ନାବାଳକକୁ କାମୁଡ଼ି ଧରିଥିଲା ଭାଲୁ, ହଠାତ୍ ଫାଟିଲା ସ୍ମାର୍ଟଫୋନ, ଆଉ ତା’ ପରେ..
ଭାଲୁର ମାରାତ୍ମକ ଆକ୍ରମଣ, ହଠାତ୍ ଫାଟିଲା ସ୍ମାର୍ଟଫୋନ୍!
ନୂଆଦିଲ୍ଲୀ: ଭାଲୁ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲା ନାବାଳକ । ପକେଟରେ ସ୍ମାର୍ଟଫୋନ୍ ଫାଟିବାରୁ ବଞ୍ଚିଗଲା ଜୀବନ । ରୁଷରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ରୋମାଞ୍ଚକର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ଭାଲୁ ଆକ୍ରମଣରୁ ଜଣେ ୧୫ ବର୍ଷୀୟ କିଶୋର ଅଲ୍ପକେ ପ୍ରାଣରକ୍ଷା ପାଇଛନ୍ତି। ମୋବାଇଲ୍ ଫୋନ୍ ବ୍ୟାଟେରୀ ବିସ୍ଫୋରଣ ହେବା ଯୋଗୁଁ ତାଙ୍କ ଜୀବନ ବଞ୍ଚିଯାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି।
ଘଟଣାଟି କିପରି ଘଟିଥିଲା: ରୁଷର ଅଲ୍ଟାଇ ଅଞ୍ଚଳରେ ଜଣେ ୧୫ ବର୍ଷୀୟ ନାବାଳକ ଏବଂ ତାଙ୍କର ଜଣେ ବନ୍ଧୁ ଏକ ଜଙ୍ଗଲୀ ଓ ନିର୍ଜନ ସ୍ଥାନକୁ ଯାଇଥିବା ସମୟରେ ହଠାତ୍ ଏକ ଆକ୍ରମଣକାରୀ ଭାଲୁ ସେମାନଙ୍କ ସାମ୍ନାକୁ ଆସିଥିଲା। ପ୍ରାଣ ବିକଳରେ କିଶୋର ଜଣକ ପାଖରେ ଥିବା ଏକ ଗଛକୁ ଚଢ଼ିବାକୁ ଚେଷ୍ଟା କରିଥିଲେ ମଧ୍ୟ ଭାଲୁଟି ଅତି ଦ୍ରୁତ ଗତିରେ ଆସି ତାଙ୍କୁ ଟାଣିଳେଇ ତଳକୁ ପକାଇ ଦେଇଥିଲା ଏବଂ ଆକ୍ରମଣ କରିଥିଲା।
ଚମତ୍କାର ଭାବେ ଫାଟିଲା ସ୍ମାର୍ଟଫୋନ୍: ଆକ୍ରମଣ ସମୟରେ ଭାଲୁଟି ଯେତେବେଳେ କିଶୋରଙ୍କ ଶରୀରକୁ କାମୁଡ଼ିବାକୁ ଲାଗିଲା, ସେତେବେଳେ ତାଙ୍କ ପକେଟରେ ଥିବା ସ୍ମାର୍ଟଫୋନ୍ ଉପରେ ଭାଲୁର ଦାନ୍ତ ବାଜିଥିଲା। ଭାଲୁର ପ୍ରବଳ ଚାପ ଏବଂ ଦାନ୍ତର ଆଘାତ ଯୋଗୁଁ ଫୋନ୍ର ଲିଥିୟମ-ଆୟନ ବ୍ୟାଟେରୀରେ ଏକ ଜୋରଦାର ବିସ୍ଫୋରଣ ହୋଇଥିଲା ଏବଂ ସେଥିରେ ନିଆଁ ଲାଗିଯାଇଥିଲା। ଏହିା ଅପ୍ରତ୍ୟାଶିତ ବିସ୍ଫୋରଣ ଏବଂ ପ୍ରଚଣ୍ଡ ଆଲୋକ ଦେଖି ଭାଲୁଟି ଭୟଭୀତ ହୋଇ ପଳାଇ ଯାଇଥିଲା।
ଗମ୍ଭୀର ଭାବେ ଆହତ: ସ୍ମାର୍ଟଫୋନ୍ ଫାଟିବା ଯୋଗୁଁ କିଶୋରଙ୍କ ଜୀବନ ବଞ୍ଚିଯାଇଥିଲେ ମଧ୍ୟ, ଭାଲୁର ଆକ୍ରମଣ ଏବଂ ଫୋନ୍ ବିସ୍ଫୋରଣ କାରଣରୁ ସେ ଗମ୍ଭୀର ଭାବେ ଆହତ ଏବଂ ଅର୍ଦ୍ଧଦଗ୍ଧ ହୋଇଯାଇଛନ୍ତି। ତାଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ୍ ଏବଂ ପରେ ଉନ୍ନତ ଚିକିତ୍ସା ପାଇଁ ମସ୍କୋର ଏକ ବିଶେଷଜ୍ଞ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ପ୍ରଶାସନ ଏବଂ ବନ୍ୟପ୍ରାଣୀ ଅଧିକାରୀମାନେ ସେହି ଆକ୍ରମଣକାରୀ ଭାଲୁକୁ ଖୋଜିବା ପାଇଁ ଅଭିଯାନ ଜାରି ରଖିଛନ୍ତି।


