କୋଲକାତା ସୁରେନ୍ଦ୍ରନାଥ କଲେଜରୁ ମିଳିଲା ସୁଟ୍‌କେସ ଭର୍ତ୍ତି ଟଙ୍କା ଓ ବନ୍ଧୁକ

ସୁଟକେସ୍ ଗୁଡ଼ିକରେ ଥିବା ନୋଟ୍ ବାଣ୍ଡଲ ଗୁଡ଼ିକ ମଧ୍ୟରୁ ଅଧିକାଂଶ ନଷ୍ଟ ଓ ଚିରି ଯାଇଛି। ମୁଚିପଡ଼ା ଥାନା ପୋଲିସ ତୁରନ୍ତ ସୁଟକେସ୍ ଗୁଡ଼ିକୁ ଜବତ କରିବା ସହ ଘଟଣାସ୍ଥଳରୁ ଏକ ବନ୍ଧୁକ ଉଦ୍ଧାର କରିଛି

କୋଲକାତା: କଲକାତା ସୁରେନ୍ଦ୍ରନାଥ କଲେଜରୁ ଆଜି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। କ୍ୟାମ୍ପସ ଭିତରେ ଥିବା ଏକ ବନ୍ଦ କୋଠରୀରୁ ଚିରା ନୋଟ୍ ଭର୍ତ୍ତି ଦୁଇଟି ସୁଟକେସ୍ ମିଳିଛି। ନିୟମିତ ସଫେଇ ସମୟରେ ଏହି ସୁଟକେସ୍ ଗୁଡ଼ିକ ମିଳିବା ପରେ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଆଶର୍ଯ୍ୟ ହୋଇଯାଇଛନ୍ତି। ଯେଉଁଥିରେ କୋଟିକୋଟି ଟଙ୍କା ଥିବା ଜଣାପଡ଼ିଛି। ଏଥିସହ ଗୋଟିଏ ବନ୍ଧୁକ ମଧ୍ୟ ମିଳିଛି।

ରିପୋର୍ଟ ଅନୁଯାୟୀ, ସୁଟକେସ୍ ଗୁଡ଼ିକରେ ଥିବା ନୋଟ୍ ବାଣ୍ଡଲ ଗୁଡ଼ିକ ମଧ୍ୟରୁ ଅଧିକାଂଶ ନଷ୍ଟ ଓ ଚିରି ଯାଇଛି। ମୁଚିପଡ଼ା ଥାନା ପୋଲିସ ତୁରନ୍ତ ସୁଟକେସ୍ ଗୁଡ଼ିକୁ ଜବତ କରିବା ସହ ଘଟଣାସ୍ଥଳରୁ ଏକ ବନ୍ଧୁକ ଉଦ୍ଧାର କରିଛି। ଚିରା ଟଙ୍କାର ସମୁଦାୟ ମୂଲ୍ୟ ଏପର‌୍ୟ୍ୟନ୍ତ ଜଣାପଡ଼ି ନାହିଁ। ତଥାପି କୋଟି କୋଟି ହେବ ବୋଲି ଅନୁମାନ କରାଯାଉଛି। ଏହି ନୋଟ୍ ଗୁଡ଼ିକ ପୁରୁଣା ନା ନୂଆ, ତାହା ଉପରେ ତଦନ୍ତ ଚଳାଇଛି ପୋଲିସ।

କଲେଜର ବନ୍ଦ କୋଠରୀରେ ଏହି ଟଙ୍କା କିଏ ଓ କେଉଁ ଉଦ୍ଦେଶ୍ୟରେ ରଖିଥିଲା? ଏହି ଲୁକ୍କାୟିତ ଟଙ୍କାର ଉତ୍ସ ଏବଂ ଏହା ପଛର ପ୍ରକୃତ ଉଦ୍ଦେଶ୍ୟ ଖୋଜିବା ପାଇଁ କଲେଜ କର୍ତ୍ତୃପକ୍ଷ ପୋଲିସ ସହ ମିଶି ତଦନ୍ତ କରୁଛନ୍ତି।

ଜଣେ ପୋଲିସ ଅଧିକାରୀ କହିଛନ୍ତି, କଲେଜର ଏକ ବନ୍ଦ କୋଠରୀରୁ ଏଭଳି ଟଙ୍କା ମିଳିବା ଅତି ଅସ୍ୱାଭାବିକ କଥା। ସୁଟକେସ୍ ସହ ଉଦ୍ଦେଶ୍ୟମୂଳକ ଭାବେ ରଖାଯାଇଥିବା ବନ୍ଧୁକର ମାଲିକ କିଏ? ତାହା ମଧ୍ୟ ତଦନ୍ତକାରୀ ଦଳ ଖୋଜିବାକୁ ଚେଷ୍ଟା କରୁଛନ୍ତି। ଏହି ଘଟଣା ସ୍ଥାନୀୟ ଲୋକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍କଣ୍ଠା ସୃଷ୍ଟି କରିଛି। ଏହି ଟଙ୍କା କେଉଁଠାରୁ ଆସିଲା ସେ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଉଛି।

ଏହାର ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ଏବଂ ରହସ୍ୟର ପର୍ଦ୍ଦାଫାଶ ପାଇଁ ସମସ୍ତ ଦିଗକୁ ଯାଞ୍ଚ କରାଯିବ ବୋଲି ପୋଲିସ କହିଛି।
ଏଥିସହିତ କଲେଜ କର୍ତ୍ତୃପକ୍ଷ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି। ଆଇନ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥାକୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଏହି ମାମଲାର ଅଧିକ ଖୋଳତାଡ଼ ଜାରି ରହିଛି, ଯାହାକି ଏକ ଜଟିଳ ଆର୍ଥିକ ଏବଂ ଅପରାଧିକ ମାମଲା ଆଡ଼କୁ ଇସାରା କରୁଛି।