ରାତିସାରା ସ୍ତ୍ରୀର ମୃତଦେହ ସହ ଶୋଇଲା ସ୍ୱାମୀ, ସକାଳେ ହାର୍ଟ ଆଟାକ୍ କହି ରଚିଲା ନାଟକ, ଝିଅ ଖୋଲିଦେଲା ଗୁମର!

କରୱାଚୌଥ ପାଇଁ ଛୁଟି ନେଇ ଘରକୁ ଆସିଥିବା SSB ଯବାନଙ୍କ ଉପରେ ସ୍ତ୍ରୀଙ୍କୁ ହତ୍ୟା କରିବାର ଅଭିଯୋଗ।

ମଧ୍ୟପ୍ରଦେଶ: ଯେଉଁ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ସ୍ତ୍ରୀ କରୱାଚୌଥ ବ୍ରତ ରଖିଥିଲେ, ସେହି ସ୍ୱାମୀ ହିଁ ତାଙ୍କ ଜୀବନ ନେଇଗଲେ! ସ୍ତ୍ରୀଙ୍କ ମୋବାଇଲ୍‌ରେ ଅନ୍ୟ କାହା ସହ କଥା ହେବାକୁ ନେଇ ସନ୍ଦେହ କରି ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି।

ହତ୍ୟା ପରେ ନିଜ ଅପରାଧ ଲୁଚାଇବାକୁ ଯାଇ ସ୍ତ୍ରୀଙ୍କ ମୃତ୍ୟୁ ହାର୍ଟ ଆଟାକ୍‌ରେ ହୋଇଥିବା କହିଥିଲେ ସ୍ୱାମୀ। ଏପରିକି ରାତିସାରା ମୃତଦେହ ପାଖରେ ଶୋଇ ରହିଥିଲେ। କିନ୍ତୁ ତାଙ୍କର ସବୁ ଚାଲ୍‌କୁ ଫସର ଫଟାଇଦେଲା ୧୨ ବର୍ଷୀୟ ଝିଅ।

ବାପାଙ୍କ ଧମକକୁ ଖାତିର ନକରି ମାମୁଙ୍କୁ ଫୋନ୍ କରି ଜଣାଇଦେଲା ପୂରା ସତ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ମଧ୍ୟପ୍ରଦେଶର ଗ୍ୱାଲିୟରରୁ ସାମ୍ନାକୁ ଆସିଛି।

କରୱାଚୌଥ ପାଇଁ ଆସିଥିଲେ ଘରକୁ: ପୋଲିସର ସୂଚନା ଅନୁସାରେ, ଅଭିଯୁକ୍ତ ଜ୍ଞାନ ସିଂହ ସଶସ୍ତ୍ର ସୀମା ବଳ (SSB)ରେ କନଷ୍ଟେବଳ ଭାବେ କାମ କରନ୍ତି। ସେ ବର୍ତ୍ତମାନ ଜମ୍ମୁ-କାଶ୍ମୀରରେ ନିୟୋଜିତ ଅଛନ୍ତି।

କରୱାଚୌଥ ପାଳନ କରିବା ପାଇଁ ଅକ୍ଟୋବର ୨୭ ତାରିଖରେ ଛୁଟି ନେଇ ସେ ଗ୍ୱାଲିୟର ଆସିଥିଲେ। ମୁରାର ଥାନା ଅଞ୍ଚଳର ଖୁରେରୀ ଗାଁରେ ସେ ନିଜ ସ୍ତ୍ରୀ ରିଙ୍କି ଓ ପିଲାମାନଙ୍କ ସହ ଭଡ଼ା ଘରେ ରହୁଥିଲେ।

ରବିବାର ଜ୍ଞାନ ସିଂହଙ୍କ ବାପା ଚିକିତ୍ସା ପାଇଁ ଗ୍ୱାଲିୟର ଆସିଥିଲେ। ଚିକିତ୍ସା ପରେ ରିଙ୍କି ସ୍ୱାମୀଙ୍କୁ ତାଙ୍କ ବାପାଙ୍କୁ ଭିଣ୍ଡ ଛାଡ଼ି ଆସିବାକୁ କହିଥିଲେ। ଜ୍ଞାନ ସିଂହ ତାଙ୍କୁ ଭିଣ୍ଡରେ ଛାଡ଼ି ରାତିରେ ଘରକୁ ଫେରିଥିଲେ।

ଏହି ସମୟରେ ସ୍ତ୍ରୀ ମୋବାଇଲ୍‌ରେ କାହା ସହ କଥା ହେଉଥିବା ଦେଖି ତାଙ୍କ ଉପରେ ସନ୍ଦେହ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା।

ପିଲାଙ୍କ ସାମ୍ନାରେ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ: ପୋଲିସରେ ହୋଇଥିବା ଅଭିଯୋଗ ଅନୁସାରେ, ଝଗଡ଼ା ବଢ଼ିବା ପରେ ଜ୍ଞାନ ସିଂହ ରାଗିଯାଇ ରିଙ୍କିଙ୍କୁ ତଳେ ପକାଇ ଦେଇଥିଲେ। ଏହାପରେ ତାଙ୍କ ଛାତି ଉପରେ ଗୋଡ଼ ରଖି ଗଳା ଚିପି ଦେଇଥିଲେ। ଘରେ ଥିବା ୧୪ ବର୍ଷର ପୁଅ ଦୀପୁ ଓ ୧୨ ବର୍ଷର ଝିଅ ପ୍ରିୟାଂଶୀଙ୍କ ସାମ୍ନାରେ ମାଆଙ୍କ ମୃତ୍ୟୁ ହୋଇଥିଲା।

ହତ୍ୟା ପରେ ଅଭିଯୁକ୍ତ ମୃତଦେହକୁ ବେଡ୍‌ରୁମ୍‌ରେ ରଖି ସେହି ଘରେ ରାତିସାରା ଶୋଇଥିଲେ। ପରଦିନ ସକାଳ ପ୍ରାୟ ୬ଟାରେ ସ୍ତ୍ରୀଙ୍କ ମୃତଦେହକୁ ଗାଡ଼ିରେ ରଖି ଭିଣ୍ଡ ଜିଲ୍ଲାର ଛୌନ୍ଦା ଗାଁକୁ ନେଇଯାଇଥିଲେ।

ହାର୍ଟ ଆଟାକ୍ କହି ଖସିବାକୁ ଉଦ୍ୟମ: ଭିଣ୍ଡରେ ପହଞ୍ଚିବା ପରେ ଜ୍ଞାନ ସିଂହ ଶ୍ୱଶୁର ଘର ଲୋକଙ୍କୁ ଫୋନ୍ କରି ରିଙ୍କିଙ୍କ ମୃତ୍ୟୁ ହାର୍ଟ ଆଟାକ୍‌ରେ ହୋଇଥିବା କହିଥିଲେ। କିନ୍ତୁ ପରିବାର ଲୋକେ ପହଞ୍ଚିବା ପରେ ରିଙ୍କିଙ୍କ ଶରୀର ଓ ଆଣ୍ଠୁରେ କ୍ଷତଚିହ୍ନ ଦେଖି ସନ୍ଦେହ କରିଥିଲେ। ଏନେଇ ଜ୍ଞାନ ସିଂହଙ୍କୁ ପ୍ରଶ୍ନ କରିବାରୁ ସେ ନିଜ ସର୍ଭିସ୍ ପିସ୍ତଲ ବାହାର କରି ଶ୍ୱଶୁର ଘର ଲୋକଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି।

ଏପରିକି ଝିଅ ପ୍ରିୟାଂଶୀକୁ ମଧ୍ୟ କାହା ଆଗରେ କିଛି ନକହିବାକୁ ଧମକ ଦେଇଥିଲେ। କାହାକୁ କିଛି କହିଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିବା ଜଣାପଡ଼ିଛି।

ବାପାଙ୍କ ଧମକକୁ ଖାତିର କଲାନି ଝିଅ: ବାପାଙ୍କ ଧମକ ପରେ ମଧ୍ୟ ଭୟ ନକରି ସାହସ ଦେଖାଇଥିଲା ୧୨ ବର୍ଷୀୟ ପ୍ରିୟାଂଶୀ। ସେ ଲୁଚିକି ନିଜ ମାମୁ ସଚିନ ଜାଟବଙ୍କୁ ଫୋନ୍ କରି ପୂରା ଘଟଣା ଜଣାଇଥିଲା।

ମାଆ ମୋବାଇଲ୍‌ରେ କାହା ସହ କଥା ହେଉଥିବାକୁ ନେଇ ବାପା ଝଗଡ଼ା କରିଥିଲେ ଏବଂ ପରେ ଗଳା ଚିପି ହତ୍ୟା କରିଥିଲେ ବୋଲି ଝିଅ ଜଣାଇଥିଲା।

ଝିଅର ଏହି ବୟାନ ପରେ ହାର୍ଟ ଆଟାକ୍‌ର ମିଛ କାହାଣୀ ସାମ୍ନାକୁ ଆସିଥିଲା। ଘଟଣା ପ୍ରଘଟ ହେବା ପରେ ଅଭିଯୁକ୍ତ ଜ୍ଞାନ ସିଂହ ସେଠାରୁ ଫେରାର ହୋଇଯାଇଥିଲେ। ସୋମବାର ବିଳମ୍ବିତ ରାତିରେ ପରିବାର ଲୋକେ ରିଙ୍କିଙ୍କ ମୃତଦେହକୁ ଗ୍ୱାଲିୟର ଆଣି ମୁରାର ଥାନାରେ ଅଭିଯୋଗ କରିଥିଲେ।

ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ: ଏହି ଘଟଣା ପରେ ପୋଲିସ ରିଙ୍କିଙ୍କ ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ପଠାଇଛି। ମୁରାର ଥାନା ଅଧିକାରୀ ଗୋବିନ୍ଦ ବଲ୍ଲଭ ବାଗୋଲିଙ୍କ ସୂଚନା ଅନୁସାରେ, ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି। ତାଙ୍କୁ ଧରିବା ପାଇଁ ପୋଲିସ ଖୋଜାଖୋଜି ଜାରି ରଖିଛି।

ଏହା ସହ ପିଲାମାନଙ୍କ ଓ ପରିବାର ଲୋକଙ୍କ ବୟାନ ମଧ୍ୟ ରେକର୍ଡ କରାଯାଉଛି। ରିଙ୍କିଙ୍କ ମୋବାଇଲ୍ ଫୋନ୍ ଓ କଲ୍ ଡିଟେଲ୍ସ ମଧ୍ୟ ଯାଞ୍ଚ କରାଯାଇପାରେ। ଏହି ଘଟଣାରେ ଦୁଇ ନିରୀହ ପିଲା ନିଜ ମାଆଙ୍କୁ ହରାଇଥିବା ବେଳେ ଅଭିଯୁକ୍ତ ବାପା ଏବେ ଫେରାର ଅଛନ୍ତି।