ଅର୍ଥ ଅଭାବରୁ ପାଠ ପଢ଼ା ଛାଡ଼ିଥିଲେ, ମୟାନଗରୀରେ ରାସ୍ତାରେ ବୁଲି ପେନ୍ ବିକୁଥିଲେ

୧୮ ବର୍ଷ ବୟସରେ ସେ ବାପାଙ୍କ ସହିତ ହିନ୍ଦୁସ୍ତାନ ଲିଭର କମ୍ପାନୀରେ କାମ କରିବାକୁ ଯାଇଥିଲେ। ସେଠାରେ କାମ କରିବା ସହିତ କମ୍ପାନୀର ବଡ଼ବଡ଼ ଅଫିସରଙ୍କ ନଲକ କଲେ

ମୁମ୍ବାଇ: ଟିଣ ଛପର ଘର। ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ରର କିରଣ ଘର ଭିତରେ ପଡ଼ୁଥିଲା। ଆଉ ଘର ଦୁଆର ମୁହଁରେ ମଦୁଆ ଓ ଜୁଆଡ଼ିଙ୍କ ଆଡ୍ଡା ଜମୁଥିଲା। ସେମାନଙ୍କ ଚାଲି ଚଳଣକୁ ନିରିଖି ଦେଖୁଥିଲେ ଓ ପରବର୍ତ୍ତୀ ସମୟରେ ସେମିତି ଅଭିନୟ କରିବାକୁ ଚେଷ୍ଟା କରୁଥିଲେ। ଆଉ ସେଥିରେ କିଛି ମାତ୍ରାରେ ସଫଳ ମଧ୍ୟ ହୋଇଥିଲେ। କହିବାକୁ ଗଲେ ସେହି ବସ୍ତି ହିଁ ତାଙ୍କୁ ହସାଇବା ଓ କନ୍ଦାଇବା କଳା ଦେଇଥିଲା। ଆଉ ପରବର୍ତ୍ତୀ ସମୟରେ ସେ ବନି ଯାଇଥିଲେ କମେଡି କିଙ୍ଗ ଜନି ଲିଭର । ୩୦୦ରୁ ଅଧିକ ଫିଲ୍ମରେ ଅଭିନୟ କରି ବଲିଉଡ୍‌ରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଆଜି ଆସନ୍ତୁ ତାଙ୍କ ସଂଘର୍ଷର କାହାଣୀ ପଢ଼ିବା।

ଜନି ଲିଭରଙ୍କ ପ୍ରକୃତ ନାଁ ହେଉଛି ଜନ ପ୍ରକାଶ ରାଓ। ତାଙ୍କର ଜନ୍ମ ୧୯୫୭ ଅଗଷ୍ଟ ୧୪ ତାରିଖରେ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାର ଏକ ଛୋଟ ଗାଁରେ। ତାଙ୍କ ବାପା ମୁମ୍ବାଇରେ ହିନ୍ଦୁସ୍ଥାନ ଲିଭର କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିବାରୁ ପୂରା ପରିବାର ମୁମ୍ବାଇର କିଂଗ ସର୍କଲ ଅଞ୍ଚଳରେ ଏକ ବସ୍ତିରେ ରହୁଥିଲେ। ଏହି ବସ୍ତିଟି ଏମିତି ଥିଲା, ଯେଉଁଠି ଭାରତର ବିଭିନ୍ନ ରାଜ୍ୟ ଓ ପଡୋଶୀ ଦେଶର ଲୋକେ ବାସ କରୁଥିଲେ।

ଜନ ସେମାନଙ୍କ ସହିତ କଥା ହେଉଥିଲେ ଓ ବସୁଥିଲେ। ସେମାନଙ୍କ ଭାଷାକୁ ଶିଖିବାକୁ ଚେଷ୍ଟା କରୁଥିଲେ। ଆଜି ଯଦି ସେ ଜଣେ ସଫଳ କମେଡିଆନ ହୋଇପାରିଛନ୍ତି, ସେଥିରେ ସେହି ବସ୍ତିର ପ୍ରମୁଖ ଭୂମିକା ରହିଛି ବୋଲି ଜନ ଏକ ସାକ୍ଷାତକାରରେ କହିଛନ୍ତି। ଜନ ସପ୍ତମ ଶ୍ରେଣୀ ପର‌୍ୟ୍ୟନ୍ତ ପାଠ ପଢ଼ିଛନ୍ତି। ଅର୍ଥ ଅଭାବରୁ ଅଧିକ ପାଠ ପଢ଼ିପାରିଲେ ନାହିଁ। ଘରର ଦୁଃଖ ନିଜ ମୁଣ୍ଡ ଉପରେ ନେବା ପାଇଁ ସେ ରାସ୍ତା ପାର୍ଶ୍ୱରେ କଲମ ବିକ୍ରି କରୁଥିଲେ।

୧୮ ବର୍ଷ ବୟସରେ ସେ ବାପାଙ୍କ ସହିତ ହିନ୍ଦୁସ୍ତାନ ଲିଭର କମ୍ପାନୀରେ କାମ କରିବାକୁ ଯାଇଥିଲେ। ସେଠାରେ କାମ କରିବା ସହିତ କମ୍ପାନୀର ବଡ଼ବଡ଼ ଅଫିସରଙ୍କ ନଲକ କଲେ। ଏଥିପାଇଁ ତାଙ୍କୁ ବହୁ ପ୍ରଶଂସା ମଧ୍ୟ ମଳୁଥିଲା। ଏପରିକି କମ୍ପାନୀର ବାର୍ଷିକ ଉତ୍ସବରେ ଷ୍ଟାଣ୍ଡଅପ୍ କମେଡି କଲେ। ସେହିଠାରେ ତାଙ୍କ ସେ ଜନ ରାଓରୁ ଜନି ଲିଭର ହୋଇଗଲେ। କମ୍ପାନୀରେ କାମ କରିବା ସହିତ ଜନି ଷ୍ଟେଜ ଶୋ’ କଲେ। ଏଥିରୁ କିଛି ପଇସା ମିଳୁଥିଲା। ଯେଉଁଥିରେ ପରିବାର ଚଳି ଯାଉଥିଲା। ତେଣୁ ୧୯୮୧ ମସିହାରେ ସେ ହିନ୍ଦୁସ୍ଥାନ ଲିଭରରୁ ଚାକିରି ଛାଡ଼ି ନିୟମିତ ଷ୍ଟେଜ ଶୋ’ କରିବାରେ ଲାଗିଗଲେ।

ସେହି ସମୟରେ ଗୋଟିଏ ଷ୍ଟେଜ ଶୋ’ କଲେ ୩୦ ଟଙ୍କା ମିଳୁଥିଲା।ଷ୍ଟେଜ ଶୋ’ କରୁ କରୁ ଧୀରେ ଧୀରେ ତାଙ୍କର ଲୋକପ୍ରିୟତା ବଢ଼ିଲା। ୧୯୮୨ ମସିହାରେ ସେ ଅମିତା ବଚ୍ଚନଙ୍କ ସହିତ ଷ୍ଟେଜ ଶୋ’ କରିଥିଲେ। ଏହା ପରେ ମଧ୍ୟ ତାଙ୍କୁ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ମିଳିନଥିଲା।

ଥରେ ଷ୍ଟେଜରେ କମେଡି କରୁଥିବା ବେଳେ ନିର୍ଦ୍ଦେଶକ ସୁନୀଲ ଦତ୍ତଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ସେ ତାଙ୍କୁ ଡାକି ‘ଡର କା ରିସ୍ତା’ ଫିଲ୍ମରେ ଅଭିନୟ କରିବାକୁ ସାଇନ କରିଥିଲେ। ପରେ ସେ ନାଶରିରୁଦ୍ଦିନ ଶାହାଙ୍କ ଅଭିନିତ ‘ଜଲୱା’ରେ ମଧ୍ୟ ଅଭିନୟ କରିଥିଲେ। ମାତ୍ର ୧୯୯୩ ମସିହାରେ ମୁକ୍ତିଲାଭ କରିଥିବା ଶାହାରୁଖ ଖାନଙ୍କ ଅଭିନିତ ଫିଲ୍ମ ‘ବାଜିଗର’ ତାଙ୍କୁ ବଲିଉଡ୍‌ରେ ପରିଚିତ କରାଇଥିଲା। ତାହା ପରଠାରୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇ ଚାଲିଛନ୍ତି।

ଯେଉଁଥିପାଇଁ ସେ ୧୩ ଥର ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି। ଜନି ଲିଭର ଜଣେ ସାଧାସିଧା ଓ ସରଳ ମଣିଷ। ତାଙ୍କ ପାଖରେ ଆଜି ଅର୍ଥର ଅଭାବ ନଥିଲେ ମଧ୍ୟ ସେ ପୁରୁଣା ଦିନକୁ କେବେ ଭୁଲି ନାହାନ୍ତି। ସମୟ ମିଳିଲେ ଷ୍ଟେଜ ଶୋ’ କରୁଥିବା ସାଥୀ କଳାକାରଙ୍କୁ ଦେଖା କରିବାକୁ ଯାଆନ୍ତି ଓ ସେମାନଙ୍କ ସହିତ ସମୟ ଅତିବାହିତ କରନ୍ତି। ଜନି ସୁଜାତାଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇ ପିଲା ଅଛନ୍ତି। ସେମାନଙ୍କୁ ନେଇ ଏ ଶୁଖର ସଂସାର ଗଡ଼ି ଚାଲିଛି। ବାପାଙ୍କ ପରି ତାଙ୍କ ଝିଅ ମଧ୍ୟ ମନୋରଞ୍ଜନ ଦୁନିଆରେ ପାଦ ଥାପିଛନ୍ତି। ବାପାଙ୍କ କମେଡିକୁ ଆଗେଇ ନେଉଛନ୍ତି।