fbpx

ଶିବସେନାର ହିନ୍ଦୁତ୍ଵ କେବଳ କାଗଜରେ ସୀମିତ, ଉଦ୍ଧବଙ୍କୁ ଫଡଣବିସଙ୍କ ଟାର୍ଗେଟ୍

ମୁମ୍ବାଇ: ଶିବସେନାର ହିନ୍ଦୁତ୍ଵ କେବଳ କାଗଜରେ ସୀମିତ। ସେମାନଙ୍କର କାମ ମଧ୍ୟ ଭାଷଣ ବାହାରକୁ ଆଉ ଆସୁନାହିଁ। ଏମିତି ଶାଣିତ ଭାଷାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ୍ କରିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ। ଉଦ୍ଧବଙ୍କ ଟିପ୍ପଣୀର ଗୋଟିଏ ଦିନ ପରେ ବିଜେପି ନେତା ଫଡଣବିସ ନିଜ ବୟାନରେ ଏହା କହିଛନ୍ତି।
ଉଦ୍ଧବ ଠାକରେ ରବିବାର କହିଥିଲେ ଯେ, ବିଜେପି ସହିତ ରହି ଶିବସେନା ନିଜର ୨୫ ବର୍ଷ ସମୟ ବରବାଦ କରି ଦେଇଛି। ମୋର କେବଳ ଗୋଟିଏ ଦୁଃଖ ଦିନେ ଆମେ ବିଜେପିର ବନ୍ଧୁ ଥିଲୁ। ଏବେ ଏହା ଅତୀତ ହୋଇ ଯାଇଛି।

ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ରବିବାର ବିଜେପି ଉପରେ ରାଜନୀତିରେ ନିଜର ସୁବିଧା ଅନୁସାରେ ହିନ୍ଦୁତ୍ଵର ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି। ବିଜେପି ନେତୃତ୍ଵାଧୀନ ଏନଡିଏ ମେଣ୍ଟ ଅକାମୀ ହୋଇ ଗଲାଣି। କାରଣ ଅକାଳୀ ଏବଂ ଶିବସେନା ପରି ପୁରୁଣା ସହଯୋଗୀ ବାହାରି ଯାଇଛନ୍ତି। ପାର୍ଟିର ସଂସ୍ଥାପକ ତଥା ନିଜ ପିତା ବାଲ ଠାକରେଙ୍କ ୯୬ତମ ଜୟନ୍ତୀ ଉପଲକ୍ଷେ ଶିବ ସୈନିକଙ୍କୁ ଡିଜିଟାଲ୍ ଜରିଆରେ ସମ୍ବୋଧିତ କରି ଉଦ୍ଧବ କହିଥିଲେ, ଶିବସେନା କ୍ଷମତା ମାଧ୍ୟମରେ ହିନ୍ଦୁତ୍ଵ ଏଜେଣ୍ଡାକୁ ଆଗକୁ ନେଇ ଯିବା ପାଇଁ ବିଜେପି ସହିତ ହାତ ମିଳାଇଥିଲେ। ଶିବସେନା ବିଜେପି ସହିତ ମେଣ୍ଟ କରିଥିଲା, କାରଣ ବିଜେପି ହିନ୍ଦୁତ୍ଵ ପାଇଁ କ୍ଷମତା ଚାହୁଁଥିଲା। କିନ୍ତୁ ଶିବସେନା କ୍ଷମତା ପାଇଁ କେବେ ହିନ୍ଦୁତ୍ଵର ବ୍ୟବହାର କରି ନାହିଁ।

ଫଡଣବିସ ସୋମବାର ପ୍ରତିକ୍ରିୟା ଦେଇ କହିଛନ୍ତି, ରାମ ଜନ୍ମଭୂମି ଆନ୍ଦୋଳନରେ ଶିବସେନା ପକ୍ଷରୁ କିଏ ଭାଗ ନେଇଥିଲା ? ଆମେ ଆନ୍ଦୋଳନରେ ଗୁଳି ଏବଂ ଲାଠି ଖାଇଥିଲୁ। ଶିବସେନାର ହିନ୍ଦୁତ୍ଵ କେବଳ କାଗଜରେ ସୀମିତ। ମୋଦୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସୁନିଶ୍ଚିତ କରିଛନ୍ତି, ମାତ୍ର ଶିବସେନା ମହାରାଷ୍ଟ୍ରର କଲ୍ୟାଣରେ ଦୁର୍ଗାଡି ମନ୍ଦିର ପ୍ରସଙ୍ଗରେ ସମାଧାନ କରି ପାରିନାହିଁ। ଭାଷଣ ବାହାରେ ଶିବସେନାର ହିନ୍ଦୁତ୍ଵ କାହିଁକି। ଆପଣଙ୍କୁ ହିନ୍ଦୁତ୍ଵରେ ଜିଇଁବାର ଆବଶ୍ୟକତା ରହିଛି। କେବଳ ଭାଷଣରେ ସୀମିତ ରୁହନ୍ତୁ ନାହିଁ ବୋଲି ଫଡଣବିସ କହିଛନ୍ତି।

Get real time updates directly on you device, subscribe now.