ପୁରା ଶ୍ରୀଲଙ୍କା ଟେଷ୍ଟ ସିରିଜରୁ ବିଦା ହେଲେ କି ଗିଲ୍, BCCI ଦେଲା ବଡ଼ ଅପଡେଟ୍, ଜାଣନ୍ତୁ..
ୱର୍ମଅପ୍ ମ୍ୟାଚରୁ ଶୁଭମନ ଗିଲ ବାଦ, ଆହତ କ୍ୟାପ୍ଟେନଙ୍କ ସ୍ଥାନରେ କେଏଲ୍ ରାହୁଲ ସମ୍ଭାଳିଲେ ଦାୟିତ୍ୱ
ଓଡ଼ିଶା ଭାସ୍କର ଡେସ୍କ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅଗଷ୍ଟ ୧୫ରୁ ଦୁଇଟିକିଆ ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଭାରତୀୟ ଦଳ ଅଗଷ୍ଟ ୭ରୁ ଶ୍ରୀଲଙ୍କା XI ବିପକ୍ଷରେ ୩ ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳୁଛି। ତେବେ ମ୍ୟାଚ୍ର ପ୍ରଥମ ଦିନରେ ଅଧିନାୟକ ଶୁବମନ୍ ଗିଲଙ୍କ ସ୍ଥାନରେ କେଏଲ୍ ରାହୁଲ କପ୍ତାନ ଭାବେ ପଡ଼ିଆକୁ ଓହ୍ଲାଇଥିଲେ। ରାହୁଲ ଟସ୍ ଭାଗ ନେବା ସହ ଅନ୍ୟାନ୍ୟ ଦାୟିତ୍ୱ ତୁଲାଉଛନ୍ତି। ଏହି ସିରିଜ୍ ପାଇଁ ରାହୁଲଙ୍କୁ ଦଳର ଉପ-ଅଧିନାୟକ କରାଯାଇଛି।
ଅଭ୍ୟାସ ମ୍ୟାଚ୍ର ପ୍ରଥମ ଦିନରେ ଗିଲ୍ ପଡ଼ିଆକୁ ନଓହ୍ଲାଇବା ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଗତ ଅଗଷ୍ଟ ୬ ତାରିଖରେ ଅଭ୍ୟାସ ସମୟରେ ଗିଲଙ୍କ ଡାହାଣ ହାତର ଅନାମିକା ଆଙ୍ଗୁଳିରେ ଆଘାତ ଲାଗିଥିଲା, ଯେଉଁଥିପାଇଁ ସେ ପ୍ରଥମ ଦିନ ଖେଳିପାରି ନାହାନ୍ତି।
ଗିଲଙ୍କ ଆଘାତ ନେଇ BCCI ର ଅପଡେଟ୍: ବୋର୍ଡ ପକ୍ଷରୁ କୁହାଯାଇଛି, “ଗୁରୁବାର ଭାରତର ଅଭ୍ୟାସ ସେସନ୍ ସମୟରେ ଅଧିନାୟକ ଶୁବମନ୍ ଗିଲଙ୍କ ଡାହାଣ ହାତ ଅନାମିକାରେ ଆଘାତ ଲାଗିଥିଲା। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସେ SLC XI ବିପକ୍ଷ ଅଭ୍ୟାସ ମ୍ୟାଚ୍ର ପ୍ରଥମ ଦିନରେ ପଡ଼ିଆକୁ ଓହ୍ଲାଇ ନାହାନ୍ତି। BCCI ର ମେଡିକାଲ୍ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ କଡ଼ା ନଜର ରଖିଛନ୍ତି।”
ସତର୍କତା ଦୃଷ୍ଟିରୁ ଗିଲଙ୍କୁ ପ୍ରଥମ ଦିନ ପଡ଼ିଆରୁ ଦୂରେଇ ରଖାଯାଇଥିଲେ ହେଁ, ତାଙ୍କ ଆଘାତ କେତେ ଗମ୍ଭୀର ସେ ନେଇ ବୋର୍ଡ ସ୍ପଷ୍ଟ କରିନାହିଁ। ସେ ଅଭ୍ୟାସ ମ୍ୟାଚ୍ର ବାକି ଦିନଗୁଡ଼ିକରେ ଖେଳିବେ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଯଦି ସେ ବାକି ଦିନଗୁଡ଼ିକରେ ବି ନଖେଳନ୍ତି, ତେବେ ଟେଷ୍ଟ ସିରିଜ୍ରେ ତାଙ୍କ ଖେଳିବା ନେଇ ଆଶଙ୍କା ଦେଖାଦେଇପାରେ।
ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ: ଶୁବମନ୍ ଗିଲ୍ (ଅଧିନାୟକ), ଯଶସ୍ୱୀ ଜାଇସ୍ୱାଲ୍, ଦେବଦତ୍ତ ପାଡିକଲ୍, କେଏଲ୍ ରାହୁଲ, ରିଷଭ ପନ୍ତ (ୱିକେଟକିପର), ରବୀନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ, କୁଲଦୀପ ଯାଦବ, ସାରାଂଶ ଜୈନ, ଆକିବ ନବୀ, ମାନବ ସୁଥାର, ଗୁରନୁର ବ୍ରାର।


