ସୋସିଆଲ ମିଡିଆରେ ମିଠା ମିଠା କଥା କହି ଖୋଳ କରିଦେଲେ ଅଚିହ୍ନା ମହିଳା

ପୋଲିସ ଅଭିଯୁକ୍ତଙ୍କ କବଜାରୁ ପ୍ରାୟ ୧୦ ଲକ୍ଷ ଟଙ୍କା ନଗଦ ଓ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଜବତ କରିଛି

ପାଟନା: ସୋସିଆଲ ମିଡିଆରେ ଆପଣଙ୍କ ପାଖକୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆସୁଛି କି? ଆପଣ କୌଣସି ଅଚିହ୍ନା ମହିଳାଙ୍କ ସହ କଥା ହେଉଛନ୍ତି କି? ତା’ହେଲେ ବେଳ ଥାଉଁଥାଉଁ ସତର୍କ ହୋଇ ଯାଆନ୍ତୁ। ନହେଲେ ମହିଳାଙ୍କ ମିଠା ମିଠା କଥାରେ ଭାସିଯାଇ ଆପଣ ସର୍ବଶ୍ୱ ହରାଇବେ। ଆପଣଙ୍କ ଘର ଭିତରେ ଥିବା ଆଲମିରାରୁ ଟଙ୍କା ଗାଏବ ହୋଇଯିବ। ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯିବ। ଏମିତି ଏକ ଅପରାଧ ବିହାର ପାଟନାରେ ଘଟିଛି।

ପୂରା ଘଟଣା ଏମିତି। ବିହାର ରୂପସପୁର ଥାନା ଅଞ୍ଚଳର ଯୁବକ ରାଜେଶ(ଛଦ୍ମନାମ)ଙ୍କ ପାଖକୁ ସୋସିଆଲ ମିଡିଆରେ ଏକ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆସିଥିଲା। ରାଜେଶ ସେହି ରିକ୍ୟୁଏଷ୍ଟକୁ ଆକସେପ୍ଟ କରିଥିଲେ। ତା’ପରେ ଜଣେ ମହିଳା ତାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ଧୀରେ-ଧୀରେ ବିଶ୍ୱାସ ସୃଷ୍ଟି ହୋଇଗଲା। କିଛି ଦିନ ପରେ ମହିଳା ଜଣ ତାଙ୍କୁ ଭେଟିବାକୁ ଡାକିଲେ। ରାଜେଶ ପହଞ୍ଚିବା ପରେ ମହିଳା ଓ ତାଙ୍କ ସ୍ୱାମୀ ମିଶି ତାଙ୍କଠାରୁ ନଗଦ ଟଙ୍କା ଓ ଅଳଙ୍କାର ଛଡ଼ାଇ ନେଇଥିଲେ।

ପୀଡ଼ିତ ରୂପସପୁର ଥାନାରେ ଅଭିଯୋଗ କରିଥିଲେ। ମାମଲାର ଗମ୍ଭୀରତାକୁ ଦେଖି ନଗର ପୋଲିସ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ଏକ ଟିମ ଗଠନ ହୋଇଥିଲା। ପୋଲିସ ତଦନ୍ତ ଆରମ୍ଭ କଲା। ସେହି ସମୟରେ ପୋଲିସକୁ ଅନେକ ସୁରାକ ମିଳିଲା। ମୋବାଇଲ କଲ ଡିଟେଲ୍‌ସ, ସୋସିଆଲ ମିଡିଆ କଣ୍ଟାକ୍ଟ ଓ ଅନ୍ୟ ପ୍ରମାଣ ଆଧାରରେ ଟିମ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା। ସମ୍ପୃକ୍ତ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଥିଲା। ପଚରାଉଚରା ସମୟରେ ଯେଉଁ ସୂଚନା ସାମ୍ନାକୁ ଆସିଲା, ତାହା ପୋଲିସକୁ ଚକିତ କରିଥିଲା।

ପୋଲିସ ସୂଚନା ଅନୁସାରେ, ମହିଳା ଓ ତାଙ୍କ ସ୍ୱାମୀ ପ୍ରଥମ ଥର ଏପରି କାଣ୍ଡ କରୁନଥିଲେ। ଦୁହେଁ ପୂର୍ବରୁ ଏପରି ବହୁ ଲୋକଙ୍କୁ ସୋସିଆଲ ମିଡିଆରେ ନିଜ ଜାଲରେ ଫସାଉଥିଲେ। ସେମାନଙ୍କ ଫସାଇବା ଉପାୟ ପ୍ରାୟତଃ ସମାନ। ପ୍ରଥମେ ସୋସିଆଲ ମିଡିଆରେ ସମ୍ପର୍କ। ତା’ପରେ ବନ୍ଧୁତା। ଏହା ପରେ ବିଶ୍ୱାସ। ଆଉ ଶେଷରେ ଭେଟିବା ନାଁରେ ଡାକି ଲୁଟ।

ତଦନ୍ତରେ ସାମ୍ନାକୁ ଆସିଲା ଯେ ରୂପସପୁର ଥାନାରେ ଏମାନଙ୍କ ବିରୋଧରେ ପୂର୍ବରୁ ଅନେକ ମାମଲା ରୁଜୁ ହୋଇଛି। ମାମଲାରେ ଆଉ ଏକ ମୋଡ଼ ସେତେବେଳେ ଆସିଲା, ଯେତେବେଳେ ପୋଲିସ ଛଡ଼ାଇ ନିଆଯାଇଥିବା ଅଳଙ୍କାର ସୂତ୍ର ଖୋଜିବା ଆରମ୍ଭ କଲା। ତଦନ୍ତ ସମୟରେ ଜଣାପଡ଼ିଲା, ଲୁଟ ହୋଇଥିବା ଗହଣାକୁ ବିକିବା ଚେଷ୍ଟା କରାଯାଇଥିଲା। ପୋଲିସ ସେହି ଅଳଙ୍କାର କିଣିଥିବା ବ୍ୟକ୍ତିକୁ ଗିରଫ କରିଛି।

ପୋଲିସ ଅଭିଯୁକ୍ତଙ୍କ କବଜାରୁ ପ୍ରାୟ ୧୦ ଲକ୍ଷ ଟଙ୍କା ନଗଦ ଓ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଜବତ କରିଛି। ପୋଲିସ ଏବେ ଜାଣିବାକୁ ଚେଷ୍ଟା କରୁଛି, ଏହି ଗ୍ୟାଙ୍ଗ ଏପର‌୍ୟ୍ୟନ୍ତ କେତେ ଲୋକଙ୍କୁ ନିଜର ଶିକାର କରିଛି? ବର୍ତ୍ତମାନ ପୋଲିସ ମହିଳାଙ୍କ ସହ ମୋଟ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ପାଟନାର ଏହି ମାମଲା ସେହି ଲୋକଙ୍କ ପାଇଁ ଚେତାବନୀ ଯେଉଁମାନେ ସୋସିଆଲ ମିଡିଆରେ ଅଜଣା ଲୋକଙ୍କ ସହ ଶୀଘ୍ର ମିଳାମିଶା ହୋଇଯାଆନ୍ତି। ଗୋଟିଏ ଫ୍ରେଣ୍ଡ ରିକ୍ୱେଷ୍ଟ, କିଛି ଦିନର କଥାବାର୍ତ୍ତା ଓ ବିଶ୍ୱାସର ସମ୍ପର୍କ କେବେ ଜାଲରେ ବଦଳିଯିବ, ଏହାର ଅନୁମାନ କରିବା କଷ୍ଟକର।