fbpx

ବଢ଼ିଲା ସୋନୁଙ୍କ ଅଡ଼ୁଆ: ୨୦ କୋଟିରୁ ଅଧିକ ଟ୍ୟାକ୍ସ ହେରଫେରରେ ସାମିଲ!

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ଘରେ ଆୟକର ବିଭାଗର ଚଢ଼ାଉ ପରେ ତାଙ୍କ ସମସ୍ୟା ଏବେ ବଢ଼ିବାରେ ଲାଗିଛି । ଚଢ଼ାଉର ତୃତୀୟ ଦିନ ତଦନ୍ତ ସରିଥିବା ବେେଳେ ଏହି ମାମଲାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । ଏହି ମାମଲାରେ ସୋନୁ ସୁଦ ୨୦ କୋଟି ଟଙ୍କାର ଟ୍ୟାକ୍ସ ଚୋରୀରେ ସାମିଲ ଥିବା ଜଣାପଡ଼ିଛି । ଚଢ଼ାଉ ପରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ବା ସିବିଡିଟି କହିଛନ୍ତି ଯେ, ସୋନୁ ସୁଦ୍ ଏବଂ ତାଙ୍କ ସହଯୋଗୀଙ୍କ ଉପରେ ଚାଲିଥିବା ତଦନ୍ତ ଭିତରେ ସେ ଟ୍ୟାକ୍ସ ଚୋରୀରେ ସାମିଲ ଥିବା ନେଇ ପ୍ରମାଣ ହସ୍ତଗତ ହୋଇଛି ।

ସିବିଡିଟି କହିଛନ୍ତି ଯେ, ମୁମ୍ବାଇ, କାନପୁର, ଲକ୍ଷ୍ନୌ, ଜୟପୁର, ଗୁରୁଗ୍ରାମ ଏବଂ ଦିଲ୍ଲୀ ସମେତ ମୋଟ ୨୮ଟି ସ୍ଥାନରେ ତିନି ଦିନ ଧରି ଚଢ଼ାଇ ଅଭିଯାନ ଜାରି ରଖାଯାଇଛି । ସୋନୁ ଅସୁରକ୍ଷିତ ତଥା ନକଲି ଲୋନ୍ ଭାବରେ ଢ଼େର୍ ଟଙ୍କା ଜମା କରୁଥିଲେ । ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ, ସୋନୁ ସୁଦ୍ ବୈଦେଶିକ ଯୋଗଦାନ ବିନିୟମ ଅଧିନିୟମର ଉଲଂଘନ କରିବା ସହିତ ସହଯୋଗୀ ମାନଙ୍କ ଦ୍ୱାରା ୨୦ କୋଟି ଟଙ୍କାର ଟ୍ୟାକ୍ସ ଚୋରୀ କରିଛନ୍ତି । ଏନେଇ ବିଭାଗ ତରଫରୁ ଖୁଲାସା କରାଯାଇଛି ।
ତେବେ ଟଙ୍କା କାରବାରରେ ଦେଖିବାକୁ ମିଳିଥିବା ଅନିୟମିତତା ପରେ ଆୟକର ବିଭାଗ ସୋନୁ ସୁଦ୍ ଙ୍କ ଫାଉଣ୍ଡେସନ୍ ର ଆକାଉଣ୍ଟ୍ ସବୁର ଯାଞ୍ଚ କରିଥିଲା । ଏଥିରୁ ଜଣାପଡ଼ିଥିଲା ଯେ, ସୋନୁ ବିଭିନ୍ନ ନକଲି କମ୍ପାନୀ ଗୁଡ଼ିକ ଜରିଆରେ ଟଙ୍କା ଆଣିଛନ୍ତି । ଯାଞ୍ଚରେ ଏପର୍ଯ୍ୟନ୍ତ ୨୦ଟି ନକଲି ଏଣ୍ଟ୍ରି ର ପତା ଲଗାଯାଇଛି ।

୨୧ ଜୁଲାଇ ୨୦୨୦ ରୁ ବର୍ତ୍ତମାନ ପର୍ୟ୍ୟନ୍ତ, ଅଭିନେତାଙ୍କ ଦ୍ୱାରା କରାଯାଇଥିବା ଚାରିଟି ଫାଉଣ୍ଡେସନ୍ ପ୍ରାୟ ୧୮.୯୪ କୋଟି ଟଙ୍କା ଦାନ ଭାବରେ ସଂଗ୍ରହ କରିଛି, ସେଥିମଧ୍ୟରୁ ପ୍ରାୟ ୧.୯ କୋଟି ଟଙ୍କା ବିଭିନ୍ନ ରିଲିଫ୍ କାର୍ୟ୍ୟରେ ଖର୍ଚ୍ଚ ହୋଇଥିବାବେଳେ ୧୭ କୋଟି ଟଙ୍କା ଏବେ ବି ରହିଛି। ଅନୁସନ୍ଧାନ ବେଳେ ଏହା ମଧ୍ୟ ଜଣାପଡିଛି ଯେ ଏଫସିଆରଏ ର ଉଲ୍ଲଂଘନ କରି ସୋନୁ ସୁଦଙ୍କ ଏହି ଚାରିଟି ଫାଉଣ୍ଡେସନରେ ୨.୧ କୋଟି ଟଙ୍କା ଜମା କରାଯାଇଛି।

ଆୟକର ବିଭାଗର ସୂଚନାନୁସାରେ, ଅନୁସନ୍ଧାନର ଏହି ପର୍ୟ୍ୟାୟରେ ଲକ୍ଷ୍ନୌ ସୋନୁ ସୁଦଙ୍କ ବ୍ୟବସାୟ ଇନଫ୍ରାଷ୍ଟ୍ରକଚର୍ ଗ୍ରୁପର ଅନେକ ସ୍ଥାନରେ ଚଢ଼ାଉ କରାଯାଇଛି । ଏହି ଗୋଷ୍ଠୀର ଅନେକ ରିଅଲ୍ ଇଷ୍ଟେଟ୍ ପ୍ରୋଜେକ୍ଟରେ ବିନିଯୋଗ କରିଛନ୍ତି, ଯେଉଁଥିପାଇଁ ତାଙ୍କ ବିରୋଧରେ ରୋଜଗାର ଲୁଚାଇଥିବା ଅଭିଯୋଗ ହୋଇଛି। ଅନୁସନ୍ଧାନରୁ ଏହା ଜଣାପଡିଛି ଯେ ବଗସ୍ ବିଲିଂ ମାଧ୍ୟମରେ କୋଟି କୋଟି ଟଙ୍କା ଅପବ୍ୟବହାର କରିଛନ୍ତି। ଆୟକର ବିଭାଗ ଦଳ ପ୍ରାୟ ୬୫ କୋଟି ଟଙ୍କା ହେରାଫେରୀ ସହ ଜଡିତ ଦଲିଲ ଠାବ କରିଛନ୍ତି ।

Get real time updates directly on you device, subscribe now.