ଟଙ୍କା କେଇଟା ପାଇଁ ବାପାଙ୍କୁ ପିଟିପିଟି ମାରିଦେଲା ପୁଅ

ବାଙ୍ଗିରିପୋଷି ଥାନା ଅଧୀନ ପାଥୁରୀ ଗାଁ ସୁମନ୍ତ ଦେହୁରୀଙ୍କ ବାପା ହେଉଛନ୍ତି ଜଣେ କ୍ଷୁଦ୍ର ଚାଷୀ। ନିଜ କଷ୍ଟ ଉପାର୍ଜିତ ଟଙ୍କାକୁ ଜମିରେ ସାର ପକାଇବା ପାଇଁ ରଖିଥିଲେ

ବାରିପଦା: ଟଙ୍କା କେଇଟା ପାଇଁ ଜନ୍ମଦାତାଙ୍କୁ କାଠ ଫାଳିଆରେ ପିଟିପିଟି ମାରିଦେଲା ବାପା। ଏପରି ଲୋମହର୍ଷଣକାରୀ ଘଟଣା ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ବାପ ହତ୍ୟାକାରୀ ପୁଅକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।

ବାଙ୍ଗିରିପୋଷି ଥାନା ଅଧୀନ ପାଥୁରୀ ଗାଁ ସୁମନ୍ତ ଦେହୁରୀଙ୍କ ବାପା ହେଉଛନ୍ତି ଜଣେ କ୍ଷୁଦ୍ର ଚାଷୀ। ନିଜ କଷ୍ଟ ଉପାର୍ଜିତ ଟଙ୍କାକୁ ଜମିରେ ସାର ପକାଇବା ପାଇଁ ରଖିଥିଲେ। ଶନିବାର ରାତିରେ ଏ ସମ୍ପର୍କରେ ଜାଣିପାରିଥିଲେ ସୁମନ୍ତ। ତେଣୁ ସେହି ଟଙ୍କା ବାପାଙ୍କୁ ମାଗିିଥିଲେ। ହେଲେ ଟଙ୍କା ଦେବା ପାଇଁ ରୋକ୍‌ଠୋକ୍ ଭାବେ ମନା କରିଦେଇଥିଲେ ବାପା।

ଯାହାକୁ ନେଇ ବାପା ଓ ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଦେଖୁଦେଖୁ ଯୁକ୍ତିତର୍କ ଉଗ୍ର ରୂପ ଧାରଣ କରିଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସୁମନ୍ତ ଏକ କାଠ ଫାଳିଆରେ ବାପାଙ୍କୁ ଆକ୍ରମଣ କରିଥିଲା। ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ରବିବାର ସକାଳେ ଗାଁ ଲୋକେ ଏ ସମ୍ପର୍କରେ ଜାଣିପାରିଥିଲେ। ଏନେଇ ବାଙ୍ଗିରିପୋଷି ଥାନାକୁ ଖବର ଦେଇଥିଲେ। ପୋଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହ ପଡ଼ୋଶୀଙ୍କ ବୟାନ ରେକର୍ଡ଼ କରିଛି। ଏହି ମାମଲାରେ ଅଭିଯୁକ୍ତ ସୁମନ୍ତଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। କେଉଁ ପରିସ୍ଥିତିରେ ହତ୍ୟାକାଣ୍ଡ ଘଟିଲା, ପୋଲିସ ତାହା ଉପରେ ତଦନ୍ତ କରୁଛି।