fbpx

ୟୁଟ୍ୟୁବ୍ ପାଠପଢା ବନ୍ଦ କର; କ୍ଲାସ୍ ରୁମ୍ ଖୋଲ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ୮୦ ପ୍ରତିଶତ ଛାତ୍ରଛାତ୍ରୀ ନିମ୍ନ ମଧ୍ୟବିତ ଅଥବା ଗରିବ ପରିବାରରୁ ଆସିଥାନ୍ତି । ଏପରି ଅନେକ ସ୍ଥାନ ରହିଛି ଯେଉଁଠି ବିଦ୍ୟୁତ ସେବା ମଧ୍ୟ ଅପହଞ୍ଚ ରହିଛି । ଏପରି ସ୍ଥଳେ ମୋବାଇଲ ଏବଂ ଇଣ୍ଟରନେଟ ବ୍ୟବହାର କରି କୋମଳମତି ଶିଶୁ ପାଠ କେମିତି ପଢିବ । ଏଣୁ ସରକାର ତୁରନ୍ତ ବିଦ୍ୟାଳୟ ଏବଂ କଲେଜ ଗୁଡିକୁ ଖୋଲନ୍ତୁ ବୋଲି ଦାବି କରିଛି ଅଖିଳ ଭାରତୀୟ ଛାତ୍ରସଂଘ (ଏଆଇଏସଏଫ)।

କୋଭିଡ ନିୟମ ମାନି ସପିଂ ମଲ୍ ଏବଂ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକୁ ଖୋଲାଯାଉଥିବା ବେଳେ ଶିକ୍ଷାନୁଷ୍ଠାନ ପ୍ରତି ପାତର ଅନ୍ତରକୁ ନେଇ ଉଠିଛି ପ୍ରଶ୍ନବାଚୀ । ବିବାହ ବ୍ରତ ଅନ୍ୟାଦି ଉତ୍ସବ ପାଇଁ ୨୫ ଜଣଙ୍କୁ ଅନୁମତି ରହିଥିବା ବେଳେ ସମାନ ନିୟମରେ ପାଠପଢା ମଧ୍ୟ ଆରମ୍ଭ କରାଯାଉ ବୋଲି ଏଆଇଏସଏଫ୍ ଦାବି କରିଛି । ଏପରି କିଛି ଦାବି ସହିତ ବୁଧବାର ମାହାଙ୍ଗା ବ୍ଲକ୍ କାର୍ଯ୍ୟାଳୟ ଘେରାଉ ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

କରୋନା ସମୟରେ ସରକାରୀ ସ୍କୁଲରେ ଶିକ୍ଷାଦାନ ବନ୍ଦ ରହିଥିବା ବେଳେ ଘରୋଇ ସ୍କୁଲ ପାଠ ନ ପଢାଇ ମଧ୍ୟ ଦେୟ ନେଉଛନ୍ତି । ଏପରି ସ୍ଥଳେ ମୋବାଇଲ ଏବଂ ଡାଟା ନଥିବା ଛାତ୍ରଛାତ୍ରୀ କରିବେ କଣ । ପାଠପଢାର ସୁଯୋଗ ପାଉନଥିବା ଏହି କୋମଳମତି ଶିଶୁଙ୍କ ମାନସିକ ସ୍ଥିତି ଉପରେ ମଧ୍ୟ ଏହା ପ୍ରଭାବ ପକାଉଛି । ତେଣୁ ସରକାର ତୁରନ୍ତ କ୍ଲାସରୁମ୍ ଶିକ୍ଷାଦାନ ଆରମ୍ଭ କରନ୍ତୁ ନଚେତ ସମସ୍ତ ଛାତ୍ରଛାତ୍ରୀଙ୍କୁ ମୋବାଇଲ/ଲାପଟପ ଓ ଡାଟାର ବନ୍ଦୋବସ୍ତ କରନ୍ତୁ । କଟକ ଜିଲ୍ଲା ଛାତ୍ରସଂଘ ଆବାହକ ଦୀନେଶ ରଞ୍ଜନ ରାଉତ ଏହି ବିକ୍ଷୋଭର ନେତୃତ୍ୱ ନେଇଥିବା ବେଳେ ଏଆଇଏସଏଫ୍ ରାଜ୍ୟ ସଭାପତି ସଙ୍ଘମିତ୍ରା ଜେନା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.