକ ଏବଂ ଯୌନ ଉଦ୍ଦେଶ୍ୟମୂଳକ ବାର୍ତ୍ତା ପଠାଉଥିଲେ। ଏହା ସହିତ, ତାଙ୍କ ଉପରେ ଜବରଦସ୍ତି କରିବାକୁ ଏବଂ ତାଙ୍କୁ ଅସଦାଚରଣ କରିବାକୁ ମଧ୍ୟ ଉଦ୍ୟମ କରାଯାଇଥିଲା।
ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ପ୍ରଫେସର ଜଣକ ଛାତ୍ରୀଙ୍କୁ ଧମକ ଦେଇଥିଲେ ଯେ ଯଦି ସେ ତାଙ୍କ ଦାବି ପୂରଣ ନ କରନ୍ତି, ତେବେ ତାଙ୍କୁ ପରୀକ୍ଷାରେ ଫେଲ୍ କରାଇ ଦିଆଯିବ। ଛାତ୍ରୀଙ୍କ କହିବା ଅନୁଯାୟୀ, ଏହି ଘଟଣା ଅକ୍ଟୋବର ୨୭ ତାରିଖରେ ଘଟିଥିଲା ଏବଂ ଏହା ପରେ ଅକ୍ଟୋବର ୨୯ ତାରିଖରେ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଥିଲା।
ପ୍ରଫେସରଙ୍କୁ ବହିଷ୍କାର କରିବା ପାଇଁ ଦାବି ଏବଂ ଛାତ୍ର ସଂଘ ପକ୍ଷରୁ ଚେତାବନୀ: ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଜଣାଇଛନ୍ତି ଯେ ଅଭିଯୋଗ ମିଳିବା ପରେ ଏହାକୁ ତୁରନ୍ତ ‘ଆଭ୍ୟନ୍ତରୀଣ ଅଭିଯୋଗ କମିଟି’ ନିକଟକୁ ପଠାଇ ଦିଆଯାଇଛି। କମିଟି ତଦନ୍ତ ସମ୍ପୂର୍ଣ୍ଣ କରିବା ପରେ ଏବଂ ତଦନ୍ତରୁ ମିଳିଥିବା ତଥ୍ୟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଦୌଲତ ରାମ କଲେଜ ଛାତ୍ର ସଂସଦର ସଭାପତି ପୀଡ଼ିତାଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ଏବଂ ‘ଆଭ୍ୟନ୍ତରୀଣ ଅଭିଯୋଗ କମିଟି’ ଦ୍ୱାରା ଏକ ନିରପେକ୍ଷ, ସ୍ୱଚ୍ଛ ତଥା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତଦନ୍ତ କରାଯିବାକୁ ଦାବି କରିଛନ୍ତି। ସେମାନେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ଯଦି ଅଭିଯୋଗଗୁଡ଼ିକ ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତ ପ୍ରଫେସରଙ୍କୁ ଚାକିରିରୁ ବରଖାସ୍ତ କରାଯାଉ ଏବଂ ତାଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
ଛାତ୍ର ସଂସଦ କହିଛି ଯେ ଯଦି ନ୍ୟାୟ ପ୍ରଦାନରେ ବିଳମ୍ବ ହୁଏ, ତେବେ ସେମାନେ ବ୍ୟାପକ ଆନ୍ଦୋଳନ ଆରମ୍ଭ କରିବେ ଏବଂ ଏହି ବିଷୟକୁ ‘ୟୁନିଭରସିଟି ଗ୍ରାଣ୍ଟସ୍ କମିଶନ’ ସମେତ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ନେବେ। କ୍ୟାମ୍ପସରେ ଛାତ୍ରୀମାନଙ୍କ ସୁରକ୍ଷା ଏବଂ ସମ୍ମାନ ସହ କୌଣସି ପ୍ରକାରର ସାଲିସ କରାଯିବ ନାହିଁ ବୋଲି ସଂସଦ ସ୍ପଷ୍ଟ କରିଦେଇଛି।


