fbpx

ରାଜଧାନୀରେ ହେବ ବୁଲା କୁକୁର ଗଣନା, ଦାୟିତ୍ୱ ନେଲା ଏକ ସଂସ୍ଥା, BMCର ଯୋଜନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ କୁକୁରମାନେ ଆତଙ୍କ ମଚାଇଥାନ୍ତି । ବେଳେବେଳେ କିଛି କୁକୁର ହଠାତ୍ ଗାଡ଼ି ସାମ୍ନାକୁ ଚାଲି ଆସିବାରୁ ଦୁର୍ଘଟଣା ଘଟିଥାଏ । କିଛି ଯାତ୍ରୀ କୁକୁର କାମୁଡ଼ାରେ ଆହତ ମଧ୍ୟ ହୋଇଥାନ୍ତି । ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ କୁକୁରଙ୍କ ଜନ୍ମ ନିୟନ୍ତ୍ରଣ ପାଇଁ ଅସ୍ତ୍ରୋପଚାର କରାଯାଉଛି ।

ତେବେ ରାଜଧାନୀରେ କେତେ ସଂଖ୍ୟକ କୁକୁର ରହିଛନ୍ତି, କେତୋଟି କୁକୁର କାମୁଡ଼ା ମାମଲା ରହିଛି, ଲୋକଙ୍କୁ ଏ ନେଇ ସଚେତନ କରିବା ନେଇ ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । କୁକୁରଙ୍କ ପାଇଁ ଆଶ୍ରୟସ୍ଥଳ ନିର୍ମାଣ କରିବା, କୁକୁର ମାଲିକ ଓ ବ୍ରିଡରଙ୍କ ପାଇଁ ଗାଇଡଲାଇନ୍ସ ସ୍ଥିର କରିବା ଉପରେ ବିଏମସି ପକ୍ଷରୁ ଆୟୋଜିତ ବୈଠକରେ ଆଲୋଚନା ହୋଇଛି । ତେବେ ଆନିମଲ ବାର୍ଥ କଣ୍ଟ୍ରୋଲ (ଏବିସି) ପାଇଁ ବିଏମସି ପକ୍ଷରୁ ମହାରାଷ୍ଟ୍ରର ଏକ ସଂସ୍ଥା ଭେଟ୍ ଫର୍ ଆନିମଲକୁ ଦାୟିତ୍ୱ ଦିଆଯାଇଛି ।

ଏହି ସଂସ୍ଥାର ସଦସ୍ୟମାନେ ବୁଲା କୁକୁରଙ୍କୁ ରାସ୍ତାରୁ ନେଇ ଶହୀଦନଗର ସ୍ଥିତ ଭେଟେରିନାରୀ ହସ୍ପିଟାଲରେ ରଖି ପରେ ଅସ୍ତ୍ରୋପଚାର କରାଯାଇଥାଏ । ଏହାପରେ କୁକୁରଙ୍କୁ ଆଣ୍ଟି ରେବିଜ୍ ଭ୍ୟାକ୍ସିନ ଦେବା ପରେ ପୂର୍ବ ସ୍ଥାନରେ ଛାଡ଼ି ଦିଆଯାଇଥାଏ । ଗୋଟିଏ କୁକୁରକୁ ଧରିବା ଓ ଅସ୍ତ୍ରୋପଚାର, ଭ୍ୟାକ୍ସିନେସନ ପାଇଁ ବିଏମସି ପକ୍ଷରୁ ଉକ୍ତ ସଂସ୍ଥାକୁ ୧୬୫୦ ଟଙ୍କା ପ୍ରଦାନ କରାଯାଇଛି । ନଭେମ୍ବର ମାସରେ ଟେଣ୍ଡର ପ୍ରକ୍ରିୟା ସରିବା ପରେ ଉକ୍ତ ସଂସ୍ଥା କାର୍ଯ୍ୟ ଆରମ୍ଭ କରିଛି । ଏହା ମଧ୍ୟରେ ଡିସେମ୍ବର ୬ ତାରିଖ ମଧ୍ୟରେ ୩୭୫ କୁକୁରଙ୍କୁ ଧରାଯାଇଥିବା ବେଳେ ୩୫୦ କୁକୁରଙ୍କ ଅସ୍ତ୍ରୋପଚାର କରାଯାଇଛି ।

Get real time updates directly on you device, subscribe now.