fbpx

ବେଆଇନ ଲିଙ୍ଗ ନିରୂପଣ କରୁଥିବା କ୍ଲିନିକ ଓ ହସ୍ପିଟାଲଙ୍କୁ ତ୍ରାହି ନାହିଁ: ସୂଚନା ଦେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯିବ ୨୫ ହଜାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବେଆଇନ ଲିଙ୍ଗ ନିରୂପଣକାରୀଙ୍କୁ ଆଉ ତ୍ରାହି ନାହିଁ । ବେଆଇନ ଲିଙ୍ଗ ନିରୂପଣକୁ ରୋକିବା ପାଇଁ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି । ବେଆଇନ ଲିଙ୍ଗ ନିରୂପଣ କରୁଥିବା କ୍ଲିନିକ ବିଷୟରେ ସୂଚନା ଦେଲେ ସୂଚନାଦାତାଙ୍କୁ ମିଳିବ ୨୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି । ତେବେ ସୂଚନାଦାତାଙ୍କ ସମସ୍ତ ତଥ୍ୟକୁ ଗୋପନ ରଖାଯିବା ସହ ତାଙ୍କୁ କୌଣସି ଆଇନଗତ ସମସ୍ୟାର ସମ୍ମୁଖୀନ ପଡ଼ିବ ନାହିଁ ।

ରାଜ୍ୟରେ ଅନେକ ସଂଖ୍ୟାରେ ସ୍ତ୍ରୀରୋଗ କ୍ଲିନିକ ଓ ହସ୍ପିଟାଲରେ ବେଆଇନ ଭାବେ ଲିଙ୍ଗ ନିରୂପଣ କାର୍ଯ୍ୟ ଚାଲିଛି । ତେବେ ସେମାନଙ୍କୁ ଚିହ୍ନଟ କରିବା ସମ୍ଭବପର ହେଉ ନଥିବାରୁ ଏହି କାର୍ଯ୍ୟ ଲୁଚାଛପାରେ ଜାରି ରହିଛି । ବେଆଇନ କାର୍ଯ୍ୟ କରୁଥିବା ହସ୍ପିଟାଲ ଓ କ୍ଲିନିକଙ୍କ ସମ୍ପର୍କରେ ପ୍ରାଥମିକ ସୂଚନା ପାଇବାରେ ବାଧା ସୃଷ୍ଟି ହେଉଛି । ଏଭଳି କ୍ଲିନିକଗୁଡ଼ିକୁ ଚିହ୍ନଟ କରିବା ପାଇଁ ପୂର୍ବରୁ ରାଜ୍ୟ ସରକାର ଏକ ଅପରେସନ ମଧ୍ୟ ଆରମ୍ଭ କରିଥିଲେ । ତେବେ ଉକ୍ତ ଯୋଜନା ଆଶାନୁରୂପ ଭାବେ ସଫଳତା ହାସଲ କରିପାରି ନଥିଲା ।

ଏଭଳି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ୨ ଜଣ ଡାକ୍ତରଙ୍କୁ ରାଜ୍ୟ ସରକାର ନିକଟରେ ଦଣ୍ଡିତ କରିଥିଲେ । ବେଆଇନ ଲିଙ୍ଗ ନିରୂପଣ କରୁଥିବା ସଂସ୍ଥା ସମ୍ପର୍କରେ ସୂଚନା ଦେବା ପାଇଁ ସରକାରଙ୍କ ତରଫରୁ ଏକ ନମ୍ବର ଜାରି କରାଯିବ । ସୂଚନା ମିଳିବା ପରେ ଜିଲ୍ଲା ଅନୁମୋଦନ କର୍ତ୍ତୃପକ୍ଷ ଏହାର ସତ୍ୟାସତ୍ୟ ଯାଞ୍ଚ କରିବେ । ଯଦି ସୂଚନା ଠିକ୍ ଥିବ ତେବେେ ସୂଚନା ପ୍ରଦାନକାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ମିଳିବ । ଯଦି ମାମଲା ଆଗକୁ ବଢ଼େ ଆଉ ଦଶ ହଜାର, ଦୋଷୀଙ୍କୁ ଦଣ୍ଡ ମିଳିଲେ ଆଉ ୫ ହଜାର ମିଳିବ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୧ ହଜାର ପୁଅଙ୍କ କ୍ଷେତ୍ରରେ ୮୯୪ ଜଣ ଝିଅ ରହିଛନ୍ତି । ରାଜ୍ୟରେ ଝିଅଙ୍କ ସଂଖ୍ୟା ହ୍ରାସ ପାଉଛି ବୋଲି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି । ତେଣୁ ରାଜ୍ୟ ସରକାର ଏଭଳି ପ୍ରୋତ୍ସାହନଭିତ୍ତିକ ନିଷ୍ପତ୍ତି ନେଇଛନ୍ତି । ତେବେ ରାଜ୍ୟ କି ଜିଲ୍ଲାସ୍ତରରେ ଏହି ସୂଚନା ସମ୍ପର୍କିତ ନମ୍ବର ଜାରି ହେବ ସେନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ।

Get real time updates directly on you device, subscribe now.