ଦେଶବାସୀଙ୍କୁ ସମ୍ବୋଧନ ବେଳେ କାନ୍ଦି ପକାଇଲେ ଶେଖ ହସିନା

ଶେଖ୍ ହସିନା କହିଛନ୍ତି; ଗତ ଦୁଇ ବର୍ଷ ଧରି ମୁଁ ମୋର ପ୍ରିୟ ବାଂଲାଦେଶକୁ ସଙ୍କଟ ସହ ସଂଘର୍ଷ କରୁଥିବା ଦେଖିଛି। ଏହା ସେହି ବାଂଲାଦେଶ ନୁହେଁ, ଯାହାକୁ ଆମେ ଗଢ଼ିଥିଲୁ

ନୂଆଦିଲ୍ଲୀ: ବାଂଲାଦେଶ ଛାଡ଼ିବା ପରେ ପ୍ରଥମ ଥର ପାଇଁ ଭର୍ଚୁଆଲରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା। ଏହି ସମୟରେ ସେ ଭାବପ୍ରବଣ ହୋଇପଡ଼ିଛନ୍ତି। ଆଖିର ଲୁହକୁ ଅଟକାଇ ପାରିନାହାନ୍ତି। ଦେଶ ଛାଡ଼ିବା ବେଳର ଯନ୍ତ୍ରଣାକୁ ବର୍ଣ୍ଣନା କଲା ବେଳେ କାନ୍ଦି ପକାଇଛନ୍ତି ଶେଖ ହସିନା।

ନୂଆଦିଲ୍ଲୀରୁ ଭର୍ଚୁଆଲରେ ଦେଶବାସୀଙ୍କୁ ସମ୍ବୋଧିତ କରି ଶେଖ ହସିନା କହିଛନ୍ତି, “ମୋତେ ନିଜ ଦେଶ ଛାଡ଼ିବାକୁ ବାଧ୍ୟ କରାଯାଇଥିଲା। କିନ୍ତୁ ମୁଁ କେବେ ମୋ ଦେଶର ଲୋକଙ୍କଠାରୁ ଅଲଗା ହୋଇନାହିଁ। ମୁଁ ସେହି ବ୍ୟକ୍ତି ଭାବରେ କଥା କହୁଛି, ଯିଏ ନିଜର ସମଗ୍ର ଜୀବନ ବାଂଲାଦେଶର ଲୋକଙ୍କ ସହ ବିତାଇଛି।”

ଶେଖ୍ ହସିନା କହିଛନ୍ତି; ଗତ ଦୁଇ ବର୍ଷ ଧରି ମୁଁ ମୋର ପ୍ରିୟ ବାଂଲାଦେଶକୁ ସଙ୍କଟ ସହ ସଂଘର୍ଷ କରୁଥିବା ଦେଖିଛି। ଏହା ସେହି ବାଂଲାଦେଶ ନୁହେଁ, ଯାହାକୁ ଆମେ ଗଢ଼ିଥିଲୁ। ଏହା ସେହି ବାଂଲାଦେଶ ନୁହେଁ, ଯାହା ପାଇଁ ୧୯୭୧ ମସିହାରେ ୩୦ ଲକ୍ଷ ଲୋକ ନିଜ ଜୀବନ ବଳିଦାନ ଦେଇଥିଲେ।”

ସେ ଆହୁରି କହିଛନ୍ତି, “ମୁଁ ଜୁଲାଇ ଓ ଅଗଷ୍ଟ ୨୦୨୪ର ପ୍ରକୃତ ଘଟଣାରୁ ମୋ’ କଥା ଆରମ୍ଭ କରିବାକୁ ଚାହୁଁଛି। ଏହା କୌଣସି ଶାନ୍ତିପୂର୍ଣ୍ଣ ଛାତ୍ର ଆନ୍ଦୋଳନ ନଥିଲା। ଆରମ୍ଭରୁ ମୋ’ ସରକାର ଆଲୋଚନା, ଆଇନଗତ ପ୍ରକ୍ରିୟା ଓ ଧୈର୍ଯ୍ୟ ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ସଂସ୍କାର ନାମରେ କେତେକ ସଂଗଠିତ ଗୋଷ୍ଠୀ ଛାତ୍ରମାନଙ୍କ ଦାବିକୁ ହିଂସାତ୍ମକ ରାଜନୈତିକ ଅସ୍ତ୍ରରେ ପରିଣତ କରିଥିଲେ।”

‘ମୋର ପ୍ରତ୍ୟାବର୍ତ୍ତନର ଉଦ୍ଦେଶ୍ୟ କ୍ଷମତା ହାସଲ କରିବା ନୁହେଁ’: ଶେଖ ହସିନା କହିଛନ୍ତ, “ସେମାନେ ଶେଖ୍ ମୁଜିବୁର ରହମାନଙ୍କ ନାମ ଓ ଚିହ୍ନକୁ ସମ୍ପୂର୍ଣ୍ଣ ମିଟାଇ ଦେବାକୁ ଚାହୁଁଛନ୍ତି। ମୋର ଫେରିବାର ଉଦ୍ଦେଶ୍ୟ କ୍ଷମତା ହାସଲ କରିବା ନୁହେଁ। ବରଂ ବାଂଲାଦେଶକୁ ବିକାଶ ଓ ଧର୍ମନିରପେକ୍ଷତାର ପଥକୁ ପୁଣି ଫେରାଇ ଆଣିବା।”

Uttarakhand Govt.

ସେ କହିଛନ୍ତି, “ମହମ୍ମଦ ୟୁନୁସ ନିଜେ କହିଥିଲେ ଯେ ଏହା ଏକ ସୁଚିନ୍ତିତ ଆନ୍ଦୋଳନ ଥିଲା। ଯାହାକୁ ଜଣେ ମାଷ୍ଟରମାଇଣ୍ଡ ପରିଚାଳନା କରୁଥିଲେ। ତାଙ୍କ ନିଜ କଥା ହିଁ ସତ୍ୟକୁ ପ୍ରକାଶ କରୁଛି। ଏହା କେବଳ ଛାତ୍ରମାନଙ୍କର ହଠାତ ଆରମ୍ଭ ହୋଇଥିବା ଆନ୍ଦୋଳନ ନଥିଲା। ଏହାର କୌଣସି ସ୍ପଷ୍ଟ କିମ୍ବା ଦାୟିତ୍ୱବାନ ନେତୃତ୍ୱ ନଥିଲା। ପରଦା ପଛରୁ ନିର୍ଦ୍ଦେଶ ଦିଆଯାଉଥିଲା। ଏହାକୁ ଏପରି ଭାବରେ ପରିଚାଳନା କରାଯାଇଥିଲା, ଯାହାଦ୍ୱାରା ନିର୍ବାଚନ ନୁହେଁ, ଅନ୍ୟ ଉପାୟରେ କ୍ଷମତାକୁ ଦଖଲ କରାଯାଇପାରିବ।”

ଡିସେମ୍ବରରେ ବାଂଲାଦେଶ ଫେରିବେ ଶେଖ୍ ହସିନା? : ଶେଖ୍ ହସିନା ଆହୁରି କହିଛନ୍ତି; ଆୱାମୀ ଲିଗ୍ ଉପରେ ଲାଗିଥିବା ପ୍ରତିବନ୍ଧକୁ ହଟାଇ ଦିଆଯିବା ଉଚିତ। ମୁଁ ଡିସେମ୍ବରରେ ବାଂଲାଦେଶକୁ ଫେରିବାକୁ ଚାହୁଁଛି। ଡିସେମ୍ବର ବିଜୟର ମାସ ହେବ ବୋଲି ଶେଖ କହିଛନ୍ତି।

ପୁଅ ସଜିବ ୱାଜେଦଙ୍କ ଘୋଷଣା: ମାଆଙ୍କ ଏହି ପ୍ରେସ୍ କନଫରେନ୍ସରେ ବାଂଲାଦେଶ ଆୱାମୀ ଲିଗର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ତାଙ୍କ ପୁଅ ସଜିବ ୱାଜେଦ ବ୍ୟକ୍ତିଗତ ଭାବେ ଭର୍ଚୁଆଲରେ ଯୋଗଦେଇଥିଲେ।

ସଜିବ ୱାଜେଦ ଘୋଷଣା କରିଛନ୍ତି; ଶେଖ୍ ହସିନା ବାଂଲାଦେଶକୁ ଫେରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେ ମହମ୍ମଦ ୟୁନୁସଙ୍କ ଶାସନ ସମୟରେ ପୁଲିସ ହେପାଜତରେ ହୋଇଥିବା ହତ୍ୟାକାଣ୍ଡର ଅଭିଯୋଗ ଆଣିଥିଲେ। ତାଙ୍କ କହିବା ଅନୁସାରେ, ହତ୍ୟା ଜାରି ରହିଛି। କୌଣସି ଆଇନଗତ ପ୍ରକ୍ରିୟା ଅନୁସରଣ କରାଯାଉ ନାହିଁ। ୨୦୨୪ ଅଗଷ୍ଟ ୫ ତାରିଖରେ ସରକାର ରାଜନୈତିକ ହତ୍ୟାକୁ ବୈଧତା ଦେଇଛି ବୋଲି ସେ କହିଛନ୍ତି।

‘ବାଂଲାଦେଶ ଦ୍ୱିତୀୟ ପାକିସ୍ତାନ ହୋଇଯାଇଛି’: ସଜିବ ୱାଜେଦ କହିଛନ୍ତି; ବାଂଲାଦେଶର ଅର୍ଥନୀତି ଭୁଶୁଡ଼ି ପଡ଼ିଛି। ଦେଶ ଏକ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରରେ ପରିଣତ ହେବାକୁ ଯାଉଛି। ମହମ୍ମଦ ୟୁନୁସଙ୍କ ଶାସନକାଳରେ ଅର୍ଥନୀତିର ଦୁର୍ବ୍ୟବସ୍ଥାପନା ହୋଇଥିଲା ଏବଂ ଏହା ଏବେ ମଧ୍ୟ ଜାରି ରହିଛି। ବାଂଲାଦେଶ ଦ୍ୱିତୀୟ ପାକିସ୍ତାନରେ ପରିଣତ ହୋଇଯାଇଛି। ଏହା ଭାରତ ପାଇଁ ମଧ୍ୟ ଚିନ୍ତାର ବିଷୟ ବୋଲି ସେ କହିଛନ୍ତି।