fbpx

ଜେଲରେ ଯୋଗ, ଧ୍ୟାନ ଏବଂ କଡା ଡାଇଟ୍ କରୁଛନ୍ତି ସିଦ୍ଧୁ, ୬ ମାସରେ କମିଲା ୩୪ କିଲୋ ଓଜନ

ଚଣ୍ଡିଗଡ: କଡା ଡାଇଟ୍ ଏବଂ ଦୁଇ ଘଣ୍ଟାର ଯୋଗ ସହ ବ୍ୟାୟାମ କାରଣରୁ ପଟିଆଲା ସେଣ୍ଟ୍ରାଲ ଜେଲରେ ବନ୍ଦୀ ସମୟରେ ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କ ୩୪ କିଲୋ ଓଜନ ହ୍ରାସ ଘଟିଛି। ସିଦ୍ଧୁଙ୍କ ବର୍ତ୍ତମାନ ଓଜନ ୯୯ କିଲୋଗ୍ରାମ ରହିଛି।  ୧୯୮୮ରେ ପାର୍କିଂ ବିବାଦରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ମାମଲାରେ ସଜା କାଟୁଥିବା ସିଦ୍ଧୁଙ୍କ ସହଯୋଗୀ ଏହି ସୂଚନା ଦେଇଛନ୍ତି। ତାଙ୍କ ସହଯୋଗୀ ତଥା ପୂର୍ବତନ ବିଧାୟକ ନବତେଜ ସିଂହ ଚିମାଙ୍କ ଅନୁଯାୟୀ, ସିଦ୍ଧୁ ଅତି କମରେ ଚାରି ଘଣ୍ଟା ଧ୍ୟାନ, ଦୁଇ ଘଣ୍ଟା ଯୋଗ ଏବଂ ବ୍ୟାୟାମ କରୁଛନ୍ତି। ଦୁଇରୁ ଚାରି ଘଣ୍ଟା ପଢୁଛନ୍ତି ଏବଂ କେବଳ ଚାରି ଘଣ୍ଟା ଶୋଉଛନ୍ତି।

ଇଣ୍ଡିଆନ ଏକ୍ସପ୍ରେସ୍ ଅନୁଯାୟୀ, ଚିମା ଶୁକ୍ରବାର ୪୫ ମିନିଟ୍ ଯାଏ ପଟିଆଲା ଜେଲରେ ସିଦ୍ଧୁଙ୍କୁ ଭେଟିଛନ୍ତି। ସେ କହିଛନ୍ତି, ଯେବେ ସିଦ୍ଧୁ ନିଜର ସଜା ପୂରା କରି ବାହାକୁ ଆସିବେ, ତେବେ ଆପଣ ତାଙ୍କୁ ଦେଖି ଚକିତ ହୋଇଯିବେ। ସେ ବିଲକୁଲ ସେମିତି ଦେଖା ଯାଉଛନ୍ତି, ଯେମିତି ସେ କ୍ରିକେଟର ହିସାବରେ ନିଜ କ୍ରିକେଟ୍ କ୍ୟାରିୟର ସମୟରେ ଦେଖା ଯାଉଥିଲେ। ସେ ଛଅ ମାସରେ ୩୪ କିଲୋ ଓଜନ କମ କରିଛନ୍ତି ଏବଂ ଆହୁରି କମ କରିବାକୁ ଚାହୁଁଛନ୍ତି। ଏବେ ତାଙ୍କର ଓଜନ ୯୯ କିଲୋଗ୍ରାମ ରହିଛି। ସେ ୬ ଫୁଟ୍ ୨ ଇଞ୍ଚ ଲମ୍ବା। ତେଣୁ ନିଜର ବର୍ତ୍ତମାନ ଓଜନରେ ବହୁତ ସୁନ୍ଦର ଦେଖା ଯାଉଛନ୍ତି। ସେ ବହୁତ ଶାନ୍ତ ଜଣା ପଡୁଛନ୍ତି କାରଣ ବହୁତ ସମୟ ଧ୍ୟାନରେ ରହୁଛନ୍ତି।

ପୂର୍ବତନ ବିଧାୟକ ଚିମା କହିଛନ୍ତି, ସେ ବାସ୍ତବରେ ନିଜକୁ ବହୁତ ଭଲ ଅନୁଭବ କରୁଛନ୍ତି। ସେ କହିଛନ୍ତି, ତାଙ୍କର ଲିଭର ପୂର୍ବରୁ ଯେଉଁ ଚିନ୍ତାର ବିଷୟ ଥିଲା, ସେଥିରେ ବହୁତ ସୁଧାର ହୋଇଛି। ଡାକ୍ତର ତାଙ୍କୁ ପଇଡ ପାଣି, କେମୋମାଇଲ ଚା, ବାଦାମ କ୍ଷୀର ଏବଂ ଦୈନନ୍ଦୀନ ଚା ସହିତ ବିଶେଷ ଆହାର ନେବାକୁ ପରାମର୍ଶ ଦେଇଛନ୍ତି। ସେ ଚିନି ଏବଂ ଗହମରୁ ଦୂରରେ ଅଛନ୍ତି ଏବଂ ଦିନରେ କେବଳ ଦୁଇ ଥର ଭୋଜନ କରୁଛନ୍ତି। ସେ ସନ୍ଧ୍ୟା ୬ଟା ପରେ ଭୋଜନ କରୁ ନାହାନ୍ତି। ତାଙ୍କୁ ଜେଲରେ ମୁନସି ଭାବେ ନିଯୁକ୍ତ କରାଯାଇଛି। ଦିନରେ କିଛି ଘଣ୍ଟା କ୍ଲର୍କ ଭାବେ କାମ କରୁଛନ୍ତି। ଜେଲ୍ ଅଧିକାରୀ ତାଙ୍କୁ କାଗଜପତ୍ର କାମ କରିବାକୁ କହୁଛନ୍ତି। ସେ ନିଜର ବ୍ୟାରେକରେ ହିଁ ଏସବୁ କାମ କରନ୍ତି ବୋଲି ଚିମା କହିଛନ୍ତି।

Get real time updates directly on you device, subscribe now.