fbpx

ଏହା କାପୁରୁଷତାର ଲକ୍ଷଣ … କ୍ୟାପଟେନ୍ ଅମରିନ୍ଦର ସିଂହଙ୍କୁ ସିଧୁଙ୍କ ଟାର୍ଗେଟ୍‌, କାହିଁକି ନିଜ ପାର୍ଟିକୁ ଘେରିଲେ ପୂର୍ବତନ କ୍ରିକେଟର

ଚଣ୍ଡିଗଡ ୧୬ ।୦୫: ପଞ୍ଜାବରେ କଂଗ୍ରେସ ସରକାରରେ ଥାଇ ମଧ୍ୟ ଦଳୀୟ କନ୍ଦଳ ଥମିବାର ନାଁ ନେଉନାହିଁ । କନ୍ଦଳ ପୁଣି ଦଳୀୟ କାର୍ଯ୍ୟକର୍ତାଙ୍କ ମଧ୍ୟରେ ନୁହେଁ ବରଂ ରାଜ୍ୟର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ବରିଷ୍ଠ ନେତା ନବଜୋତ ସିଂହ ସିଧୁୁଙ୍କ ମଧ୍ୟରେ ରହିଛି । କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ଶାଣିତ ସ୍ୱରରେ ସମାଲୋଚନା କରିବାକୁ ସିଧୁ କୌଣସି ସୁଯୋଗ ହାତଛଡା କରୁ ନାହାନ୍ତି । ଗତ କିଛି ଦିନ ହେବ ସେ କ୍ରମାଗତ ପଞ୍ଜାବର ମୁଖିଆଙ୍କ ନୀତି ଏବଂ ନିର୍ଣ୍ଣୟକୁ ସମାଲୋଚନା କରି ଆସିଛନ୍ତି । ସିଧୁ ୨୦୧୫ରେ ଗୁରୁ ଗ୍ରନ୍ଥ ସାହିବର ବେଅବଦି ଘଟଣା ଓ ପୋଲିସ ଗୁଳିରେ ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ରବିବାର ଅମରିନ୍ଦରଙ୍କୁ ଟାର୍ଗେଟ୍ କରିଛନ୍ତି ।

ନବଜୋତ ସିଂହ ସିଧୁ ମାମଲାରେ ପୀଡିତାଙ୍କ ପ୍ରତି ନ୍ୟାୟ ସୁନିଶ୍ଚିତ କରିବାରେ ମୁଖ୍ୟମନ୍ତ୍ରୀଙ୍କ ବିଫଳତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ସେ କହିଛନ୍ତି, ନ୍ୟାୟ ଦେବାରେ ବିଫଳ ହେବା ଏକ କାପୁରୁଷତାର ଆଭାସ୍ ।

୨୦୧୫ରେ ଏକ ଧାର୍ମିକ ପୀଠର ଅପମାନ ଓ ପୋଲିସ ଫାୟରିଂ ଘଟଣାରେ ପୀଡିତାଙ୍କୁ ନ୍ୟାୟ ଦେବାରେ ବିଳମ୍ବକୁ ନେଇ କ୍ରିକେଟରରୁ ରାଜନେତା ହୋଇଥିବା ସିଧୁ ସାମାଜିକ ଗଣମାଧ୍ୟମରେ ବାରମ୍ବାର ଅମରିନ୍ଦର ସିଂହଙ୍କ ଉପରେ ନିଶାଣ କରି ଚାଲିଛନ୍ତି । ସିଦ୍ଧୁ ଟ୍ୱିଟ୍ କରିଛନ୍ତି ଯେ, ପଞ୍ଜାବ ପୋଲିସ ଦ୍ୱାରା ପ୍ରତିଦିନ ହଜାର ସଂଖ୍ୟକ ମାମଲାର ସମାଧାନ ହେଉଛି । କାହାରିକୁ ମଧ୍ୟ ଏସଆଇଟି କିମ୍ବା ତଦନ୍ତ ଆୟୋଗର ଆବଶ୍ୟକତା ପଡିନାହିଁ । କିନ୍ତୁ ମୁଁ ଅନେକ ଥର ବେଅବଦି, ବହଲ କଲାନ ଓ କୋଟକପୁରା ଫାୟରିଂ ଘଟଣାର ପ୍ରଚ୍ଛଦ ପଟର ଭୂମିକାକୁ ବିସ୍ତାର ଭାବେ ଜଣାଇ ଆସିଛି । ତଥାପି ଉକ୍ତ ଘଟଣାରେ ନ୍ୟାୟ ନକରି ପାରିବା କାପୁରୁଷତାର ଆଭାସ୍ ବୋଲି ସିଧୁ କ୍ଷୋଭ ପ୍ରକାଶ କରି କହିଛନ୍ତି ।

ପଞ୍ଜାବ ଓ ହରିୟାଣା ଉଚ୍ଚ ନ୍ୟାୟାଳୟ ଗତ ମାସରେ ୨୦୧୫ କୋଟକପୁରା ଗୁଳିମାଡ ମାମଲାର ତଦନ୍ତ ରିପୋର୍ଟକୁ ରଦ୍ଦ କରିବା ପରଠୁ ସିଧୁ ମୁଖ୍ୟମନ୍ତ୍ରୀଙ୍କୁ ଲଗାତାର ଟାର୍ଗେଟ୍ କରି ଆସିଛନ୍ତି । ରାଜ୍ୟ ସରକାର ୨୦୧୫ରେ ଉକ୍ତ ଘଟଣାର ତଦନ୍ତ ପାଇଁ ଏକ ନୂତନ ସ୍ୱତନ୍ତ୍ର କମିଟି ଗଠନ କରିଥିଲେ । କିନ୍ତୁ ହାଇକୋର୍ଟ ତଦନ୍ତ ରିପୋର୍ଟକୁ ଆଧାରହୀନ ଦର୍ଶାଇ ରଦ୍ଦ କରିଥିଲେ ।

 

Get real time updates directly on you device, subscribe now.