ପାର୍ବଣ ପୂର୍ବରୁ ଆସିଲା ଭଲ ଖବର: ଖସିଲା ଚିନି ଦର! ଆଗକୁ ଆହୁରି କମିପାରେ

ଗତ କିଛି ତଳେ ବଜାରରେ ଚିନି କିଲୋ ପିଛା ୬୦ରୁ ୭୦ ଟଙ୍କାରେ ବିକ୍ରି ହେଉଥିଲା। ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା

ନୂଆଦିଲ୍ଲୀ: ଆସୁଛି ପାର୍ବଣ ଋତୁ। ତା’ପୂର୍ବରୁ ଗ୍ରାହକଙ୍କ ପାଇଁ ଆସିଛି ଭଲ ଖବର। ଖୁଚୁରା ବଜାରରେ ଚିନି ଦରରେ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ସରକାରଙ୍କ ପକ୍ଷରୁ ନିଆଯାଇଥିବା କେତେକ ପଦକ୍ଷେପ ପରେ ଯୋଗାଣ ଉପରେ ଥିବା ଚାପ କିଛି ମାତ୍ରାରେ କମିଥିବା କୁହାଯାଉଛି। ଏହାର ପ୍ରଭାବ ଏବେ ଖୁଚୁରା ବଜାରରେ ଦେଖିବାକୁ ମିଳିଛି।

ଗତ କିଛି ତଳେ ବଜାରରେ ଚିନି କିଲୋ ପିଛା ୬୦ରୁ ୭୦ ଟଙ୍କାରେ ବିକ୍ରି ହେଉଥିଲା। ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସରକାରଙ୍କ ଉପରେ ଚାପ ବଢ଼ିଥିଲା। ଲୋକଙ୍କ ଆକ୍ରୋଶରେ ଶିକାର ହୋଇଥିଲେ ସରକାର। ଏହା ପରେ ସରକାର କେତେକ ନୀତିଗତ ପଦକ୍ଷେପ ନେଇଥିଲେ। ଯେଉଁଥିପାଇଁ ଚିନି ଦର ସାମାନ୍ୟ ହ୍ରାସ ପାଇଛି। ବୁଧବାର ଦେଶର ବିଭିନ୍ନ ସହରରେ ଚିନି ଦର ହ୍ରାସ ପାଇଥିବା ରେକର୍ଡ କରାଯାଇଛି।

ବଜାରରୁ ମିଳିଥିବା ତଥ୍ୟ ଅନୁସାରେ ଦିଲ୍ଲୀରେ ଚିନି କିଲୋ ୫୬ ଟଙ୍କା, ଉତ୍ତରପ୍ରଦେଶର କାନପୁରରେ ୫୬ ଟଙ୍କା, ଛତିଶଗଡ଼ ରାୟପୁରରେ ୫୫ ଟଙ୍କା, ମୁମ୍ବାଇରେ ୫୫ ଟଙ୍କା, ଝାଡ଼ଖଣ୍ଡର ରାଞ୍ଚିରେ ୫୬ ଟଙ୍କା, କୋଲକାତାରେ ୫୭ ଟଙ୍କା, ଆସାମର ଗୁଆହାଟୀରେ ୫୮ ଟଙ୍କା, ହାଇଦ୍ରାବାଦରେ ୫୬ ଟଙ୍କା ଓ ଚେନ୍ନାଇରେ ଚିନି କଲୋ ୫୮ ଟଙ୍କାରେ ବିକ୍ରି ହେଉଛି।

ଖୁଚୁରା ବଜାରରେ ଚିନି ଦର କମିଥିବା ବେଳେ ହୋଲସେଲ ବଜାରରେ କେତେକ ସହରରେ ଦର ବଢ଼ିଛି। ଦିଲ୍ଲୀରେ କ୍ୱିଣ୍ଟାଲ ପିଛା ୫,୧୫୦ ଓ କାନପୁରରେ ୫,୨୦୦ ଟଙ୍କାରେ ବିକ୍ରି ହେଉଛି। ଠିକ୍ ସେହିପରି ରାୟପୁରରେ କ୍ୱିଣ୍ଟାଲ ପିଛା ୪,୮୫୦ରୁ ବଢ଼ି ₹୫,୧୫୦, ମୁମ୍ବାଇରେ ୫,୧୦୦, ରାଞ୍ଚିରେ ୫,୩୦୦, କୋଲକାତାରେ ୫,୩୫୦, ଗୁଆହାଟୀରେ ୫,୪୦୦, ହାଇଦ୍ରାବାଦରେ ୫,୨୫୦ ଓ ଚେନ୍ନାଇରେ ୫,୬୦୦ ଟଙ୍କା ବଢ଼ିଥିବା ଜଣାପଡ଼ିଛି। ଏହି ସମୟରେ ଶ୍ରୀ ରେଣୁକା ସୁଗାର୍ସ ଆଡଭାନ୍ସ ଲାଇସେନ୍ସିଂ ସ୍କିମ ଅଧୀନରେ ପ୍ରସ୍ତୁତ ପ୍ରାୟ ୨.୫ ଲକ୍ଷ ଟନ ଚିନି ଘରୋଇ ବଜାରରେ ବିକ୍ରି କରିବାକୁ ପ୍ରସ୍ତାବ ଦେଇଛି। ଏହି ଅତିରିକ୍ତ ଯୋଗାଣ ବଜାରକୁ ଆସିଲେ ଆଗାମୀ ଦିନରେ ଚିନିର ଉପଲବ୍ଧତା ଆହୁରି ବଢ଼ିପାରେ। ଫଳରେ ପାର୍ବଣ ଋତୁରେ ଚିନି ଦର ଉପରେ ଚାପ କିଛି ମାତ୍ରାରେ କମିବା ଆଶା କରାଯାଉଛି।