fbpx

ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ ପଦ ଛାଡି ପାରନ୍ତି କୋହଲି, ସଙ୍କେତ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ ୧୨।୧୧: ଟି-୨୦ ବିଶ୍ଵ କପ୍ ସହ ମୁଖ୍ୟ କୋଚ୍ ଭାବେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଛି। ହେଲେ ଏହି ପୂର୍ବତନ କୋଚ୍ଙ୍କ ମତରେ ବିରାଟ କୋହଲି ଟି-୨୦ ଅନ୍ତର୍ଜାତୀୟ ପରେ ଅନ୍ୟ ଫର୍ମାଟ୍ରୁ ମଧ୍ୟ ଅଧିନାୟକ ପଦରୁ ଅବ୍ୟାହତି ନେବେ। ୟୁଏଇରେ ଖେଳାଯାଉଥିବା ଆଇସିସି ଟି-୨୦ ବିଶ୍ଵ କପ୍ରେ ଭାରତ ସୁପର-୧୨ ରାଉଣ୍ଡରୁ ବିଦାୟ ନେବା ପରେ କୋହଲି ଟି-୨୦ ଦଳର ଅଧିନାୟକ ପଦ ଛାଡିଛନ୍ତି। ଏହା ମଧ୍ୟରେ କୋହଲି ଦିନିକିଆ ଦଳର ଅଧିନାୟକ ଛାଡିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ଶାସ୍ତ୍ରୀ କହିଛନ୍ତି, ଟେଷ୍ଟ କ୍ରିକେଟ୍ରେ କୋହଲିଙ୍କ ନେତୃତ୍ଵରେ ଭାରତ ଗତ ପାଞ୍ଚ ବର୍ଷ ଶୀର୍ଷରେ ରହିଛି। ଯେ ପର୍ଯ୍ୟନ୍ତ ସେ ମାନସିକ ଭାବେ ଥକି ନାହାନ୍ତି ସେ ପର୍ଯ୍ୟନ୍ତ ତାଙ୍କୁ ଟେଷ୍ଟ ଦଳର ଅଧିନାୟକ ଛାଡିବା ଉଚିତ୍ ନୁହେଁ। ହେଲେ ନିକଟ ଭବିଷ୍ୟତରେ ସେ ବ୍ୟାଟିଂ ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ସବୁ ଫର୍ମାଟର ଅଧିନାୟକ ପଦ ଛାଡି ପାରନ୍ତି। ଏହା ତୁରନ୍ତ ନହେଲେ ବି ଏମିତି ହୋଇପରେ ବୋଲି ରବି ଶାସ୍ତ୍ରୀ କହିଛନ୍ତି। ହୋଇପାରେ କୋହଲି କେବଳ ଟେଷ୍ଟ କ୍ରିକେଟ୍ ଉପରେ ଧ୍ୟାନ କେନ୍ଦ୍ରିତ କରି ପାରନ୍ତି। ଶାସ୍ତ୍ରୀ କୋହଲିଙ୍କୁ ସବୁଠୁ ଫିଟ୍ କ୍ରିକେଟ୍ ଦର୍ଶାଇ କହିଛନ୍ତି, ଅନେକ ସଫଳ ଖେଳାଳି ନିଜର ବ୍ୟାଟିଂ ଉପରେ ଅଧିକ ଧ୍ୟାନ ଦେବା ପାଇଁ ଅଧିନାୟକ ପଦ ଛାଡିଛନ୍ତି। ଏପରିକି କୋହଲିଙ୍କଠାରେ ଭଲ ପ୍ରଦର୍ଶନ କରିବାର ଭୋକ୍ ରହିଛି। ସେ ଦଳରେ କୌଣସି ଖେଳାଳିଙ୍କଠୁ ବି ଅଧିକ ଫିଟ୍। କେଉଁ ଫର୍ମାଟରେ ସେ ଦଳର ନେତୃତ୍ଵ ନେବେ ତାହା କୋହଲି ଏବଂ ବିସିସିଆଇ ଉପରେ ନିର୍ଭର କରେ ବୋଲି ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ କହିଛନ୍ତି।

Get real time updates directly on you device, subscribe now.