ସୁବର୍ଣ୍ଣରେଖାର ବନ୍ୟା, ଭାଙ୍ଗିଲା ସ୍ଲୁଇସ୍ ଗେଟ୍, ଗାଁକୁ ସୁ ସୁ ହୋଇ ମାଡ଼ିଆସିଲା ପାଣି, ଲୋକେ ଭୟଭୀତ
ପାଣି କମୁଛି, ହେଲେ ବିପଦ ଟଳିନି! ଭାଙ୍ଗିଲା ଆଉସା ବନ୍ଧ ଗେଟ୍
ବାଲେଶ୍ୱର: ସୁବର୍ଣ୍ଣରେଖା ନଦୀରେ ବନ୍ୟାପାଣିର ପ୍ରବଳ ସ୍ରୋତ ଯୋଗୁଁ ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ ବଢ଼ିଛି ବନ୍ୟା ବିପଦ। ଭୋଗରାଇ ଆଉସା ବନ୍ଧର ଗେଟ୍ରେ ବିରାଟ ଫାଟ ସୃଷ୍ଟି ହୋଇଥିବା ବେଳେ ବନ୍ୟାପାଣିର ମାଡ଼ରେ ଗେଟ୍ଟି ଭାଙ୍ଗିଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।
ସୁବର୍ଣ୍ଣରେଖା ନଦୀରେ ବନ୍ୟାପାଣି ବଢ଼ିବା ପରେ ପ୍ରବଳ ସ୍ରୋତରେ ଆଉସା ବନ୍ଧ ଗେଟ୍ ଉପରେ ଚାପ ବଢ଼ିଥିଲା। ଫଳରେ ଗେଟ୍ରେ ବଡ଼ ଫାଟ ଦେଖାଦେବା ସହ ଏହାର ଏକ ଅଂଶ ଭାଙ୍ଗିଯାଇଛି। ଗେଟ୍ ଭାଙ୍ଗିବା ପରେ ବନ୍ୟାପାଣି ନିକଟସ୍ଥ ଗାଁଗୁଡ଼ିକ ଆଡ଼କୁ ପ୍ରବେଶ କରୁଥିବାରୁ ଲୋକଙ୍କ ମଧ୍ୟରେ ଆଶଙ୍କା ଆହୁରି ବଢ଼ିଛି।
ସବୁଠାରୁ ବଡ଼ ଚିନ୍ତାର କାରଣ ହେଉଛି, ଯଦି ଆଉସା ବନ୍ଧର ଗେଟ୍ଟି ସମ୍ପୂର୍ଣ୍ଣ ଭାଙ୍ଗିଯାଏ, ତେବେ ଭୋଗରାଇ ବ୍ଲକର ପ୍ରାୟ ୬ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା ରହିଛି।
ବନ୍ୟାପାଣି ଏହି ପଞ୍ଚାୟତଗୁଡ଼ିକର ଅନେକ ଗାଁରେ ପଶିବା ସହ ଜନଜୀବନ ବ୍ୟାହତ ହୋଇପାରେ। ଏଥିସହ ଚାଷଜମି ମଧ୍ୟ ଜଳମଗ୍ନ ହୋଇ ବ୍ୟାପକ କ୍ଷୟକ୍ଷତି ହେବା ନେଇ ଚିନ୍ତା ପ୍ରକାଶ ପାଇଛି।
ଅନ୍ୟପଟେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ଧୀରେ ଧୀରେ କମୁଥିବା ସୂଚନା ମିଳିଛି। ତେବେ ଜଳସ୍ତର ଏବେ ବି ବିପଦ ସଙ୍କେତ ଉପରେ ରହିଥିବାରୁ ବିପଦ ଟଳିନଥିବା କୁହାଯାଉଛି। ନଦୀରେ ପାଣି କମୁଥିଲେ ମଧ୍ୟ ଗେଟ୍ରେ ସୃଷ୍ଟି ହୋଇଥିବା ବିରାଟ ଫାଟ ଯୋଗୁଁ ଯେକୌଣସି ସମୟରେ ପରିସ୍ଥିତି ଗମ୍ଭୀର ହୋଇପାରେ।
ଗେଟ୍ ଭାଙ୍ଗିବା ଯୋଗୁଁ ନିକଟସ୍ଥ ଅଞ୍ଚଳରେ ବନ୍ୟାପାଣି ପ୍ରବେଶ କରୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଲୋକଙ୍କ ମଧ୍ୟରେ ଆଗୁଆ ସତର୍କତା ଜାରି କରିବା ସହ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବାକୁ ଦାବି ହେଉଛି।
ବର୍ତ୍ତମାନ ସମସ୍ତଙ୍କ ନଜର ଆଉସା ବନ୍ଧ ଗେଟ୍ ଉପରେ ରହିଛି। ଗେଟ୍ର ଫାଟ ଆହୁରି ବଢ଼ୁଛି କି ନାହିଁ ଏବଂ ବନ୍ୟାପାଣିର ସ୍ଥିତି କିଭଳି ରହୁଛି, ତାହା ଉପରେ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ନଜର ରହିଛି। ଗେଟ୍ଟି ସମ୍ପୂର୍ଣ୍ଣ ଭାଙ୍ଗିଗଲେ ଭୋଗରାଇ ବ୍ଲକର ୬ଟି ପଞ୍ଚାୟତରେ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।


