ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି, ୧୦ ହଜାରର PUCC ଜରିମାନା କମାଇଦେଲେ ରାଜ୍ୟ ସରକାର
ଦୀର୍ଘଦିନର ଦାବି ଓ ଜନଅସନ୍ତୋଷ ପରେ ଓଡ଼ିଶା ସରକାର PUCC ଜରିମାନା କମାଇ ୬୦୦୦ କରିଥିବା ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ।
ଭୁବନେଶ୍ୱର: ରାଜ୍ୟର ଲକ୍ଷ ଲକ୍ଷ ଯାନବାହନ ମାଲିକଙ୍କ ପାଇଁ ବହୁ ପ୍ରତୀକ୍ଷିତ ଏକ ଆଶ୍ୱସ୍ତିରର ଖବର ଆସିଯାଇଛି। ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC) ନଥିବା ପାଇଁ ଓଡ଼ିଶା ସରକାର ମୋଟା ଜରିମାନା ଛାଡ଼ କରିବାକୁ ଯାଉଛନ୍ତି।
ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଜି ଭୁବନେଶ୍ୱରରେ ନୂତନ ନିୟମ ଏବଂ ସଂଶୋଧିତ ଜରିମାନା ସମ୍ପର୍କରେ ଏକ ଆନୁଷ୍ଠାନିକ ଘୋଷଣା କରିଛନ୍ତି। ଏହି ଘୋଷଣାରେ ପରିବହନ ମନ୍ତ୍ରୀ ପ୍ରଦୂଷଣ ନିୟମ ଉଲ୍ଲଂଘନ ପାଇଁ ଥିବା ୧୦,୦୦୦ ଟଙ୍କାର ଜରିମାନାକୁ କମାଇ ୬୦୦୦ କରିଥିବା କହିଛନ୍ତି।
ତେବେ ରିପୋର୍ଟ ଅନୁଯାୟୀ, ଯାନବାହନ ପାଇଁ ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିବା ପାଇଁ ସର୍ବାଧିକ ଜରିମାନା ୧୦,୦୦୦ ଟଙ୍କା ଥିଲା, ଯାହା ଦିଲ୍ଲୀ ପରେ ଓଡ଼ିଶାକୁ ଦେଶର ଦ୍ୱିତୀୟ ସର୍ବାଧିକ ଜରିମାନା ଆଦାୟକାରୀ ରାଜ୍ୟ କରିଥିଲା। ଏହି ନିୟମକୁ ନେଇ ଯାନବାହନ ମାଲିକଙ୍କ ମଧ୍ୟରେ ଅସନ୍ତୋଷର ନିଆଁ ଲାଗିଥିଲା।
ପୂର୍ବରୁ, ପ୍ରଦୂଷଣ ପ୍ରମାଣପତ୍ର ବିନା ପେଟ୍ରୋଲ ପମ୍ପରୁ ଇନ୍ଧନ ଉପଲବ୍ଧ ହେବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିଲା, କିନ୍ତୁ ଜନସାଧାରଣଙ୍କ ତୀବ୍ର ବିରୋଧ ଯୋଗୁଁ ସରକାରଙ୍କୁ ପଛକୁ ହଟିବାକୁ ପଡିଥିଲା। ଯେଉଁଥିପାଇଁ ଏହି ମୋଟା ଅଙ୍କର ଜରିମାନା କମାଇ ସରକାର ୬୦୦୦ କରିଦେଇଛନ୍ତି।
କେନ୍ଦ୍ରୀୟ ମୋଟର ଯାନ ଆଇନ ଅନୁଯାୟୀ, ପ୍ରଦୂଷଣ ନିୟମ ଉଲ୍ଲଂଘନ ପାଇଁ ରାଜ୍ୟ ସରକାରଙ୍କ ୧୦୦୦ ରୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା କରିବାର କ୍ଷମତା ଅଛି। ପ୍ରାୟ ସମସ୍ତ ଅନ୍ୟ ରାଜ୍ୟରେ ପ୍ରଥମ ଥର ପାଇଁ ନିୟମ ଉଲ୍ଲଂଘନ ପାଇଁ ଜରିମାନା ୧୦୦୦ ଟଙ୍କା ଏବଂ ଦ୍ୱିତୀୟ ଥର ପାଇଁ ୨୦୦୦ ଟଙ୍କା, ଯେତେବେଳେ ଓଡ଼ିଶାରେ ସିଧାସଳଖ ୧୦,୦୦୦ ଟଙ୍କା କଟାଯାଇଥିଲା।
ଟୋଲ୍ ପ୍ଲାଜାରେ ସ୍ୱୟଂଚାଳିତ ଦେୟ ବ୍ୟବସ୍ଥା ସ୍ଥାପନ ପରେ ଏହି ସମସ୍ୟା ଆହୁରି ଜଟିଳ ହୋଇଥିଲା। କିନ୍ତୁ ଏଥିରୁ ମାତ୍ର ସାମାନ୍ୟ ଆଶ୍ୱସ୍ତି ଦେବାକୁ ଯାଇ ସରକାର ଜରିମାନା କମାଇଦେଇଛନ୍ତି।


