ମୁମ୍ବାଇ ହସ୍ପିଟାଲରେ ଚିକିତ୍ସାଧୀନ ଶରଦ ପାୱାର, ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର
ଏନ୍ସିପି-ଏସ୍ପି ମୁଖ୍ୟ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ଗୁରୁବାର ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲର ଜଣେ ଡାକ୍ତର ଏହି ସୂଚନା ଦେଇଛନ୍ତି।
ମୁମ୍ବାଇ: ଏନ୍ସିପି (ଶରଦଚନ୍ଦ୍ର ପାୱାର) ଗୋଷ୍ଠୀର ମୁଖ୍ୟ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଗୁରୁବାର ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲର ଜଣେ ଡାକ୍ତର ଏହି ସୂଚନା ଦେଇଛନ୍ତି। ଛାତିରେ ସଂକ୍ରମଣ ଓ ଶ୍ୱାସକ୍ରିୟାରେ ସମସ୍ୟା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କର ଚିକିତ୍ସା ଚାଲିଛି।
ସୂଚନା ଅନୁସାରେ, ପୁଣେର ରୁବି ହଲ୍ କ୍ଲିନିକ୍ରୁ ଡିସ୍ଚାର୍ଜ ହେବାର କିଛି ଘଣ୍ଟା ପରେ ଶରଦ ପାୱାରଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲକୁ ନିଆଯାଇଥିଲା।
ହସ୍ପିଟାଲର ଡାକ୍ତର ସାମଦାନୀ ସାମ୍ବାଦିକଙ୍କୁ କହିଛନ୍ତି ଯେ, ବୁଧବାର ରାତିରେ ଶରଦ ପାୱାରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ କାଶ, ଛାତି ସଂକ୍ରମଣ ଓ ବ୍ରୋଙ୍କାଇଟିସ୍ ସମସ୍ୟା ହୋଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ ଚିକିତ୍ସା ଚାଲିଛି।
ଏହା ପୂର୍ବରୁ ବୁଧବାର ଦିନ ଶରଦ ପାୱାର ପୁଣେର ରୁବି ହଲ୍ କ୍ଲିନିକ୍ରୁ ଡିସ୍ଚାର୍ଜ ହୋଇଥିଲେ। ହସ୍ପିଟାଲର ମୁଖ୍ୟ ହୃଦ୍ରୋଗ ବିଶେଷଜ୍ଞ ତଥା ଅଧ୍ୟକ୍ଷ ଡାକ୍ତର ପୁରଭେଜ୍ କେ. ଗ୍ରାଣ୍ଟ କହିଥିଲେ ଯେ, ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ ସେ ଭଲ ଅଛନ୍ତି। ହସ୍ପିଟାଲରୁ ସିଧା ମୁମ୍ବାଇସ୍ଥିତ ନିଜ ବାସଭବନକୁ ଯିବେ। ଏହା ସହ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିଲା ହସ୍ପିଟାଲ।
ସୂଚନାଯୋଗ୍ୟ, ଗତ ନଭେମ୍ବର ୨ ତାରିଖରେ କାଶ ଓ ଛାତିରେ ଯନ୍ତ୍ରଣା ହେବାରୁ ଶରଦ ପାୱାରଙ୍କୁ ପୁଣେର ରୁବି ହଲ୍ କ୍ଲିନିକ୍ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଝିଅ ତଥା ବାରାମତୀର ସାଂସଦ ଏବଂ ଏନ୍ସିପି (ଏସ୍ପି)ର କାର୍ଯ୍ୟକାରୀ ସଭାପତି ସୁପ୍ରିୟା ସୁଲେ କହିଥିଲେ ଯେ, ଶରଦ ପାୱାରଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ଏବଂ ତାଙ୍କର ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରିପୋର୍ଟ ସ୍ଥିର ରହିଛି।
ଏହାପରେ ଡାକ୍ତରମାନେ ସତର୍କତା ଦୃଷ୍ଟିରୁ ତାଙ୍କୁ କିଛି ସମୟ ହସ୍ପିଟାଲରେ ନିରୀକ୍ଷଣରେ ରଖିଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିବା ସହ ଛାତିରେ ଯନ୍ତ୍ରଣା ମଧ୍ୟ କମିଯାଇଥିଲା। ଏହାପରେ ଡାକ୍ତରମାନେ ତାଙ୍କୁ ହସ୍ପିଟାଲରୁ ଛାଡ଼ିବାକୁ ଅନୁମତି ଦେଇଥିଲେ।


