ମୋର ଏକମାତ୍ର ସହାରା ହେଉଛି ରାଘବ…

ପଞ୍ଜାବୀ ଅଭିନେତ୍ରୀ ଶେହନାଜ ଗିଲ୍ ‘ବିଗ୍ ବସ୍ ୧୩’ ଜରିଆରେ ବ୍ୟାପକ ଲୋକପ୍ରିୟତା ହାସଲ କରିଥିଲେ। ପରେ ସେ ସଲମାନ ଖାନଙ୍କ ସହ ‘କିସି କା ଭାଇ କିସି କି ଜାନ୍’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ପଦାର୍ପଣ କରିଥିଲେ

ନୂଆଦିଲ୍ଲୀ: ଅଭିନେତା ରାଘବ ଜୁୟାଲଙ୍କ ପ୍ରେମରେ ପଡ଼ିଛନ୍ତି ପଞ୍ଜାବୀ ବ୍ୟୁଟି ଶେହନାଜ ଗିଲ୍। ଉଭୟ ପରସ୍ପରକୁ ଡେଟିଂ କରୁଥିବା ମାୟାନଗରୀରେ ଚର୍ଚ୍ଚା ହେଉଛି। କିଛି ଦିନ ତଳେ ରାଘବ ଜୁୟାଲଙ୍କ ଜନ୍ମଦିନ ପାର୍ଟିରେ ଶେହନାଜ ଗିଲ ଯୋଗଦେବା ପରେ ଏହି ଗୁଜବ ଆହୁରି ଜୋର ଧରିଛି।

ପାର୍ଟିରେ ଭିଡ଼ ମଧ୍ୟରେ ରାଘବ ଶେହନାଜଙ୍କୁ ସୁରକ୍ଷା ଦେଉଥିବା ଏବଂ ଉଭୟେ ପରସ୍ପରଙ୍କ ହାତ ଧରିଥିବା ଦେଖାଯାଇଥିଲା। ଅନ୍ୟପକ୍ଷରେ ଶେହନାଜ ଗିଲ୍ ଏହି ଡେଟିଂ ଗୁଜବ ଉପରେ ଖୋଲାଖୋଲି ମତ ରଖିବା ସହ ରାଘବ ଜୁୟାଲଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି।

ପଞ୍ଜାବୀ ଅଭିନେତ୍ରୀ ଶେହନାଜ ଗିଲ୍ ‘ବିଗ୍ ବସ୍ ୧୩’ ଜରିଆରେ ବ୍ୟାପକ ଲୋକପ୍ରିୟତା ହାସଲ କରିଥିଲେ। ପରେ ସେ ସଲମାନ ଖାନଙ୍କ ସହ ‘କିସି କା ଭାଇ କିସି କି ଜାନ୍’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ପଦାର୍ପଣ କରିଥିଲେ। ଏହି ଫିଲ୍ମରେ ରାଘବ ଜୁୟାଲ ମଧ୍ୟ ଅଭିନୟ କରିଥିଲେ। ସେହି ସମୟରୁ ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

ସେତେବେଳେ ସଲମାନ ଖାନ କହିଥିଲେ, “ମୁଁ ସେଟ୍‌ରେ ଦୁଇଜଣଙ୍କ ମଧ୍ୟରେ ଭଲ କେମିଷ୍ଟ୍ରି ଦେଖିଥିଲି। କିନ୍ତୁ କିଛି ହେଲାନାହିଁ। ଅତିକମରେ ଗୋଟିଏ ପକ୍ଷରୁ ତ ନୁହେଁ। ଅନ୍ୟ ପକ୍ଷ ଖୁବ ଉତ୍ସାହିତ ଥିଲା।”

Uttarakhand Govt.

‘ମୁମ୍ବାଇରେ ମୋର ଏକମାତ୍ର ସହାରା ରାଘବ’: ଏକ ସାକ୍ଷାତକାରରେ ଶେହନାଜ କହିଛନ୍ତି; ମୁମ୍ବାଇରେ ମୋର କୌଣସି ବିଶେଷ ବନ୍ଧୁ ନାହାନ୍ତି। ମୋର ଏକମାତ୍ର ସହାରା ହେଉଛି ରାଘବ। ମୋ ଜୀବନରେ ଯେତେବେଳେ ବି କୌଣସି ସମସ୍ୟା ଆସେ, ମୁଁ ସର୍ବପ୍ରଥମେ ତାଙ୍କୁ ଫୋନ୍ କରେ। ଯଦି ମୋର ଦେହ ଖରାପ ହୁଏ, ତେବେ ମୁମ୍ବାଇରେ ଏମିତି କେହି ନାହାନ୍ତି ଯାହାକୁ ମୁଁ ଡାକିପାରିବି। ରାଘବ ହିଁ ମୋତେ ହସ୍ପିଟାଲ ନେଇଯିବେ, ନଚେତ୍ ମୁଁ ଘରେ ହିଁ ପଡ଼ି ରହିବି ବୋଲି ଶେହନାଜ କହିଛନ୍ତି।

ସେ ଆହୁରି କହିଛନ୍ତି; “ରାଘବ ସବୁବେଳେ ମୋତେ ସୁରକ୍ଷା ଦିଅନ୍ତି। ଅନେକ କଥା ବୁଝାନ୍ତି। ଅଭିନୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ସବୁଠାରୁ ଅଧିକ ପ୍ରେରଣା ମୋତେ ଦେଇଛନ୍ତି। ଦେଖିବେ, ଦିନେ ସେହି ପୁଅ ଶାହରୁଖ ଖାନଙ୍କ ଭଳି ବଡ଼ ଷ୍ଟାର ହେବ।”

ରାଘବ କହିଥିଲେ, ‘ଶେହନାଜ ମୋ ପରିବାର ଭଳି’: ଅନ୍ୟପକ୍ଷରେ ରାଘବ ଜୁୟାଲ କହିଥିଲେ; ଶେହନାଜ ଗିଲ ମୋ’ ପାଇଁ ପରିବାର ସଦସ୍ୟଙ୍କ ଭଳି। ଶେହନାଜ ମୋର ଜଣେ ଅତ୍ୟନ୍ତ ଭଲ ବନ୍ଧୁ।

ମୁକ୍ତିଲାଭ କଲା ‘ଭାଇ ତେରା ଷ୍ଟାର ହୈ’ : ରାଘବ ଜୁୟାଲଙ୍କ ପ୍ରଥମ ମୁଖ୍ୟ ଭୂମିକାର ଫିଲ୍ମ ‘ଭାଇ ତେରା ଷ୍ଟାର ହୈ’ ବର୍ତ୍ତମାନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହା ଏକ କମେଡି-ଡ୍ରାମା ଫିଲ୍ମ। ଯେଉଁଥିରେ ଜଣେ ସଂଘର୍ଷରତ ଅଭିନେତାଙ୍କ କାହାଣୀ ଦେଖାଯାଇଛି।

ଏହି ଫିଲ୍ମରେ ସଞ୍ଜୟ କପୁରଙ୍କ ସହ ନିକି ୱାଲିଆ, ବରଖା ସିଂହ, ନିହାରିକା ଏନ୍.ଏମ୍., ବିକଳ୍ପ ମେହେତା, ଟିନା ଦେଶାଇ, ଚନ୍ଦନ ରୟ ସାନ୍ୟାଲ ଏବଂ ଦେବ ଅଗ୍ରୱାଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଓ ପ୍ରଯୋଜନା ବିବେକ ବି. ଅଗ୍ରୱାଲ କରିଛନ୍ତି।