ରିଏଲିଟି ଶୋ’ ଦୁନିଆରେ ବଡ଼ ଧମାକା: ୧୦ ବର୍ଷ ପରେ ଫେରୁଛି ‘ବିଗ୍ ବସ୍ ବାଙ୍ଗଲା’, ଏବେ ସଲମାନଙ୍କ ଭଳି କ୍ଲାସ ନେବେ ସୌରଭ ଗାଙ୍ଗୁଲି!
ରିଏଲିଟି ଶୋ’ ଦୁନିଆରେ ବଡ଼ ଧମାକା: ୧୦ ବର୍ଷ ପରେ ଫେରୁଛି ‘ବିଗ୍ ବସ୍ ବାଙ୍ଗଲା’
Sourav Ganguli: ରିଏଲିଟି ଶୋ’ ଦୁନିଆରେ ‘ବିଗ୍ ବସ୍’ ର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ହିନ୍ଦୀ ବ୍ୟତୀତ ଏହି ଲୋକପ୍ରିୟ ଶୋ’ ପ୍ରତିବର୍ଷ ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍ ଏବଂ ମରାଠୀ ଭଳି ବିଭିନ୍ନ ଆଞ୍ଚଳିକ ଭାଷାରେ ମଧ୍ୟ ପ୍ରସାରିତ ହୋଇଥାଏ । ଏବେ ପ୍ରାୟ ୧୦ ବର୍ଷ ପରେ ଛୋଟ ପରଦାକୁ ‘ବିଗ୍ ବସ୍ ବାଙ୍ଗଲା’ ର ଜବରଦସ୍ତ ପ୍ରତ୍ୟାବର୍ତ୍ତନ ହେବାକୁ ଯାଉଛି ।
‘ବିଗ୍ ବସ୍ ବାଙ୍ଗଲା’ର ଦ୍ୱିତୀୟ ସିଜନ୍ ବର୍ଷ ୨୦୧୬ ରେ ଟେଲିକାଷ୍ଟ ହୋଇଥିଲା । ଏହି ରିଏଲିଟି ଶୋ’ର ତୃତୀୟ ସିଜନ୍ ପାଇଁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ହୋଷ୍ଟିଂର ଦାୟିତ୍ୱ ଦିଆଯାଇଛି । ସୌରଭ ଗାଙ୍ଗୁଲିଙ୍କ ସହ ‘ବିଗ୍ ବସ୍ ବାଙ୍ଗଲା’ର ଦମଦାର୍ ପ୍ରୋମୋ ମଧ୍ୟ ରିଲିଜ୍ କରାଯାଇଛି ।
‘ଷ୍ଟାର୍ ଜଲସା’ ଚ୍ୟାନେଲ୍ରେ ‘ବିଗ୍ ବସ୍ ବାଙ୍ଗଲା’ ପ୍ରସାରିତ ହେବ । ଯେଉଁ କାମ ବିଗ୍ ବସ୍ ହିନ୍ଦୀ ସଂସ୍କରଣରେ ସଲମାନ ଖାନ୍ କରନ୍ତି, ସେହି ସମାନ ଅନ୍ଦାଜରେ ‘ବିଗ୍ ବସ୍ ବାଙ୍ଗଲା’ରେ ସୌରଭ ଗାଙ୍ଗୁଲି ନଜର ଆସିବେ । ଶୋ’ର ଦ୍ୱିତୀୟ ପ୍ରୋମୋରେ ସୌରଭ ଗାଙ୍ଗୁଲିଙ୍କୁ ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଛକା ମାରୁଥିବାର ଦେଖିବାକୁ ମିଳିଛି । ପ୍ରୋମୋରେ ଗାଙ୍ଗୁଲି କହୁଛନ୍ତି, “ମୁଁ ଏହାକୁ ସବୁଠାରୁ ଶ୍ରେଷ୍ଠ କରିବା ପାଇଁ ନିଜର ସମ୍ପୂର୍ଣ୍ଣ ଚେଷ୍ଟା କରିବି ।”
ପୂର୍ବରୁ ମଧ୍ୟ ହୋଷ୍ଟିଂ କରିସାରିଛନ୍ତି ‘ଦାଦା’
ପ୍ରଶଂସକମାନେ ଭଲପାଇବାରେ ସୌରଭ ଗାଙ୍ଗୁଲିଙ୍କୁ ‘ଦାଦା’ ବୋଲି ଡାକନ୍ତି । ସେ ପ୍ରଥମ ଥର ପାଇଁ ହୋଷ୍ଟ ଚେୟାରରେ ବସୁନାହାନ୍ତି, ଟେଲିଭିଜନ ଦୁନିଆରେ ତାଙ୍କର ପୂର୍ବରୁ ମଧ୍ୟ ହୋଷ୍ଟିଂର ଅଭିଜ୍ଞତା ରହିଛି । ଗାଙ୍ଗୁଲି ପୂର୍ବରୁ ‘ଜୀ ବାଙ୍ଗଲା’ର ସୁପରହିଟ୍ ଗେମ୍ ଶୋ’ ‘ଦାଦାଗିରି’ ର ସଫଳ ହୋଷ୍ଟିଂ କରିସାରିଛନ୍ତି । ଏବେ ସେ ବିଗ୍ ବସ୍ ସାଜି ପ୍ରତିଯୋଗୀ ବା କଣ୍ଟେଷ୍ଟାଣ୍ଟମାନଙ୍କ କ୍ଲାସ ନେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।
‘ବିଗ୍ ବସ୍ ବାଙ୍ଗଲା’ର ଇତିହାସ
ଏହା ‘ବିଗ୍ ବସ୍ ବାଙ୍ଗଲା’ର ତୃତୀୟ ସିଜନ୍ ହେବ । ଏହି ଶୋ’ର ପ୍ରଥମ ସିଜନ୍ ବର୍ଷ ୨୦୧୩ ରେ ଆସିଥିଲା, ଯାହାକୁ ବଲିଉଡର ମହାନାୟକ ମିଥୁନ ଚକ୍ରବର୍ତ୍ତୀ ହୋଷ୍ଟ କରିଥିଲେ । ଏହାର ତିନି ବର୍ଷ ପରେ ଅର୍ଥାତ୍ ୨୦୧୬ ରେ ଏହି ଶୋ’ ପୁଣି ଫେରିଥିଲା । ୨୦୧୬ ରେ ମିଥୁନଙ୍କ ସ୍ଥାନରେ ପ୍ରସିଦ୍ଧ ବଙ୍ଗଳା ଅଭିନେତା ଜିତ୍ ଙ୍କୁ ହୋଷ୍ଟିଂ ଦାୟିତ୍ୱ ମିଳିଥିଲା । ତେବେ ୨୦୧୬ ପରେ ଏହି ଶୋ’କୁ ବନ୍ଦ କରିଦିଆଯାଇଥିଲା ଏବଂ ଏବେ ଦୀର୍ଘ ୧୦ ବର୍ଷ ପରେ ଗାଙ୍ଗୁଲିଙ୍କ ସହ ଏହା ପୁଣି ପରଦାକୁ ଫେରୁଛି ।
ଚଳିତ ବର୍ଷ ବଙ୍ଗଳା ରିଏଲିଟି ଶୋ’ଗୁଡ଼ିକରେ ଅନେକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି । ‘ଦାଦାଗିରି’ ଶୋ’କୁ ଏଥର ସୁପରଷ୍ଟାର୍ ଦେବ୍ ହୋଷ୍ଟ କରିଥିବା ବେଳେ ‘ଦିଦି ନମ୍ବର ୧’, ଯାହାକୁ ରଚନା ବାନାର୍ଜୀ ହୋଷ୍ଟ କରୁଥିଲେ, ତାଙ୍କ ସ୍ଥାନରେ ସ୍ୱସ୍ତିକା ମୁଖାର୍ଜୀ ନଜର ଆସିଛନ୍ତି । ଏହି ସବୁ ମଧ୍ୟରେ ଏବେ ଗାଙ୍ଗୁଲି ମଧ୍ୟ ବିଗ୍ ବସ୍ ମୈଦାନରେ ପ୍ରତିଯୋଗୀମାନଙ୍କୁ ଗୁଗ୍ଲି ପକାଇବାକୁ ପୂରା ପ୍ରସ୍ତୁତ ହୋଇ ରହିଛନ୍ତି ।


