fbpx

ଶରଦ ପାୱାର ହେବେ ରାଷ୍ଟ୍ରପତି! ଗେମ୍ ଚେଞ୍ଜର ନବୀନ, ଗୋଟି ଚାଳନା କରୁଛନ୍ତି ପ୍ରଶାନ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ବିରୋଧୀ ମହାମେଣ୍ଟ ଚେଇଁ ଉଠିଛି । ଏନସିପି ମୁଖ୍ୟ ଶରଦ ପାୱାର ମହାମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି । ନିର୍ବାଚନ ନୀତିନିର୍ଦ୍ଧାରକ ପ୍ରଶାନ୍ତ କିଶୋର ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କରିବା ପରେ ଏନେଇ ସ୍ପଷ୍ଟ ସୂଚନା ମିଳିଛି । ତେବେ କିଛିଦିନ ପୂର୍ବରୁ ପ୍ରଶାନ୍ତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସାକ୍ଷାତ କରିଥିବା ବେଳେ ଏବେ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ଆଲୋଚନା ପଛରେ ମହାମେଣ୍ଟର ବଡ଼ ପ୍ଲାନ୍ ରହିଥିବା ଅନୁମାନ କରାଯାଉଛି ।

ଦେଶରେ କରୋନା ସଙ୍କଟ କାଳ ମଧ୍ୟରେ ରାଜନୀତିର ପାଣିପାଗ ବଦଳିବାରେ ଲାଗିଛି । ଆସନ୍ତା ୨୦୨୨ରେ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବା ସହ ରାଷ୍ଟ୍ରପତି ନିର୍ବାଚନ ଓ ପରେ ପରେ ୨୦୨୪ରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ତେଣୁ ବର୍ତ୍ତମାନଠାରୁ ସମସ୍ତ ରାଜନୀତି ଦଳମାନେ ନିଜର ଶକ୍ତି ସଂଗ୍ରହ କରିବାରେ ଲାଗି ପଡ଼ିଲେଣି । ତେବେ ପ୍ରଶାନ୍ତ ମହାମେଣ୍ଟର ନେତାମାନଙ୍କୁ ଏକତ୍ର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଦେଖାଯାଉଛି । ତେବେ ମହାମେଣ୍ଟ ପକ୍ଷରୁ ଶରଦଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଉପସ୍ଥାପିତ କରାଯିବ ବୋଲି କୁହାଯାଉଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ତିନି ଥର ପ୍ରଶାନ୍ତ ଶରଦଙ୍କ ସହ ସାକ୍ଷାତ କରି ଏନେଇ ଆଲୋଚନା କରିଥିବା ଜଣାପଡ଼ିଛି । ୨୦୨୨ରେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଦେଶ ଏକ ନୂଆ ରାଷ୍ଟ୍ରପତିଙ୍କ ସନ୍ଧାନରେ ରହିବ ।

ପ୍ରଶାନ୍ତଙ୍କ ହିସାବ କହୁଛି, ଯଦି ବିପକ୍ଷ ଦଳମାନେ ଏକଜୁଟ୍ ହୁଅନ୍ତି ତେବେ ଇଲେକ୍ଟୋରାଲ କଲେଜ ମାମଲାରେ ମହାମେଣ୍ଟ ମଜବୁତ ସାବ୍ୟସ୍ତ ହେବ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିପକ୍ଷ ଦଳରେ ଯଦି ସାମିଲ ହୁଅନ୍ତି, ତେବେ ଏହି ରାସ୍ତା ଆହୁରି ସହଜ ହେବ । ମହାରାଷ୍ଟ୍ର ଓ ତାମିଲନାଡ଼ୁ ପରି ବଡ଼ ରାଜ୍ୟରେ ବର୍ତ୍ତମାନ ଅଲଗା ଅଲଗା ଦଳ ଶାସନ କ୍ଷମତାରେ ରହିଛନ୍ତି । ଯଦି ନବୀନ ବିପକ୍ଷ ଦଳରେ ଯୋଗଦାନ କରନ୍ତି, ତେବେ ଏହି ସମସ୍ତ ରାଜ୍ୟରୁ ବଡ଼ ଅଙ୍କ ମିଳିପାରନ୍ତା । ତେବେ ପ୍ରଶାନ୍ତ ନବୀନ ଓ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ସହ ଏନେଇ ସାକ୍ଷାତ କରିଛନ୍ତି, ମାତ୍ର ତାହା ସାର୍ବଜନୀନ ହୋଇନାହିଁ ବୋଲି କୁହାଯାଉଛି । ଏହି ଘଟଣାକୁ ନେଇ ପ୍ରଶାନ୍ତ ଓ ରାହୁଲଙ୍କ ମଧ୍ୟରେ ଦୁଇ ଘଣ୍ଟାରୁ ଅଧିକ ସମୟ ଆଲୋଚନା ହୋଇଥିଲା । ପ୍ରଶାନ୍ତଙ୍କର ମମତା, ଜଗନ, ଅରବିନ୍ଦ, ଷ୍ଟାଲି, ଉଦ୍ଧବ ଆଦି ଟପ୍ ନେତାଙ୍କ ସହ ଭଲ ସମ୍ପର୍କ ରହିଛି । ମାତ୍ର ଏହି ମହାମେଣ୍ଟରେ କଂଗ୍ରେସ ଯୋଗ ଦେବା ନିହାତି ଦରକାର । ଯଦି ସମସ୍ତ ବିପକ୍ଷ ଦଳ ଏକଜୁଟ ହୁଅନ୍ତି, ତେବେ ବିଜେପି ଧୂଳି ଚାଟିବ ବୋଲି କାଲକୁଲେସନ କରାଯାଇଛି, ଯାହାର ଫାଇଦା ୨୦୨୪ ନିର୍ବାଚନ ପୂର୍ବରୁ ମିଳିଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.