fbpx

ଦୁର୍ଲ୍ଲଭ ECMO ମେସିନ୍ ପାଖରେ ବନ୍ଧା ପଡ଼ିଛି ଓଡ଼ିଶାବାସୀଙ୍କ ଜୀବନ: ଏୟାରଲିଫ୍ଟରେ ରାଜ୍ୟ ବାହାରକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି ଗୁରୁତର କରୋନା ରୋଗୀ, କେବେ ହେବ ଦୂର ଏହି ସମସ୍ୟା

ଭୁବନେଶ୍ୱର, (ଓଡିଶା ଭାସ୍କର): କରୋନା ରୋଗୀଙ୍କ ପାଇଁ କାଳ ସାଜିଛି ଏକଷ୍ଟ୍ରା କର୍ପୋରିୟଲ ମେମ୍ବ୍ରେନ୍ ଅକ୍ସିଜେନେସନ (ଇସିଏମଓ) ମେସିନ୍ । ଇସିଏମଓ ମେସିନ୍ ଅଭାବରୁ ଗୁରୁତର କରୋନା ରୋଗୀମାନେ ରାଜ୍ୟ ବାହାରକୁ ଏୟାରଲିଫ୍ଟରେ ଯିବାକୁ ବାଧ୍ୟ ହେଉଛନ୍ତି । ଏହି କାରଣରୁ କିଛି ଦିନ ପୂର୍ବରୁ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁତ୍ରଙ୍କର ମୃତ୍ୟୁ ଘଟିଥିଲା । ପୁଅର ଜୀବନ ବଞ୍ଚାଇବା ପାଇଁ ନବୀନ ଆକୁଳ ନିବେଦନ କରିଥିଲେ ମଧ୍ୟ ଏହି ମେସିନ୍ ଅଭାବରୁ ତାଙ୍କ ପୁଅ ମୃତ୍ୟୁବରଣ କରିଥିଲେ । ସେହିପରି ବ୍ରହ୍ମପୁରର ଅମ୍ରିତ ପ୍ରଧାନ ନାମକ ଜଣେ ଯୁବକ ମୋଟା ଅଙ୍କର ଟଙ୍କା ଯୋଗାଡ଼ କରି ଏୟାରଲିଫ୍ଟରେ ଚେନ୍ନାଇ ଯାଇଛନ୍ତି । ଭଞ୍ଜନଗରର ରମେଶ ସାହୁ ନାମକ ଜଣେ ଯୁବକ ଘରଦ୍ୱାର, ଜମିବାଡ଼ି ବିକ୍ରି କରି ୫୦ ଲକ୍ଷ ଟଙ୍କା ଯୋଗାଡ଼ କରି କଲିକତା ଯାଇଛନ୍ତି । ତେବେ ଏହା ପଛରେ ପ୍ରଶ୍ନ ଉଠିଛି କ’ଣ ଏହି ଇସିଏମଓ ମେସିନ୍? କ’ଣ ରହିଛି ଏହି ମେସିନର ଅ।ବଶ୍ୟକତା? ଆସନ୍ତୁ ଜାଣିବା ସେ ବିଷୟରେ ।

ରୋଗୀଙ୍କ ହୃତପିଣ୍ଡ ଓ ଫୁସଫୁସ୍ ଅକାମି ହେଲେ ଇସିଏମଓ ମେସିନର ଆବଶ୍ୟକତା ପଡ଼ିଥାଏ । ଯେତେବେଳେ ହୃତପିଣ୍ଡ ଶରୀରକୁ ପର୍ଯ୍ୟାପ୍ତ ମାତ୍ରାରେ ରକ୍ତ ଯୋଗାଣରେ ବିଫଳ ହୁଏ, ସେତେବେଳେ ଏହି ମେସିନର ଦରକାର ହୋଇଥାଏ । ରାଜ୍ୟରେ ମାତ୍ର ଦୁଇଟି ମେଡିକାଲ ଛଡ଼ା ଅନ୍ୟ କୌଣସି ସ୍ଥାନରେ ଏହି ଦୁର୍ଲ୍ଲଭ ମେସିନ ନାହିଁ । ଏହି ମେସିନକୁ ଅପରେଟ କରିବା ପାଇଁ ରାଜ୍ୟରେ କୁଶଳୀ ବ୍ୟକ୍ତିଙ୍କର ଅଭାବ ରହିଛି । କେବଳ ଓଡ଼ିଶା ନୁହେଁ, ସମଗ୍ର ପୃଥିବୀରେ ମଧ୍ୟ ଏହି ମେସିନର ଅଭାବ ରହିଛି । ପୂର୍ବରୁ ଏହି ମେସିନର ଆବଶ୍ୟକତା ଏତେ ମାତ୍ରାରେ ନଥିଲା । କରୋନା କାରଣରୁ ଏହି ମେସିନର ଡିମାଣ୍ଡ ବହୁତ ବଢ଼ି ଯାଇଛି । ମେସିନର ଦାମ ଅପେକ୍ଷା ଏହାକୁ ଚଳାଇବା ପାଇଁ ଉପଯୁକ୍ତ ମାନବ ସମ୍ବଳର ଅଭାବ ହିଁ ମୁଖ୍ୟ ସମସ୍ୟା ଅଟେ । ଖୁବଶୀଘ୍ର ଏସସିବିରେ ଇସିଏମଓ ସେବା ଆରମ୍ଭ ହେବ । ରାଜ୍ୟକୁ ଇସିଏମଓ ମେସିନର ୬ଟି ୟୁନିଟ୍ ଆସିବ ବୋଲି ଡିଏମଇଟି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.