ଅଭଦ୍ର ସ୍ୱାମୀ! ପତ୍ନୀଙ୍କ ଫଟୋ ଏଡିଟ୍ କରି ପୋଷ୍ଟକଲା, ଲେଖିଲା ଏମିତି କଥା

ସ୍ୱାମୀଙ୍କଠାରୁ ଧୋକା ଖାଇବା ପରେ ରେଖା ଥକି ନାହାନ୍ତି କି ହାର ମାନିନାହାନ୍ତି। କାମ ଦାମ ପିଲାଛୁଆ ଓ ଶାଶୂ-ଶ୍ୱଶୁରଙ୍କ ମୁହଁରେ ଦାନା ଦେଉଛନ୍ତି। ଦୁଃଖ କଷ୍ଟରେ ଜଳୁଥିବା ରେଖାଙ୍କ ହଠାତ୍ ବିଚଳିତ ହୋଇପଡ଼ିଥିଲେ

ପୁରୀ: ଅଭଦ୍ର ସ୍ୱାମୀ। ପତ୍ନୀଙ୍କ ଫଟୋ ଓ ଭିଡିଓ ଏଡିଟ୍ କରି ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କଲା। ଆଉ ପତ୍ନୀଙ୍କ ଫୋନ୍ ଦେଇ ଲେଖିଲା ଖରାପ କଥା। ଯାହା ପରବର୍ତ୍ତୀ ସମୟରେ ଭାଇରାଲ ହୋଇଥିଲା। ପତ୍ନୀଙ୍କ ଅଭିଯୋଗ ପରେ ପୁରୀ ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅଭିଯୋଗରୁ ପ୍ରକାଶ; କାକଟପୁର ଥାନା ଅଧୀନ ବରଜିସାହିର ମନୋଜ ସିଂ ବିବାହିତ। ପତ୍ନୀ ରେଖା(ଛଦ୍ମନାମ) ଓ ଦୁଇ ଛୁଆର ବାପା। ତଥାପି ମନୋଜଙ୍କ ମନ ପୂରିଲା ନାହିଁ। ସେ ଅନ୍ୟ ଜଣେ ମହିଳାଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ। ପରବର୍ତ୍ତୀ ସମୟରେ ବାପା, ମାଆ, ପତ୍ନୀ ଓ ପିଲାମାନଙ୍କୁ ଛାଡ଼ି ନିଜ ପ୍ରେମିକାଙ୍କ ସହ ଅଲଗା ରହିଲେ। ଦୀର୍ଘ ୮ ବର୍ଷ ଧରି ସେ ମହିଳାଙ୍କ ସହ ଜୀବନ ଅତିବାହିତ କରୁଛନ୍ତି।

ଅନ୍ୟପକ୍ଷରେ ସ୍ୱାମୀଙ୍କଠାରୁ ଧୋକା ଖାଇବା ପରେ ରେଖା ଥକି ନାହାନ୍ତି କି ହାର ମାନିନାହାନ୍ତି। କାମ ଦାମ ପିଲାଛୁଆ ଓ ଶାଶୂ-ଶ୍ୱଶୁରଙ୍କ ମୁହଁରେ ଦାନା ଦେଉଛନ୍ତି। ଦୁଃଖ କଷ୍ଟରେ ଜଳୁଥିବା ରେଖାଙ୍କ ହଠାତ୍ ବିଚଳିତ ହୋଇପଡ଼ିଥିଲେ। ଏହା ପଛରେ ଥିଲା ସ୍ୱାମୀ ମନୋଜଙ୍କ ଷଡ଼ଯନ୍ତ୍ର। ଅଭିଯୋଗ ଅନୁସାରେ ମନୋଜ ୪ ମାସ ତଳେ ରେଖାଙ୍କ ଫଟୋ ଓ ଭିଡ଼ିଓକୁ ଏଡ଼ିଟ୍ କରି ସୋସିଆଲ ମିଡ଼ିଆ ଏଇଣ୍ଟାଗ୍ରାମରେ ଛାଡ଼ି ଦେଇଥିଲେ। ସରସ୍ୱତୀଙ୍କ ମୋବାଇଲ ନମ୍ବର ଦେଇ ଯୌନ କର୍ମୀ ବୋଲି ଲେଖିଥିଲେ। ଏଥିସହ ହତ୍ୟା ପାଇଁ ଧମକ ଦେଇଥିଲେ। ଯାହା ଭାଇରାଲ ହୋଇଯାଇଥିଲା।

ଜୁନ୍ ୮ ତାରିଖରେ ସରସ୍ୱତୀ ଏନେଇ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ଶନିବାର ସାଇବର ଥାନା ପୋଲିସ ମନୋଜକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତା’ଠାରୁ ୨ଟି ମୋବାଇଲ୍ ଫୋନ୍ ଜବତ କରିଛି।