ହଷ୍ଟେଲ୍ରେ କାମୁଡ଼ି ଦେଲା ସାପ; ଜଣେ ଛାତ୍ରଙ୍କ ମୃତ୍ୟୁ, ଆଉ ଜଣେ ମେଡିକାଲରେ
ଶନିବାର ରାତିରେ ପିଲାମାନେ ଖାଇ ହଷ୍ଟେଲରେ ଶୋଇଥିଲେ। ତେବେ ବିଳମ୍ବିତ ରାତିରେ ଏକ ବିଷାକ୍ତ ସାପ ରୁମ୍ ଭିତରେ ପଶିଥିଲା। ଆଉ ଦୁଇ ଜଣ ଛାତ୍ରଙ୍କୁ କାମୁଡ଼ି ଦେଇଥିଲା।
ଭୁବନେଶ୍ୱର: ହଷ୍ଟେଲରେ ଶୋଇଥିବା ବେଳେ କାମୁଡ଼ି ଦେଲା ସାପ। ଯାହାଫଳରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଶନିବାର ବିଳମ୍ବିତ ରାତିରେ ଏପରି ହୃଦୟବିଦାରକ ଘଟଣା ପୁରୀ ଜିଲ୍ଲା ଡେଲାଙ୍ଗ ମୁନିଦା ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ଘଟିଛି। ଗୁରୁତର ଅସୁସ୍ଥ ଛାତ୍ରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଶନିବାର ରାତିରେ ପିଲାମାନେ ଖାଇ ହଷ୍ଟେଲରେ ଶୋଇଥିଲେ। ତେବେ ବିଳମ୍ବିତ ରାତିରେ ଏକ ବିଷାକ୍ତ ସାପ ରୁମ୍ ଭିତରେ ପଶିଥିଲା। ଆଉ ଦୁଇ ଜଣ ଛାତ୍ରଙ୍କୁ କାମୁଡ଼ି ଦେଇଥିଲା। ଯାହାଫଳରେ ଉଭୟ ଗୁରୁତର ଆହତ ହୋଇପଡ଼ିଥିଲେ। ଉଭୟଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ଛାତ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।
ଅନ୍ୟପକ୍ଷରେ ସାପଟି କାମୁଡ଼ିବା ପରେ ସେହି ରୁମ୍ରେ ରହିଥିଲା। ସ୍କୁଲ କର୍ତ୍ତୃପକ୍ଷ ଏନେଇ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟଙ୍କୁ ଖବର ଦେଇଥିଲେ। ସ୍ନେକ ହେଲ୍ପ ଲାଇନ କର୍ମକର୍ତ୍ତାମାନେ ସ୍କୁଲରେ ପହଞ୍ଚି ସାପଟିକୁ ଧରିଥିଲେ।
ବିପର୍ଯ୍ୟୟ ପରିଚାଳନା ଶାଖାର ପରିସଂଖ୍ୟାନ ଅନୁଯାୟୀ, ୨୦୧୮-୧୯ ମସିହାରେ ସର୍ପାଘାତ ଯୋଗୁଁ ଅତିକମରେ ୧,୦୨୬ ଜଣଙ୍କ ଜୀବନ ଯାଇଛି। ଠିକ୍ ସେହିପରି ୨୦୧୯-୨୦ ମସିହାରେ ୯୨୯, ୨୦୨୦-୨୧ ୧,୧୮୫, ୨୦୨୧-୨୨ ୯୫୪ ଓ ୨୦୨୨-୨୩ ବର୍ଷରେ ୭୪୫ ଜଣଙ୍କ ମୃତ୍ୟୁ ହୋଇଛି। ବିଶେଷ କରି ବର୍ଷା ଋତୁରେ ବେଶୀ ସାପ କାମୁଡ଼ୁଛନ୍ତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ବର୍ଷକୁ ପ୍ରାୟ ୧୦୦୦ ଲୋକଙ୍କ ଜୀବନ ସାପ କାମୁଡ଼ାରେ ଯାଉଛି।

