ସାନିଆଙ୍କ ପରେ ଆଉ ଏକ ବିବାହ? ଶୋଏବ ମଲିକଙ୍କୁ ନେଇ ଆସିଲା ନୂଆ ଖବର

ଶୋଏବ ମଲିକ ଓ ୱନିଜା ସତ୍ତାରଙ୍କ ବିବାହକୁ ନେଇ ଏହା ପ୍ରଥମ ଥର ଚର୍ଚ୍ଚା ହେଉନାହିଁ। ଚଳିତ ବର୍ଷ ଫେବୃଆରୀରେ ମଧ୍ୟ ଉଭୟ ଗୁପ୍ତରେ ବିବାହ କରିଥିବା ନେଇ ସୋସିଆଲ ମିଡିଆରେ ଖବର ପ୍ରସାରିତ ହୋଇଥିଲା।

ନୂଆଦିଲ୍ଲୀ: ହାତକୁ ଦି’ ହାତ ହେବେ ସାନିଆ ମୀର୍ଜାଙ୍କ ପୂର୍ବତନ ସ୍ୱାମୀ ତଥା ପାକିସ୍ତାନ କ୍ରିକେଟର ଶୋଏବ ମଲିକ! ସେ ଅଭିନେତ୍ରୀ ୱନିଜା ସତ୍ତାରଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହା ତାଙ୍କର ଚତୁର୍ଥ ବିବାହ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଏପରିକି ଅକ୍ଟୋବର ୨ ତାରିଖରେ ଉଭୟ ବିବାହ କରିବେ ବୋଲି କିଛି ରିପୋର୍ଟରେ ଦାବି କରାଯାଉଛି।

ଶୋଏବ ମଲିକ ଓ ୱନିଜା ସତ୍ତାରଙ୍କ ବିବାହକୁ ନେଇ ଏହା ପ୍ରଥମ ଥର ଚର୍ଚ୍ଚା ହେଉନାହିଁ। ଚଳିତ ବର୍ଷ ଫେବୃଆରୀରେ ମଧ୍ୟ ଉଭୟ ଗୁପ୍ତରେ ବିବାହ କରିଥିବା ନେଇ ସୋସିଆଲ ମିଡିଆରେ ଖବର ପ୍ରସାରିତ ହୋଇଥିଲା। ଏପରିକି ବିବାହର ଫଟୋ ସାମ୍ନାକୁ ଆସିଥିବା ନେଇ ମଧ୍ୟ କେତେକ ୟୁଜର୍ସ ଦାବି କରିଥିଲେ। ହେଲେ ଏହି ଖବରକୁ ନେଇ ଶୋଏବ ମଲିକ ୨୦୨୬ ଫେବୃଆରୀ ୨୮ ତାରିଖରେ ସ୍ପଷ୍ଟୀକରଣ ଦେଇଥିଲେ।

ଶୋଏବ ଏହି ବିବାହ ଖବରକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ମନଗଢ଼ା ବୋଲି କହିବା ସହ ଭୁଲ୍ ଖବର ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ଚେତାବନୀ ଦେଇଥିଲେ। ଏପରିକି ସେ ୱନିଜା ସତ୍ତାରଙ୍କୁ କେବେ ଦେଖି ନାହାନ୍ତି କିମ୍ବା ତାଙ୍କ ସହ କୌଣସି କଥାବାର୍ତ୍ତା କରିନାହାନ୍ତି ବୋଲି ସ୍ପଷ୍ଟ କରିଥିଲେ।

ଅନ୍ୟପଟେ ୱନିଜା ମଧ୍ୟ ଏକ ଟିଭି ଶୋ’ରେ ଏହି ଗୁଜବକୁ ଖଣ୍ଡନ କରିଥିଲେ। ଶୋଏବ ମଲିକଙ୍କୁ ସେ ବାସ୍ତବ ଜୀବନରେ କେବେ ଦେଖିନାହାନ୍ତି ବୋଲି କହିବା ସହ ଏଭଳି ଖବର କେଉଁଠୁ ଆସିଲା, ତାହା ଜାଣିନଥିବା କହିଥିଲେ। ଏହି ଖବରକୁ ସେ ଭିତ୍ତିହୀନ ଓ ମନଗଢ଼ା ବୋଲି କହିଥିଲେ।

ସୂଚନାଯୋଗ୍ୟ, ଶୋଏବ ମଲିକଙ୍କ ପ୍ରଥମ ବିବାହ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜାଙ୍କ ସହ ହୋଇଥିଲା। ୨୦୨୪ ମସିହାରେ ସେ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ବିବାହ କରିଥିଲେ। ଶୋଏବଙ୍କ ପକ୍ଷରୁ ଦିଆଯାଇଥିବା ବୟାନ ଅନୁସାରେ, ତାଙ୍କର ଏଯାଏଁ କେବଳ ଦୁଇଟି ବିବାହ ହୋଇଛି। ତେଣୁ ୱନିଜାଙ୍କ ସହ ଚତୁର୍ଥ ବିବାହ ନେଇ ଚାଲିଥିବା ଚର୍ଚ୍ଚାକୁ ଉଭୟ ପୂର୍ବରୁ ଖଣ୍ଡନ କରିସାରିଛନ୍ତି।