ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ହାଜତ ଓ ଗିରଫ ଭିତରେ ନାହିଁ ଫରକ! ଅଭିଯୁକ୍ତଙ୍କୁ ୨୪ ଘଣ୍ଟାରେ କୋର୍ଟରେ ହାଜର ଜରୁରୀ
ଅଭିଯୁକ୍ତଙ୍କୁ ଅଟକ ରଖିବା ଓ ଔପଚାରିକ ଭାବେ ଗିରଫ କରିବା ମଧ୍ୟରେ କୃତ୍ରିମ ଫରକ ଦେଖାଇବା ଅସାମ୍ବିଧାନିକ। ୨୪ ଘଣ୍ଟାର ସମୟସୀମା ଗିରଫ ସମୟରୁ ନୁହେଁ, ବରଂ ପ୍ରକୃତରେ ହେପାଜତକୁ ନେବା ସମୟରୁ ଆରମ୍ଭ ହେବ ବୋଲି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ଅଦାଲତ।
ନୂଆଦିଲ୍ଲୀ: ଆଉ ଚାଲିବନି ମନମାନି। ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ପୋଲିସର ଅଟକ ଓ ଗିରଫଦାରୀକୁ ନେଇ ଶୁଣାଇଲେ ବଡ଼ ରାୟ। ଅଭିଯୁକ୍ତଙ୍କୁ ଅଟକ ରଖିବା ପରେ ଆଉ ମନଇଚ୍ଛା ସମୟ ନେଇପାରିବନି ପୋଲିସ।
ହାଜତରେ ରଖିବା ଓ ଗିରଫ କରିବା ଭିତରେ ଫରକ ଦେଖାଇ ଆଇନର ନିୟମରୁ ଖସିଯିବାକୁ ମଧ୍ୟ ମିଳିବନି ସୁଯୋଗ। ଗିରଫ ହୋଇଥାଆନ୍ତୁ କିମ୍ବା ପୋଲିସ ହେପାଜତରେ ଅଟକ ରହିଥାଆନ୍ତୁ, ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ହାଜର କରିବାକୁ ପଡ଼ିବ।
ହାଜତ ଓ ଗିରଫ ମଧ୍ୟରେ କୃତ୍ରିମ ଫରକ ଦେଖାଇବା ଅସାମ୍ବିଧାନିକ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ।
ସୁପ୍ରିମକୋର୍ଟଙ୍କ ଏହି ରାୟ ଅଭିଯୁକ୍ତଙ୍କ ମୌଳିକ ଅଧିକାର ଓ ପୋଲିସର କାର୍ଯ୍ୟପ୍ରଣାଳୀକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛି। କୋର୍ଟ କହିଛନ୍ତି, ୨୪ ଘଣ୍ଟାର ସମୟସୀମା ଔପଚାରିକ ଭାବେ ଗିରଫ ଦର୍ଶାଯିବା ସମୟରୁ ନୁହେଁ, ବରଂ ଯେବେଠୁ ଅଟକ ରଖିବ ସେବେଠୁ ୨୪ ଘଣ୍ଟା ଗଣାଯିବ।
ହେପାଜତରୁ ଗଣାଯିବ୨୪ ଘଣ୍ଟା: ଜଷ୍ଟିସ୍ ଉଜ୍ଜ୍ୱଳ ଭୂୟାଁ ଏବଂ ଜଷ୍ଟିସ୍ ଅତୁଲ ଏସ୍. ଚନ୍ଦୁରକରଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି। କୋର୍ଟ କହିଛନ୍ତି, ଜଣେ ବ୍ୟକ୍ତିଙ୍କୁ ଅଟକ ରଖିବା ପରେ ଔପଚାରିକ ଗିରଫ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଯେଉଁ ସମୟ ଲାଗିଥାଏ, ତାହାକୁ ୨୪ ଘଣ୍ଟାର ସମୟସୀମାରୁ ବାଦ୍ ଦିଆଯାଇପାରିବ ନାହିଁ।
ସମ୍ବିଧାନର ଅନୁଚ୍ଛେଦ ୨୨(୨) ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ଧାରା ୫୬ ଅନୁସାରେ, ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଯାତ୍ରା ସମୟକୁ ବାଦ୍ ଦେଇ ୨୪ ଘଣ୍ଟା ମଧ୍ୟରେ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ହାଜର କରିବା ଜରୁରୀ।
ତେଣୁ ଗିରଫ ପୂର୍ବରୁ ପଚରାଉଚରା, ତଲାସୀ କିମ୍ବା ଯାଞ୍ଚ ନାଁରେ ଜଣେ ବ୍ୟକ୍ତିଙ୍କୁ ହେପାଜତରେ ରଖି ଏହି ସମୟସୀମାକୁ ଏଡ଼ାଇ ହେବ ନାହିଁ।
‘ଏହା ସମ୍ପୂର୍ଣ୍ଣ ଅସାମ୍ବିଧାନିକ’: ଏହି ମାମଲାରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ସମ୍ବିଧାନରେ କେବଳ ଗୋଟିଏ ବିଶେଷ ପରିସ୍ଥିତିରେ ସମୟକୁ ବାଦ୍ ଦେବାର ବ୍ୟବସ୍ଥା ରହିଛି। ତାହା ହେଉଛି ଗିରଫ ସ୍ଥାନରୁ ମାଜିଷ୍ଟ୍ରେଟ୍ଙ୍କ ଅଦାଲତ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଲାଗୁଥିବା ଯାତ୍ରା ସମୟ।
କୋର୍ଟ କହିଛନ୍ତି, ତଲାସୀ ଓ ଜବତ ପ୍ରକ୍ରିୟା ଶେଷ ହେବା ପରେ କିମ୍ବା ଗିରଫ କରୁଥିବା ଅଧିକାରୀ ଗିରଫର ସମୟ ଲେଖିବା ପରଠାରୁ ୨୪ ଘଣ୍ଟା ଗଣନା ଆରମ୍ଭ ହେବ ବୋଲି ଯୁକ୍ତି କରିବା ଆଇନଗତ ଭାବେ ଭୁଲ୍। ଏହା କେବଳ ଆଇନର ଉଲ୍ଲଂଘନ ନୁହେଁ, ବରଂ ସମ୍ପୂର୍ଣ୍ଣ ଅସାମ୍ବିଧାନିକ।
ଏପରିକି କିଛି ସମୟ ପାଇଁ ହେପାଜତରେ ରଖିବାକୁ ଗିରଫ ବୋଲି ଗଣାଯିବ ନାହିଁ ବୋଲି ଯେଉଁ ଧାରଣା ରହିଛି, ତାହାକୁ ମଧ୍ୟ କୋର୍ଟ ଗ୍ରହଣ କରିନାହାନ୍ତି। ମୌଳିକ ଅଧିକାରକୁ କିଛି ସମୟ ପାଇଁ ମଧ୍ୟ ସ୍ଥଗିତ ରଖାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।
ଗିରଫ ଓ ହାଜତର ଫରକ ଅସାମ୍ବିଧାନିକ: ସୁପ୍ରିମକୋର୍ଟ କହିଛନ୍ତି, ହେପାଜତ ଓ ଗିରଫ ମଧ୍ୟରେ କୃତ୍ରିମ ଫରକ ଦେଖାଇବା ସମ୍ବିଧାନର ମୂଳ ଉଦ୍ଦେଶ୍ୟ ବିରୋଧୀ। ଏହାଦ୍ୱାରା ଜଣେ ବ୍ୟକ୍ତିଙ୍କ ମୌଳିକ ଅଧିକାର କ୍ଷୁଣ୍ଣ ହୋଇପାରେ।
ଏହି ରାୟରେ ସୁପ୍ରିମକୋର୍ଟ ଓଡ଼ିଶା ହାଇକୋର୍ଟର ଆର୍ଯ୍ୟମାନ ପଟ୍ଟନାୟକ ମାମଲା, କେରଳ ହାଇକୋର୍ଟର ଅରୁଣ କେ. ଥୋମାସ୍ ମାମଲା ଏବଂ ମାଡ୍ରାସ ହାଇକୋର୍ଟର କନ୍ନନ ମାମଲାରେ ଦିଆଯାଇଥିବା ରାୟକୁ ଖାରଜ କରିଛନ୍ତି।
ଏହି ରାୟଗୁଡ଼ିକରେ ଗିରଫ ପୂର୍ବରୁ ହେପାଜତରେ ବିତାଇଥିବା ସମୟକୁ ୨୪ ଘଣ୍ଟାର ସମୟସୀମାରୁ ବାଦ୍ ଦିଆଯାଇପାରିବ ବୋଲି କୁହାଯାଇଥିଲା।
କିନ୍ତୁ ଏଭଳି ବ୍ୟାଖ୍ୟା ସମ୍ବିଧାନର ଅନୁଚ୍ଛେଦ ୨୨(୨)ର ପ୍ରକୃତ ଆଇନଗତ ସ୍ଥିତିକୁ ପ୍ରତିଫଳିତ କରୁନାହିଁ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, ସମ୍ବିଧାନର ଅନୁଚ୍ଛେଦ ୨୨(୨) ଜଣେ ଗିରଫ ବ୍ୟକ୍ତିଙ୍କୁ ୨୪ ଘଣ୍ଟା ମଧ୍ୟରେ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ହାଜର କରିବାର ଅଧିକାର ଦେଇଥାଏ। ଏହି ନିୟମର ଉଦ୍ଦେଶ୍ୟ ହେଉଛି, କୌଣସି ବ୍ୟକ୍ତିଙ୍କୁ ବିନା ନ୍ୟାୟିକ ତଦାରଖରେ ଦୀର୍ଘ ସମୟ ଧରି ପୋଲିସ ହେପାଜତରେ ରଖାଯାଇପାରିବ ନାହିଁ।


