fbpx

ପଲିଗ୍ରାଫ ପୂରା ମାତ୍ର ଶ୍ରଦ୍ଧା ହତ୍ୟାକାଣ୍ଡର ସତ ଏବେ ବି ଅଧୁରା ! ଗୁରୁବାର ଅଫତାବର ହେବ ନାର୍କୋ ଟେଷ୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲା ଏବେ ବି ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଲିଭ୍ ଇନ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଶବକୁ ୩୫ ଖଣ୍ଡ କରିଥିବା ଅଭିଯୁକ୍ତ ଅଫତାବ ପୁନାଓ୍ଵାଲାର ପଲିଗ୍ରାଫି ଟେଷ୍ଟ ପୂରା ହୋଇ ସାରିଛି। ତଥାପି ହତ୍ୟାର ରହସ୍ୟ ଉପରୁ ଏବେ ବି ପରଦା ହଟି ପାରିନି। ଏବେ ପୋଲିସର ସମସ୍ତ ଆଶା ନାର୍କୋ ଟେଷ୍ଟ ଉପରେ ରହିଛି। ଦିଲ୍ଲୀର ଅଦାଲତ ରୋହିଣୀ ସ୍ଥିତ ବିଧି ବିଜ୍ଞାନ ପ୍ରୟୋଗଶାଳାରେ ଅଫତାବ ଅମିନ୍ ପୁନାଓ୍ଵାଲାଙ୍କ ନାର୍କୋ ଯାଞ୍ଚ କରାଇବାକୁ ମଙ୍ଗଳବାର ଅନୁମତି ଦେଇଥିଲେ। ଏବେ ଡିସେମ୍ବର ୧ରେ ଅଭିଯୁକ୍ତ ଅଫତାବର ନାର୍କୋ ଟେଷ୍ଟ କରାଯିବ।

ସୂଚନା ଅନୁଯାୟୀ, ଅଫତାବ ପୁନାଓ୍ଵାଲାର ଓକିଲ ଅବିନାଶ କୁମାର କହିଛନ୍ତି ଯେ, ପୋଲିସ ଅଭିଯୁକ୍ତଙ୍କୁ ଡିସେମ୍ବର ୧ ଏବଂ ଡିସେମ୍ବର ୫ରେ ରୋହିଣୀ ସ୍ଥିତ ପ୍ରୟୋଗଶାଳା ବା ଲ୍ୟାବ୍ ନେବା ପାଇଁ କୋର୍ଟରେ ଅନୁରୋଧ କରିଥିଲେ, ଯାହାକୁ ଅଦାଲତ ମଞ୍ଜୁରୀ ଦେଇଛନ୍ତି। ପୋଲିସ ସୂଚନା ଅନୁଯାୟୀ, ଏଫଏସଏଲର ବିଶେଷଜ୍ଞଙ୍କ ଏକ ଦଳ ରୋହିଣୀ ସ୍ଥିତ ବାବା ସାହେବ ଆମ୍ବେଦକର ହସ୍ପିଟାଲରେ ଅଫତାବର ନାର୍କୋ ଟେଷ୍ଟ କରାଯିବ। ଅଫତାବ ପଲିଗ୍ରାଫ ଟେଷ୍ଟରେ କଣ କଣ କହିଛି ତାର ଖୁଲାସା ହୋଇ ପାରି ନାହିଁ। ଏବେ ନାର୍କୋ ଟେଷ୍ଟ ଉପରେ ସଭିଙ୍କ ନଜର। ଆଶା କରାଯାଉଛି ଏହି ଟେଷ୍ଟରେ ହତ୍ୟାକାଣ୍ଡର ସତ ସାମ୍ନାକୁ ଆସି ପାରିବ।

ଏହା ପୂର୍ବରୁ ଅଫତାବ ପୁନାଓ୍ଵାଲାକୁ ନେଇ ଏକ ପୋଲିସ ଭ୍ୟାନ ସୋମବାର ଏଫଏସଏଲ ବାହାରେ ଯାଉଥିବା ବେଳେ କିଛି ବ୍ୟକ୍ତି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ନାର୍କୋ ଟେଷ୍ଟ ଲ୍ୟାବ୍ ନିକଟରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆକ୍ରମଣ ଉଦ୍ୟମର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ପୋଲିସ କର୍ମଚାରୀ ଆକ୍ରମଣକାରୀଙ୍କୁ ଚେତାବନୀ ଦେବା ପାଇଁ ନିଜ ପିସ୍ତଲ କାଢୁଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ପୋଲିସ ପୁନାଓ୍ଵାଲାକୁ ନଭେମ୍ବର ୧୨ରେ  ଗିରଫ କରିଥିଲା। ଏହା ପରେ ପାଞ୍ଚ ଦିନିଆ ରିମାଣ୍ଡରେ ନେଇଥିଲା ପୋଲିସ। ପୁଣି ଅଦାଲତ ପୁନାଓ୍ଵାଲାର ହାଜତ ମିଆଦକୁ ୨୨ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଅଦାଲତ ପୁଣି ଥରେ ନଭେମ୍ବର ୨୨ରେ ଅଫତାବର ହାଜତ ମିଆଦ ଅବଧିକୁ ଚାରି ଦିନ ପାଇଁ ବଢାଇଥିଲେ। ଏହା ପରେ ନଭେମ୍ବର ୨୬ରେ ଅଭିଯୁକ୍ତକୁ ୧୩ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Get real time updates directly on you device, subscribe now.