ଭାରତରୁ ଲାଇଭ୍ ଆସିବେ ଶେଖ ହାସିନା, ଭର୍ଚୁଆଲ୍ ପ୍ରେସ୍ କନଫରେନ୍ସକୁ ନେଇ ବାଂଲାଦେଶରେ ରାଜନୈତିକ ହଲଚଲ୍

ଶେଖ୍ ହସିନାଙ୍କ ପ୍ରଥମ ଲାଇଭ୍ ପ୍ରେସ୍ କନଫରେନ୍ସ: ରୋକ୍ ଲଗାଇବାକୁ ବାଂଲାଦେଶର ଦାବିକୁ ପ୍ରତ୍ୟାଖ୍ୟାନ କଲା ଭାରତ

ଓଡ଼ିଶା ଭାସ୍କର ଡେସ୍କ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଏକ ନୂଆ ପଦକ୍ଷେପ ଢାକାରେ ହଟଚମଟ ସୃଷ୍ଟି କରିଛି। ଭାରତରେ ଶରଣ ନେଇଥିବା ଶେଖ୍ ହସିନା ଦୁଇ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ସହ ଲାଇଭ୍ ଯୋଡ଼ିହେବାକୁ ଯାଉଛନ୍ତି।

ସେ ଏକ ଭର୍ଚୁଆଲ୍ ପ୍ରେସ୍ କନଫରେନ୍ସ ମାଧ୍ୟମରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବେ। ଏହି କାର୍ଯ୍ୟକ୍ରମର ଘୋଷଣା ହେବା କ୍ଷଣି ବାଂଲାଦେଶ ସରକାର ଭୟଭୀତ ହୋଇପଡ଼ିଛନ୍ତି। ଢାକା ଭାରତ ସରକାରଙ୍କ ନିକଟରେ ଏହି କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଇବାକୁ ଦାବି କରିଛି।

ଆପାତତଃ ଭାରତ ବାଂଲାଦେଶର ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଛି। ବାଂଲାଦେଶରେ ଅଗଷ୍ଟ ୨୦୨୪ର ହିଂସାତ୍ମକ ପ୍ରଦର୍ଶନ ପରେ ହସିନା ଦେଶ ଛାଡ଼ି ଭାରତ ଚାଲିଆସିଥିଲେ। ଏବେ ପ୍ରଥମ ଥର ପାଇଁ ସେ ସାର୍ବଜନୀନ ଭାବେ ନିଜର ପକ୍ଷ ରଖିବାକୁ ଯାଉଛନ୍ତି।

Uttarakhand Govt.

ବାଂଲାଦେଶ ପ୍ରକାଶ କଲା ଆପତ୍ତି: ବାଂଲାଦେଶ ସରକାର ଶେଖ୍ ହସିନାଙ୍କ ରାଜନୈତିକ କାର୍ଯ୍ୟକଳାପ ଉପରେ କଡ଼ା ଆପତ୍ତି ଜଣାଇଛନ୍ତି। ସେମାନଙ୍କ କହିବା କଥା ଯେ, ଜଣେ ଅଭିଯୁକ୍ତ ନେତାଙ୍କୁ ଭାରତରେ ଏପରି ମଞ୍ଚ ମିଳିବା ଉଚିତ୍ ନୁହେଁ। ହସିନାଙ୍କ ବକ୍ତବ୍ୟ ଯୋଗୁଁ ଜନସାଧାରଣଙ୍କ ସହାନୁଭୂତି ତାଙ୍କ ପକ୍ଷକୁ ଚାଲିଯିବ ବୋଲି ଢାକା ଆଶଙ୍କା କରୁଛି।

ଏହା ଉପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଏହା ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମ। ଏଥିରେ ଭାରତ ସରକାରଙ୍କର କୌଣସି ଭୂମିକା ନାହିଁ। ଗଣମାଧ୍ୟମ ସିଧାସଳଖ ତାଙ୍କ ସହ ଯୋଗାଯୋଗ କରୁଛି ଏବଂ ସାକ୍ଷାତକାର ଦେବା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ବାଂଲାଦେଶର ଅଦାଲତ ହସିନାଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି, କିନ୍ତୁ ଭାରତ ତାଙ୍କର ପ୍ରତ୍ୟର୍ପଣ ଦାବି ଉପରେ ଏପର୍ଯ୍ୟନ୍ତ କୌଣସି ଆଇନଗତ ପଦକ୍ଷେପ ନେଇନାହିଁ।

ବାଂଲାଦେଶରେ ରାଜନୈତିକ ହଲଚଲ: ରିପୋର୍ଟ ଅନୁଯାୟୀ, ଶେଖ୍ ହସିନା ଆଗାମୀ ଦିନଗୁଡ଼ିକରେ ଆହୁରି ଅନେକ ସାକ୍ଷାତକାର ଦେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିପାରନ୍ତି। ଏହି କଥା ବର୍ତ୍ତମାନର ବାଂଲାଦେଶ ସରକାରଙ୍କୁ ଆଦୌ ପସନ୍ଦ ଆସୁନାହିଁ। ବାଂଲାଦେଶ ସରକାର ବାରମ୍ବାର ଶେଖ୍ ହସିନାଙ୍କୁ ଢାକା ଫେରାଇ ନେବା ପାଇଁ ଚାପ ପକାଉଛନ୍ତି।

ଅପରପକ୍ଷରେ ହସିନା ମଧ୍ୟ ସଙ୍କେତ ଦେଇଛନ୍ତି ଯେ, ସେ ଆଗାମୀ ସମୟରେ ନିଜ ଦେଶକୁ ଫେରିପାରନ୍ତି। ଏହି ସମ୍ପୂର୍ଣ୍ଣ ଘଟଣା ପରେ ଉଭୟ ଦେଶ ମଧ୍ୟରେ କୂଟନୈତିକ ତିକ୍ତତା ଆହୁରି ବୃଦ୍ଧି ପାଇଛି। ଏବେ ଦେଖିବାକୁ ବାକି ରହିଲା ଯେ ବୁଧବାର ହେବାକୁ ଥିବା ଏହି ପ୍ରେସ୍ କନଫରେନ୍ସରେ ଶେଖ୍ ହସିନା କ’ଣ ନୂଆ ଖୁଲାସା କରୁଛନ୍ତି ଏବଂ ଏହା ଉପରେ ଢାକାର କ’ଣ ପ୍ରତିକ୍ରିୟା ଆସୁଛି।