୬ ବର୍ଷର ପ୍ରେମର ଏମିତି ଅନ୍ତ! ହଠାତ୍ ୭ମ ମହଲାରୁ ଡେଇଁଲେ ପ୍ରେମୀ ଯୁଗଳ, ଜଣଙ୍କର ମୃତ୍ୟୁ…

୬ ବର୍ଷର ପ୍ରେମ ପରେ ଏମିତି କାହିଁକି ଘଟିଲା? କୌଣସି ବିବାଦ ଥିଲା କି, ରହସ୍ୟ ଖୋଜୁଛି ପୋଲିସ।

ବେଙ୍ଗାଲୁରୁ: ୬ ବର୍ଷର ରିଲେସନ୍‌ସିପ୍… ହେଲେ ହଠାତ୍ ଏମିତି କ’ଣ ହେଲା ଯେ, ୭ମ ମହଲାରୁ ତଳକୁ ଡେଇଁପଡିଲେ ପ୍ରେମୀ ଯୁଗଳ? ଆଉ ଏହି ଘଟଣାରେ ଯୁବତୀ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ, ଯୁବକ ଜଣକ ହସ୍ପିଟାଲରେ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି। ତେବେ ଘଟଣା ପୂର୍ବରୁ ଦୁହିଁଙ୍କ ମଧ୍ୟରେ କ’ଣ ଘଟିଥିଲା? ପୋଲିସ ତଦନ୍ତରେ ସାମ୍ନାକୁ ଆସୁଛି କିଛି ଚାଞ୍ଚଲ୍ୟକର ତଥ୍ୟ…

ସକାଳ ପ୍ରାୟ ୧୧ଟା ୩୦। ବେଙ୍ଗାଲୁରୁର ହ୍ୱାଇଟଫିଲ୍ଡ ଅଞ୍ଚଳରେ ହଠାତ୍ ଘଟିଲା ଏମିତି ଏକ ଘଟଣା, ଯାହାକୁ ନେଇ ଏବେ ଚାଞ୍ଚଲ୍ୟ ଖେଳିଯାଇଛି। ଏକ ରେସିଡେନ୍ସିଆଲ୍ ବିଲ୍ଡିଂର ୭ମ ମହଲାରୁ ତଳକୁ ପଡ଼ିଗଲେ ଜଣେ ଯୁବତୀ ଓ ଜଣେ ଯୁବକ। ଘଟଣାରେ ୨୩ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ ବର୍ଷୀୟ ଯୁବକ ଗୁରୁତର ଆହତ ହୋଇଛନ୍ତି।

ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, କାହିଁକି ୭ମ ମହଲାରୁ ତଳକୁ ପଡ଼ିଲେ ଦୁହେଁ? ଘଟଣା ପୂର୍ବରୁ କ’ଣ ଘଟିଥିଲା?

ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଯୁବତୀ ଜଣକ ବିଲ୍ଡିଂରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ସନ୍ଦେହ କରାଯାଉଛି। ତେବେ ଏହି ଘଟଣା ପଛରେ ଦୁହିଁଙ୍କ ମଧ୍ୟରେ କୌଣସି ଝଗଡ଼ା ଥିଲା କି ନାହିଁ, ସେନେଇ ମଧ୍ୟ ପୋଲିସ ତଦନ୍ତ କରୁଛି।

ହ୍ୱାଇଟଫିଲ୍ଡ ପୋଲିସ ଇନ୍ସପେକ୍ଟର ପ୍ରୀତମ ଗୌଡ଼ାଙ୍କ କହିବା ଅନୁସାରେ, ପ୍ରାଥମିକ ଭାବେ ଲାଗୁଛି ଯେ ଦୁହିଁଙ୍କ ମଧ୍ୟରେ କିଛି ଝଗଡ଼ା ହୋଇଥିଲା। ତେବେ ଏହା ହିଁ ଘଟଣାର ପ୍ରକୃତ କାରଣ କି ନାହିଁ, ତାହା ଏବେବି ସ୍ପଷ୍ଟ ହୋଇନାହିଁ। ପୋଲିସ ସବୁ ଦିଗକୁ ନଜରରେ ରଖି ତଦନ୍ତ ଚଲାଇଛି।

ପୋଲିସ ସୂଚନା ଅନୁସାରେ, ଉଭୟେ ପୁଡୁଚେରୀର ବାସିନ୍ଦା ଏବଂ ଗତ ପ୍ରାୟ ୬ ବର୍ଷ ଧରି ରିଲେସନ୍‌ସିପ୍‌ରେ ଥିଲେ। ମୃତ ଯୁବତୀ ଗତ ୮ ମାସ ହେବ ହ୍ୱାଇଟଫିଲ୍ଡରେ ଜଣେ ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରୁଥିଲେ।

ଘଟଣା ପରେ ଗୁରୁତର ଆହତ ଯୁବକଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ଗୁରୁତର ଅବସ୍ଥାରେ ଚିକିତ୍ସା ଚାଲିଛି। ଅନ୍ୟପଟେ ଯୁବତୀଙ୍କ ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ପଠାଯାଇଛି। ପୋଲିସ ମେଡିକାଲ୍ ରିପୋର୍ଟକୁ ମଧ୍ୟ ଅପେକ୍ଷା କରିଛି।

ଏହି ଘଟଣାକୁ ନେଇ ହ୍ୱାଇଟଫିଲ୍ଡ ପୋଲିସ ଏକ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ କରିଛି। ଦୁହିଁଙ୍କୁ ଜାଣିଥିବା ଲୋକଙ୍କୁ ପଚରାଉଚରା କରାଯାଉଛି। ୭ମ ମହଲାରୁ ଦୁହେଁ କିପରି ତଳକୁ ପଡ଼ିଲେ ଏବଂ ଘଟଣା ପୂର୍ବରୁ ପ୍ରକୃତରେ କ’ଣ ଘଟିଥିଲା-ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।