fbpx

ବିଚାରଧୀନ କଏଦୀଙ୍କ ମୁକ୍ତି ସଠିକ୍ ଦୃଷ୍ଟିରେ ସ୍ଵାଧୀନତାର ଅମୃତ ମହୋତ୍ସବ ହେବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ଧରି ଜେଲରେ ବନ୍ଦୀ କଏଦୀଙ୍କ ମୁକ୍ତି ହିଁ ଭାରତର ସ୍ଵାଧୀନତାର ୭୫ତମ ବର୍ଷ(ଅମୃତ ମହୋତ୍ସବ)ର ଉତ୍ସବ ପାଳନ କରିବାର ପ୍ରକୃତ କାମ ହେବ। ଶନିବାର ଏହା କହିଛନ୍ତି ସୁପ୍ରିମକୋର୍ଟ। କେନ୍ଦ୍ର ସରକାରଙ୍କୁ ଶୀଘ୍ର ଏମିତି କୌଣସି ଯୋଜନା ପ୍ରସ୍ତୁତ କରିବା ଉଚିତ୍ ଯେଉଁଥିରେ ବିଚାରଧୀନ କଏଦୀ ଏବଂ ଛୋଟ ଅପରାଧରେ ସାମିଲ୍ କଏଦୀଙ୍କୁ ମୁକ୍ତ କରାଯାଇ ପାରିବ।

ବିଚାରପତି ସଞ୍ଜୟ କିଶନ କଉଲ ଏବଂ ବିଚାରପତି ଏମଏସ ସୁନ୍ଦରେଶଙ୍କ ପୀଠ କହିଛନ୍ତି, ଯଦି ନ୍ୟାୟପାଳିକା ୧୦ ବର୍ଷ ଭିତରେ ମାମଲାର ନିଷ୍ପତ୍ତି କରି ପାରୁନାହିଁ ତେବେ କଏଦୀଙ୍କ ଆଦର୍ଶଗତ ଭାବେ ଜାମିନରେ ଛାଡି ଦେବା ଉଚିତ୍। ଯଦି କୌଣସି ବ୍ୟକ୍ତିଙ୍କୁ ୧୦ ବର୍ଷ ପରେ ଅନ୍ତତଃ ମୁକ୍ତ କରାଯାଉଛି ତଥାପି ତାର ଜୀବନର ଉକ୍ତ ସମୟ ମିଳି ପାରିବ ନାହିଁ।

ବିଚାରପତି କଉଲ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ଅତିରିକ୍ତ ସଲିସିଟର ଜେନେରାଲ କେଏମ ନଟରାଜଙ୍କୁ କହିଛନ୍ତି ଯେ, ସରକାର ସ୍ଵାଧୀନତାର ୭୫ତମ ବର୍ଷକୁ ଆଜାଦୀ କା ଅମୃତ ମହୋତ୍ସବ ଭାବେ ପାଳନ କରୁଛି। ଏମିତିରେ ବିଚାରଧୀନ ଏବଂ ଅନେକ କଏଦୀ ନିଜ ସଜାର ବଡ ଭାଗ ଜେଲରେ ବିତାଇ ସାରିଛନ୍ତି। ଏମିତି କ୍ଷେତ୍ରରେ ସେମାନଙ୍କୁ ମୁକ୍ତ କରାଯିବାର ଉପାୟ କରିବା ଉତ୍ସବ ପାଳନର ସଠିକ୍ ତରିକା ହେବ।

ଫଳସ୍ଵରୂପ ଜେଲ ଏବଂ ଟ୍ରାଏଲ କୋର୍ଟର ବୋଝ କମିଯିବ। ଏଥିପାଇଁ କେନ୍ଦ୍ର ଏବଂ ରାଜ୍ୟଗୁଡିକୁ ଆଲୋଚନା କରି ନୀତି ପ୍ରସ୍ତୁତ କରିବାକୁ ପଡିବ। ଯଦ୍ଵାରା କିଛି ଶ୍ରେଣୀର କଏଦୀ ଏବଂ ଦୋଷୀଙ୍କୁ ନିଶ୍ଚିତ ଅବଧି ପରେ ମୁକ୍ତି କରାଯାଇ ପାରିବ।

ପୀଠ ଏହି ଟିପ୍ପଣୀ ସେହି ସମୟରେ କରିଛନ୍ତି, ଯେତେବେଳେ ଦେଶର ହାଇକୋର୍ଟଗୁଡିକରେ ବିଚାରଧୀନ ଅପିଲ୍ ଏବଂ ଜାମିନ ଆବେଦନର ସମୀକ୍ଷା କଲେ। ସୁପ୍ରିମକୋର୍ଟ ଜାଣିବାକୁ ପାଇଛନ୍ତି ଯେ, ଅଭିଯୁକ୍ତ ଏବଂ ଦୋଷୀ ମାମଲାର ସାରିବା ପାଇଁ ଅପେକ୍ଷାରେ ଅଛନ୍ତି। ତେଣୁ କୋର୍ଟ ନୂତନ ନୀତି ନିର୍ଦ୍ଧାରଣ କରି କେଉଁ ବର୍ଗର କଏଦୀଙ୍କୁ ମୁକ୍ତ କରାଯାଇ ପାରିବ ସେ ଦିଗରେ ନିୟମ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି।

 

Get real time updates directly on you device, subscribe now.