ଲଜ୍ଜା : ନେତା ନାରେ କଳଙ୍କ, ମହିଳା ଡାକ୍ତରଙ୍କୁ ମାଡ ମାରି ନିର୍ଲଜତାର ଉଦାରଣ ଦେଲେ ଶିବ ସେନା କର୍ପୋରେଟର

ମାଡ଼ ମାରିବାର ଭିଡିଓ ଭାଇରାଲ୍ ହୋଇଥିଲେ ମଧ୍ୟ ରମେଶ ମ୍ହାତ୍ରେ ଡାକ୍ତରଙ୍କୁ ମାରିବା କଥାକୁ ମନା କରିଛନ୍ତି ଏବଂ କ୍ଷମା ମାଗିବାକୁ ମଧ୍ୟ ମନା କରିଦେଇଛନ୍ତି।

ମୁମ୍ବାଇ: କଲ୍ୟାଣ-ଡୋମ୍ବିଭଲିର ଏକ ହସ୍ପିଟାଲ୍‌ରେ ଶିବସେନା କର୍ପୋରେଟର ରମେଶ ମ୍ହାତ୍ରେ ଜଣେ ମହିଳା ଡାକ୍ତରଙ୍କ ସମେତ ଅନ୍ୟ ଡାକ୍ତରମାନଙ୍କୁ ମାଡ଼ ମାରୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ ପୂରା ମହାରାଷ୍ଟ୍ରରେ ପ୍ରବଳ ଜନଅସନ୍ତୋଷ ଦେଖାଦେଇଛି। ଜୁଲାଇ ୬ ତାରିଖରେ ଘଟିଥିବା ଏହି ଆଶ୍ଚର୍ଯ୍ୟଜନକ ଘଟଣାକୁ ଶାସକ ଦଳ ଶିବସେନା ଏବଂ ତାର ସହଯୋଗୀ ବିଜେପି ପକ୍ଷରୁ କଡ଼ା ନିନ୍ଦା କରାଯାଇଛି। ଏହା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନେତାମାନେ ପ୍ରତିଶ୍ରୁତି ଦେଇଛନ୍ତି।

ଭାଇରାଲ୍ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ରମେଶ ମ୍ହାତ୍ରେ ଜଣେ ମହିଳା ଡାକ୍ତରଙ୍କୁ ପଛପଟୁ ଆସି ମାଡ଼ ମାରୁଛନ୍ତି, ଯାହାଫଳରେ ତାଙ୍କ ହାତରୁ ଫୋନ୍‌ଟି ତଳେ ପଡ଼ିଯାଉଛି। ଏହାପରେ ମ୍ହାତ୍ରେ ଏବଂ ତାଙ୍କ ସମର୍ଥକମାନେ ହସ୍ପିଟାଲ୍‌ର ଅନ୍ୟ କର୍ମଚାରୀମାନଙ୍କୁ ମଧ୍ୟ ଆକ୍ରମଣ କରୁଛନ୍ତି। ଜଣେ ଗର୍ଭବତୀ ମହିଳାଙ୍କ ଚିକିତ୍ସାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ଏହି ମାଡ଼ପିଟ୍ ହୋଇଥିବା ଜଣାପଡ଼ିଛି। ତେବେ ଏନଡିଟିଭି (NDTV) ପକ୍ଷରୁ ଏବାବଦରେ ପଚରାଯିବାରୁ ମ୍ହାତ୍ରେ ଡାକ୍ତରଙ୍କୁ ମାରିଥିବା କଥାକୁ ମନା କରିଛନ୍ତି। ସେ କହିଛନ୍ତି ଯେ ସେ କେବଳ ଡାକ୍ତରଙ୍କ ହାତରୁ ଫୋନ୍‌ଟିକୁ ଛାଟିବାକୁ ଚେଷ୍ଟା କରୁଥିଲେ। ଏହି ଘଟଣା ପାଇଁ ସେ କ୍ଷମା ମାଗିବାକୁ ମଧ୍ୟ ମନା କରିଦେଇଛନ୍ତି।

ମହାରାଷ୍ଟ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଯୋଗେଶ କଦମ ଏହି ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇ କହିଛନ୍ତି, “ଡାକ୍ତରମାନଙ୍କୁ ମାଡ଼ ମାରିବା ସମ୍ପୂର୍ଣ୍ଣ ଭୁଲ୍। ଯଦି କାହାର କିଛି ସମସ୍ୟା ଥିଲା, ତେବେ ସେମାନେ ଆଇନକୁ ହାତକୁ ନନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ଉଚିତ୍ ଥିଲା।”

ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ତଥା ଶିବସେନା ସାଂସଦ ଶ୍ରୀକାନ୍ତ ସିନ୍ଦେ (ଯିଏ ନିଜେ ମଧ୍ୟ ଜଣେ ଡାକ୍ତର) ଏହି ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ଏଭଳି କାମ ଆଦୌ ଗ୍ରହଣୀୟ ନୁହେଁ। ଏହା ସହ ଖରାପ ପରିସ୍ଥିତିରେ ମଧ୍ୟ ରୋଗୀମାନଙ୍କ ସେବା କରୁଥିବାରୁ ସେ ହସ୍ପିଟାଲ୍ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରକାଶ ଆବିଟକର ଏବଂ ବିଜେପି ବିଧାୟକ ସୁଧୀର ମୁନଗଣ୍ଟିୱାର ମଧ୍ୟ ରମେଶ ମ୍ହାତ୍ରେଙ୍କୁ ସମାଲୋଚନା କରିଛନ୍ତି ଏବଂ ଡାକ୍ତରଙ୍କ ବିରୋଧରେ ହେଉଥିବା ହିଂସାକୁ ଆଦୌ ସହ୍ୟ କରାଯିବ ନାହିଁ ବୋଲି କହିଛନ୍ତି। ଏହି ଘଟଣାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ରହିଛି ଏବଂ ଉକ୍ତ କର୍ପୋରେଟରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।