ତୀବ୍ର ବେଗରେ ବ୍ୟାପୁଛି ନିଆଁ: ଜୀବନ ବିକଳରେ ଲୋକେ ଘର ଛାଡ଼ି ପଳାଉଛନ୍ତି
ନିଆଁ ଉଗ୍ର ରୂପ ଦେଖି ପ୍ରଶାସନ ମଧ୍ୟ ତତ୍ପର ହୋଇଛି। ଲସ ଗାଲାର୍ଡୋସ୍ର ପାହାଡ଼ିଆ ଅଞ୍ଚଳରେ ବସବାସ ରହୁଥିବା ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଦେଇଛି
ନୂଆଦିଲ୍ଲୀ: ଦକ୍ଷିଣ ସ୍ପେନ୍ର ଆଣ୍ଡାଲୁସିଆ ଜଙ୍ଗଲରେ ଲାଗିଛି ଭୟଙ୍କର ନିଆଁ। ଏହି ବିଧ୍ୱଂସକାରୀ ନିଆଁରେ ପୋଡ଼ିହୋଇ ଏପର୍ଯ୍ୟନ୍ତ ୧୨ ଜଣଙ୍କ ମର୍ମନ୍ତୁଦ ମୃତ୍ୟୁ ହୋଇସାରିଛି। ୧୯ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି। ସୁରକ୍ଷା ଏଜେନ୍ସି ଗୁଡ଼ିକ ଏପର୍ଯ୍ୟନ୍ତ ପ୍ରାୟ ୬୦୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରି ସାରିଛନ୍ତି। ବାୟୁ ଦିଗ ବଦଳୁଥିବା ଓ ପ୍ରତିକୂଳ ପାଣିପାଗ ଯୋଗୁ ଉଦ୍ଧାର କାର୍ଯ୍ୟରେ ବ୍ୟାଘାତ ଘଟୁଛି।
ନିଆଁର ଆଁରେ ଆଣ୍ଡାଲୁସିଆର ଆଲମେରିଆ ପ୍ରଦେଶର ଲସ ଗାଲାର୍ଡୋସ୍, ବେଦାର୍ ଓ ଆଣ୍ଟାସ୍ ନଗରପାଳିକା ଅଞ୍ଚଳ ଗୁଡ଼ିକ ରହିଛି। ଜୀବନ ବଞ୍ଚାଇବା ପାଇଁ ଘର ଛାଡ଼ି ଲୋକମାନେ ଦୌଡୁଛନ୍ତି। ପ୍ରବଳ ପବନ ଦେଉଥିବାରୁ ନିଆଁ ତୀବ୍ର ବେଗରେ ଆଗକୁ ବଢ଼ୁଛି। ଯେଉଁଥିରେ ପୋଡ଼ି ହୋଇ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି। ଧୂଆଁ ବ୍ୟାପୁଛି। ବର୍ତ୍ତମାନ ଲସ ଗାଲାର୍ଡୋସର ଆଖପାଖ ଗାଁ ଗୁଡ଼ିକରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।
ନିଆଁ ଉଗ୍ର ରୂପ ଦେଖି ପ୍ରଶାସନ ମଧ୍ୟ ତତ୍ପର ହୋଇଛି। ଲସ ଗାଲାର୍ଡୋସ୍ର ପାହାଡ଼ିଆ ଅଞ୍ଚଳରେ ବସବାସ ରହୁଥିବା ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଦେଇଛି। ଦରକାର ପଡ଼ିଲେ ଉଦ୍ଧାର ମଧ୍ୟ କରୁଛି। ବେଦାରର ଜଙ୍ଗଲ ଘେରା ଗାଁର ଲୋକମାନଙ୍କୁ ନିଜ ନିଜ ଘର ଭିତରେ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି। ହେଲିକପ୍ଟର ମାଧ୍ୟମରେ ନିଆଁ ଲିଭାଇବା ପାଇଁ ଉଦ୍ୟମ କରୁଛି।
ରାସ୍ତାରେ କାର ଭିତରେ ୪ ଜଣ ଜଳିଗଲେ
ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ ଉଦ୍ଧାରକାରୀ ଅଧିକାରୀମାନେ ଲୋମ ଟାଙ୍କୁରା ଘଟଣା ବୟାନ କରିଛନ୍ତି। ନିଆଁରେ ଘେରି ରହିଥିବା ରାଜପଥରେ ଦୂର ଯାତ୍ରା କରୁଥିବା ଗାଡ଼ି ଗୁଡ଼ିକ ଫସି ରହିଛି। ବାହାରିବା ପାଇଁ ରାସ୍ତା ନଥିବାରୁ କାର ଭିତରେ ଲୋକମାନେ ଜଳି ଯାଉଥିବା ଦେଖିବାକୁ ମିଳିଛି।
Uttarakhand Govt.
ଅଧିକାରୀଙ୍କ କହିବା ଅନୁସାରେ ଗୋଟିଏ କାର ଭିତରେ ୪ ଜଣ ଜଳୁଥିବା ଦେଖିବାକୁ ପାଇଛୁ। ନିଆଁର କୋପ ଏତେ ଭୟଙ୍କର ଥିଲା ଯେ ଉଦ୍ଧାର କରିବା ସମ୍ଭବ ହେଲାନାହିଁ। ମୃତକମାନେ ବ୍ରିଟିଶ୍ ନାଗରିକ ଥିଲେ। ଏହା ବ୍ୟତୀତ, ଆଉ ୭ ଜଣ ଲୋକ ନିଜ ଗାଡିକୁ ରାସ୍ତାରେ ଛାଡ଼ି ଚାଲି ଚାଲି ପଳାଇ ଆସିବାକୁ ଚେଷ୍ଟା କରୁଥିଲେ। ହେଲେ ସେମାନଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ଅଧିକାରୀମାନେ କହିଛନ୍ତି।
୬୦୦ ଜଣଙ୍କୁ ସ୍ଥାନାନ୍ତର କରାଗଲା
ସରକାରୀ ରିପୋର୍ଟ ଅନୁସାରେ, ଏପର୍ଯ୍ୟନ୍ତ ପ୍ରାୟ ୬୦୦ ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ୧୨୦ ଜଣଙ୍କୁ ଶୁକ୍ରବାର ରାତିରେ ଅତି ସମ୍ବେଦନଶୀଳ ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ହୋଇଥିବା ଲୋକମାନଙ୍କ ମଧ୍ୟରେ ଆଲମୋକୈଜାର, ଫୁଏନ୍ତେ ଡେଲ୍ ଆଲବାରିକୋ, ଲସ ପିନୋସ, ଲା ସେରେନା ଓ ବେଦାରର ପିନାର ଅଞ୍ଚଳର ବାସିନ୍ଦା ସାମିଲ ଅଛନ୍ତି। ବିସ୍ଥାପିତଙ୍କ ରହିବା ପାଇଁ ଅସ୍ଥାୟୀ ରିଲିଫ କ୍ୟାମ୍ପ କରାଯାଇଛି। ଯେଉଁଥିରେ ୭୪ ଜଣଙ୍କୁ ଲୁବ୍ରିନ ଥିଏଟର ଓ ଆଉ ୭୪ ଜଣଙ୍କୁ ଗରୁଚା ଥିଏଟରରେ ରଖାଯାଇଛି।
ଧୂଆଁ ଯୋଗୁଁ ଶ୍ୱାସନାଳୀ ସମସ୍ୟା
ମେଡିକାଲ୍ ଟିମ୍ କହିଛନ୍ତି; ଗମ୍ଭୀର ଭାବେ ପୋଡ଼ି ଯାଇଥିବା ଓ ଧୂଆଁ ଯୋଗୁଁ ଶ୍ୱାସ ସମସ୍ୟାରେ ଲଢୁଥିବା ୪ ଜଣଙ୍କୁ ନିକଟସ୍ଥ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ଅଧିକାରୀମାନେ ସେମାନଙ୍କୁ ସ୍ୱତନ୍ତ୍ର ଚିକିତ୍ସା ପାଇଁ ସେଭିଲ୍ର ‘ଭର୍ଜିନ୍ ଡେଲ୍ ରୋସିଓ ହସ୍ପିଟାଲ୍’କୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି କରୁଛନ୍ତି।
ଆଣ୍ଡାଲୁସିଆର ରାଷ୍ଟ୍ରପତି କାର୍ୟ୍ୟାଳୟ, ସ୍ୱାସ୍ଥ୍ୟ ଓ ଜରୁରୀକାଳୀନ ବ୍ୟାପାର ମନ୍ତ୍ରୀ ଆଣ୍ଟୋନିଓ ସ୍ୟାନ୍ଜ୍ କ୍ୟାବେଲୋ ଏହି ଜରୁରୀକାଳୀନ ପରିସ୍ଥିତିରେ ସାହାଯ୍ୟ କରିବା ପାଇଁ ଲୋକଙ୍କୁ ଅପିଲ୍ କରିଛନ୍ତି। ଏହି ଭୟଙ୍କର ନିଆଁକୁ ଆୟତ୍ତ କରିବା ପାଇଁ ବର୍ତ୍ତମାନ ୧୫୦ ଜଣ ଦମକଳ କର୍ମୀ ଓ ସ୍ପାନିସ ମିଲିଟାରୀ ଇମର୍ଜେନ୍ସି ୟୁନିଟ୍ର ୨୨୦ ଜଣ ଯବାନ ନିୟୋଜିତ ରହିଛନ୍ତି।

