ଭାବପ୍ରବଣ ହେଲେ ଶେଖ ହସିନା; କହିଲେ- ମୋ’ ଜୀବନକୁ ବିପଦ ଅଛି, ତଥାପି ମୁଁ ଫେରିବି

୨୦୨୪ ମସିହାରେ ହୋଇଥିବା ହିଂସାତ୍ମକ ଛାତ୍ର ଆନ୍ଦୋଳନ ପରେ ଶେଖ ହସିନା ବାଂଲାଦେଶ ଛାଡ଼ି ଭାରତରେ ଆଶ୍ରୟ ନେଇଥିଲେ

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଆଜି ଭାବପ୍ରବଣ ହୋଇପଡ଼ିଛନ୍ତି। ରୟଟର୍ସ ସହିତ ସାକ୍ଷାତକାର ବେଳେ କହିଛନ୍ତି, ଯେମିତି ହେଲେ ମୁଁ ମୋ’ ଦେଶକୁ ଫେରିବି। ଏଥିପାଇଁ ଯଦି ମୋତେ ମୃତ୍ୟୁ ଆସିବାକୁ ଥାଏ, ତେବେ ମୁଁ ଚାହେଁ ଯେ ତାହା ମୋ’ ନିଜ ମାଟିରେ ଆସୁ। ଯେଉଁଠାରେ ମୋ’ ବାପା-ମା ଶୋଇଛନ୍ତି ଓ ଯେଉଁଠାରେ ତାଙ୍କ ରକ୍ତ ଝରିଥିଲା ବୋଲି ହସିନା କହିଛନ୍ତି।
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଆଜି ଏକ ବଡ଼ ଘୋଷଣା କରିଛନ୍ତି। ରୟଟର୍ସକୁ ଦେଇଥିବା ପ୍ରାୟ ଗୋଟିଏ ଘଣ୍ଟାର ଟେଲିଫୋନିକ ସାକ୍ଷାତକାରରେ ୭୮ ବର୍ଷୀୟ ହସିନା କହିଛନ୍ତି; ଡିସେମ୍ବରରେ ଭାରତରୁ ବାଂଲାଦେଶ ଫେରିବେ। ସେଠାକାର କୋର୍ଟରେ ଆତ୍ମସମର୍ପଣ କରିବେ। ମୋ’ ନିଜ ଜୀବନକୁ ବିପଦ ଅଛି। ତଥାପି ମୁଁ ନିଜ ଦେଶ ଫେରିବା ନିଷ୍ପତ୍ତି ବଦଳାଇବି ନାହିଁ। ମୋ’ ସହିତ ଆୱାମୀ ଲିଗ୍‌ର ଅନେକ ବରିଷ୍ଠ ନେତା ବାଂଲାଦେଶ ଫେରିବେ। ନ୍ୟାୟିକ ପ୍ରକ୍ରିୟାର ସାମନା କରିବେ।

୨୦୨୪ ମସିହାରେ ହୋଇଥିବା ହିଂସାତ୍ମକ ଛାତ୍ର ଆନ୍ଦୋଳନ ପରେ ଶେଖ ହସିନା ବାଂଲାଦେଶ ଛାଡ଼ି ଭାରତରେ ଆଶ୍ରୟ ନେଇଥିଲେ। ଏହା ପରେ ଅର୍ଥାତ ୨୦୨୫ ମସିହା ନଭେମ୍ବରରେ ବାଂଲାଦେଶର ଆନ୍ତର୍ଜାତିକ ଅପରାଧ ଟ୍ରିବ୍ୟୁନାଲ୍ (ଆଇସିଟି) ତାଙ୍କ ଅନୁପସ୍ଥିତିରେ ମୃତ୍ୟୁଦଣ୍ଡ ଶୁଣାଇଥିଲା। ତେବେ ହସିନା ଏହି ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରି ଆସୁଛନ୍ତି।

ଆସିଥିବା ଅଭିଯୋଗକୁ ନେଇ ହସିନା କହିଛନ୍ତି; ଯେତେବେଳେ ମୁଁ ଫେରିବି, ସେତେବେଳେ ସେମାନେ ମୋତେ ଗିରଫ କରିପାରନ୍ତି। ଏପରିକି ସେମାନେ ମୋର ହତ୍ୟା ମଧ୍ୟ କରିପାରନ୍ତି। କିନ୍ତୁ ତଥାପି ମୋତେ ଯିବାକୁ ପଡ଼ିବ। ମୋ’ ପାର୍ଟିର ନେତା ଓ କର୍ମୀମାନଙ୍କ ଉପରେ ଏବେ ବାଂଲାଦେଶରେ ଭୟାନକ ଅତ୍ୟାଚାର ଏବଂ ଦମନ କରାଯାଉଛି। ଯଦି ମୋତେ ମୃତ୍ୟୁ ଆସିବାକୁ ଥାଏ, ତେବେ ମୁଁ ଚାହେଁ ଯେ ତାହା ମୋ ନିଜ ମାଟିରେ ଆସୁ। ଯେଉଁଠାରେ ମୋ’ ବାପା-ମା ଶୋଇଛନ୍ତି ଏବଂ ଯେଉଁଠାରେ ତାଙ୍କ ରକ୍ତ ଝରିଥିଲା ବୋଲି ହସିନା କହିଛନ୍ତି।

Uttarakhand Govt.

ଶେଖ ହସିନାଙ୍କ ସହ ଫେରିବା ନେତାମାନଙ୍କ ତାଲିକାରେ ଦେଶର ପୂର୍ବତନ ଗୃହ ମନ୍ତ୍ରୀ ଆସାଦୁଜ୍ଜମାନ ଖାନ୍ କମାଲଙ୍କ ନାମ ମଧ୍ୟ ସାମିଲ ହୋଇପାରେ। ଯାହାଙ୍କୁ ବାଂଲାଦେଶ କୋର୍ଟ ମଧ୍ୟ ମୃତ୍ୟୁଦଣ୍ଡ ଶୁଣାଇଛି। ବାଂଲାଦେଶରେ ପ୍ରଥମେ ମୋହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାର ଓ ଏବେ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ନେତୃତ୍ୱ ଥିବା ବିଏନ୍‌ପି ସରକାର ଲଗାତାର ଭାରତଠାରୁ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ମାଗୁଛନ୍ତି।

ଭାରତର ଆଭିମୁଖ୍ୟ କ’ଣ?

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ ଭାରତ ବାଂଲାଦେଶର ପ୍ରତ୍ୟର୍ପଣ ଅନୁରୋଧର ସମୀକ୍ଷା କରୁଛି। ଏହି ସହିତ ନୂଆ ସରକାର ସହ ରଚନାତ୍ମକ ସମ୍ବାଦ ଜାରି ରଖିବା ଓ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବାର ଇଚ୍ଛା ମଧ୍ୟ ପ୍ରକାଶ କରିଛି।

ହସିନା କହିଛନ୍ତି; ଢାକା ସରକାର ଲଗାତାର ଭାରତକୁ ଚିଠି ପଠାଉଛି। କିନ୍ତୁ ସେ ପୁନଃ ଦୋହରାଇଛନ୍ତି, ମୋତେ କେହି ପଠାଇବାର ଆବଶ୍ୟକତା ନାହିଁ। ମୁଁ ନିଜେ ନିଜ ଦେଶ ଫେରିବି ବୋଲି ହସିନା କହିଛନ୍ତି।