fbpx

ପ୍ରେମିକ ସହ ମିଶି ସାନ ଭାଇକୁ ମାରି ଅଗଣାରେ ପୋତିଥିଲା ଭଉଣୀ, ଦେଢ଼ମାସ ପରେ ମିଳିଲା ଶବ

ରାଞ୍ଚି: ରାମଗଡ ଜିଲ୍ଲାର ପତରାତୁରେ ଦେଢ଼ ମାସ ତଳର ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଏହି ଗ୍ରାମରେ ରହୁଥିବା ଜଣେ ଯୁବତୀ ତାଙ୍କ ୨୧ ବର୍ଷର ସାନ ଭାଇକୁ ହତ୍ୟା କରି ମୃତଦେହକୁ ସେ ରହୁଥିବା ଘର ଅଗଣାରେ ପୋତି ଦେଇଥିଲେ। ଯୁବତୀ ଜଣକ ଏକ ସରକାରୀ କ୍ୱାର୍ଟରରେ ଏକାକୀ ରହୁଥିଲେ ଯାହାଫଳରେ ଘଟଣା ବିଷୟରେ କେହି ଅବଗତ ହୋଇପାରି ନଥିଲେ | ହତ୍ୟା ମାମଲାରେ ଅଭିଯୁକ୍ତ ଚଞ୍ଚଳା କୁମାରୀଙ୍କୁ ପୋଲିସ ଗିରଫ କରିବା ସହିତ ତାଙ୍କ ଭାଇର ମୃତଦେହକୁ କ୍ୱାର୍ଟର ସାମ୍ନାରେ ଥିବା ଅଗଣାରୁ ବାହାର ଜବତ କରାଯାଇଛି।

ସୂଚନା ଅନୁଯାୟୀ, ରାଞ୍ଚିର ବିଦ୍ୟୁତ୍ ନିଗମରେ କାର୍ଯ୍ୟ କରୁଥିବା ନରେଶ ମେହେତାଙ୍କ ୨୧ ବର୍ଷର ପୁଅ ରୋହିତ ମେହେତା ହଠାତ କେଉଁଆଡ଼େ ନିଖୋଜ ହୋଇଯାଇଥିଲା। ତାଙ୍କ ନିଖୋଜ ସଂପର୍କରେ ପରିବାର ଲୋକ ରାଞ୍ଚିରେ ଥିବା ଚୁଟିଆ ପୋଲିସ ଷ୍ଟେସନରେ ଅଭଯୋଗ କରିବା ପରେ ପୋଲିସ ନିଖୋଜ ମାମଲାରେ ଏକ ଏଫ୍ଆଇଆର୍ ରୁଜୁ କରିଥିଲା। ନିଖୋଜ ରୋହିତଙ୍କ ମୋବାଇଲର ଶେଷ ଲୋକେସନ ଆଧାରରେ ପୋଲିସ ନିଜର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା। ପୋଲିସର ଅନୁସନ୍ଧାନରେ ରୋହିତଙ୍କ ଶେଷ ଲୋକେଶନ ପତରାତୁ ବୋଲି ଜଣାପଡିଥିଲା। ତେବେ ପୋଲିସ ପରିବାର ଲୋକଙ୍କୁ ଅଧିକ ପଚରାଉଚରା କରିବା ପରେ ଏଠାରେ ରୋହିତଙ୍କ ଭଉଣୀ ଚଞ୍ଚଲା କୁମାରୀ ପତରାତୁରେ ଏକ ସରକାରୀ କ୍ୱାର୍ଟରରେ ଏକାକୀ ରହୁଥିବା ଜାଣିବାକୁ ପାଇଥିଲା |

ତେବେ ଘଟଣାରେ ପୋଲିସ ଚଞ୍ଚଲାଙ୍କ ଉପରେ ସନ୍ଦେହ କରିବା ସହିତ, ତାଙ୍କୁ କଠୋର ଭାବରେ ପଚରାଉଚରା କରିଥିଲା । ଏବଂ ଶେଷରେ ସେ ତାଙ୍କ ଭାଇଙ୍କୁ ହତ୍ୟା କରି, ମୃତଦେହକୁ କ୍ୱାର୍ଟର ସାମ୍ନାରେ ପୋତି ଦେଇଥିବା କଥାକୁ ପୋଲିସ ଆଗରେ କହିଥିଲେ। ସେ କହିଛନ୍ତି ଯେ, ଜୁନ୍ ୩୦ରେ ସେ ତାଙ୍କ ଭାଇ ରୋହିତଙ୍କୁ ଫୋନ କରି ନିଜ ଘରକୁ ଡାକିଥିଲେ। ଏବଂ ଘରକୁ ଆସିବା ପରେ ସେ ତାଙ୍କୁ ହତ୍ୟା କରି ଅଗଣାରେ ପୋତିଦେଇଥିଲେ |ଘଟଣାରେ ଚଞ୍ଚଳାଙ୍କ ସମ୍ପର୍କୀୟମାନେ କହିଛନ୍ତି ଯେ, ପଡୋଶୀ ଗାଁର ଜଣେ ମୁସଲମାନ ଯୁବକ ସହିତ ଯୁବତୀଙ୍କ ସମ୍ପର୍କ ରହିଥିଲା। ଏଥିରେ ତାଙ୍କ ଭାଇ ମଝିରେ ବାଧା ସୃଷ୍ଟି କରୁଥିଲେ। ପ୍ରାଥମିକ ପଚରାଉଚରା ବେଳେ ପୋଲିସ ଜାଣିବାକୁ ପାଇଛି ଯେ ମୃତକଙ୍କ ବଡ଼ ଭଉଣୀ ତାଙ୍କ ପ୍ରେମିକଙ୍କ ସହ ମିଶି ତାଙ୍କୁ ହତ୍ୟା କରି ମୃତଦେହକୁ ଘର ଅଗଣାରେ ପୋତି ଦେଇଛି। ଘଟଣାରେ ଅଭିଯୁକ୍ତ ମହିଳାଙ୍କୁ ଅଧିକ ପଚରାଉଚରା ଚାଲିଛି ।

ଅନ୍ୟପକ୍ଷେ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନିଖୋଜ ଯୁବକଙ୍କ ମୃତଦେହ ବିହାରକୁ କଢ଼ା ଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବହୁ ସଂଖ୍ୟାରେ ଲୋକ ଘଟଣା ସ୍ଥଳରେ ଏକତ୍ରିତ ହୋଇଥିଲେ। ହତ୍ୟା ହୋଇଥିବା ଯୁବକଙ୍କ ସମ୍ପର୍କୀୟମାନେ ମଧ୍ୟ ରାଞ୍ଚିରୁ ସେଠାରେ ପହଞ୍ଚିଛନ୍ତି। ଏହି ହତ୍ୟାକାଣ୍ଡରେ ଆଉ କିଛି ଲୋକଙ୍କ ସମ୍ପୃକ୍ତି ଥାଇପାରେ ବୋଲି ପରିବାର ଏବଂ ପୋଲିସ ସନ୍ଦେହ କରୁଛି।

Get real time updates directly on you device, subscribe now.