fbpx

ନୋଟବନ୍ଦୀ ବିରୋଧରେ ଶୁଣାଣି ସ୍ଥଗିତ, ସୁପ୍ରିମକୋର୍ଟ କହିଲେ- ଦେଖିବାକୁ ପଡିବ ଆବେଦନ ଶୁଣିବା ଯୋଗ୍ୟ କି ନୁହେଁ

ନୂଆଦିଲ୍ଲୀ: ସରକାରଙ୍କ ନୋଟବନ୍ଦୀ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଦାଖଲ ଆବେଦନ ଉପରେ ଶୁଣାଣି ଅକ୍ଟୋବର ୧୨ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। କୋର୍ଟଙ୍କ କହିବା କଥା ପ୍ରଥମେ ଏହା ଯାଞ୍ଚ କରାଯିବ ଯେ, ନୋଟବନ୍ଦୀକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନ ଉଦ୍ଦେଶ୍ୟମୂଳକ ନୁହେଁ ତ। ଏହାର ମଧ୍ୟ ବିଚାର କରାଯିବ ଯେ, ଆବେଦନ ଶୁଣାଣି ଯୋଗ୍ୟ କି ନୁହେଁ। ଉଲ୍ଲେଖନୀୟ କେନ୍ଦ୍ର ସରକାର ୨୦୧୬ରେ ନୋଟବନ୍ଦୀ ଘୋଷଣା କରିଥିଲେ।

ବୁଧବାର ବିଚାରପତି ଏସ ଅବଦୁଲ ନଜିର, ବିଚାରପତି ବିଆର ଗବଇ, ବିଚାରପତି ଏଏସ ବୋପାନ୍ନା, ବିଚାରପତି ବି ସୁବ୍ରମଣ୍ୟମ ଏବଂ ବିଚାରପତି ବିଭି ନାଗରତ୍ନାଙ୍କ ସାମ୍ବିଧାନିକ ପୀଠ ଏ ସଂପର୍କିତ ମାମଲାରେ ଦାଖଲ ୫୮ ଯାଚିକା ଉପରେ ଶୁଣାଣି କରୁଛନ୍ତି। ସମସ୍ତ ଆବେଦନ ନୋଟବନ୍ଦୀ ନିଷ୍ପତ୍ତି ବିରୋଧରେ ଦାୟର କରାଯାଇଥିଲା।

ଶୁଣାଣି ସମୟରେ ବିଚାରପତି ନଜିର ପ୍ରଶ୍ନ କରିଛନ୍ତି, କଣ ଏବେ ବି ଏହି ପ୍ରସଙ୍ଗ ଜୀବିତ ରହିଛି। ଏହା ଉପରେ ଆବେଦନକାରୀଙ୍କ ଓକିଲ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ୨୦୧୬ରେ ନୋଟବନ୍ଦୀ ସଂପର୍କିତ ଅନେକ ପ୍ରସଙ୍ଗ ଚିହ୍ନଟ କରିଥିଲେ ଏବଂ ମାମଲାକୁ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇଥିଲ। ପୁଣି ମାମଲାର ଶୁଣାଣି ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଥିଲେ ବୋଲି ଓକିଲ କହିଛନ୍ତି।

ଆଉ ଜଣେ ଆଇନଜୀବୀ କହିଛନ୍ତି, ମାମଲାର ଦୁଇଟି ପକ୍ଷ ରହିଛି। ପ୍ରଥମ ସରକାରଙ୍କ ନିଷ୍ପତ୍ତି ବୈଧ୍ୟ ନା ଅବୈଧ୍ୟ ଏବଂ ଲୋକେ ଭୋଗିଥିବା ନାନା ପ୍ରକାରର ସମସ୍ୟା। ସଲିସିଟର ଜେନେରାଲ ତୁଷାର ମେହଟା କହିଛନ୍ତି, ବ୍ୟବହାରିକ ଦୃଷ୍ଟିରୁ ଏହି ପ୍ରସଙ୍ଗର ଏବେ କୌଣସି ମୂଲ୍ୟ ନାହିଁ। ଯଦି ଶୈକ୍ଷଣିକ ଉଦ୍ଦେଶରେ ପୀଠ ଏହା ଉପରେ ବିଚାର କରିବାକୁ ଚାହାନ୍ତି ତେବେ ଆମେ ସାହାଯ୍ୟ କରି ପାରିବୁ।

Get real time updates directly on you device, subscribe now.