ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ‘ବିବାହ ପାଇଁ ମନା କରିବା ପରେ ଆତ୍ମହତ୍ୟା କଲେ ପ୍ରେମିକ ଦାୟୀ ନୁହେଁ!’

ସହମତିରେ ଥିବା ସମ୍ପର୍କ ପରେ ବିବାହକୁ ମନା କରିବା ମାତ୍ରରୁ ଆତ୍ମହତ୍ୟା ପାଇଁ ଉସୁକାଇବାର ଅଭିଯୋଗ ପ୍ରମାଣିତ ହେଉ ନ ଥିବା କହିଲେ ସୁପ୍ରିମକୋର୍ଟ।

ନୂଆଦିଲ୍ଲୀ: ପାରସ୍ପରିକ ସହମତି ଭିତ୍ତିରେ ଗଢ଼ି ଉଠିଥିବା ସମ୍ପର୍କ ଭାଙ୍ଗିଯିବା କିମ୍ବା ବିବାହ କରିବାକୁ ମନା କରିଦେବା ଆତ୍ମହତ୍ୟା ପାଇଁ ଉସୁକାଇବା ବୋଲି ଧରାଯାଇପାରିବ ନାହିଁ। ବୁଧବାର ଦିନ ଏକ ମାମଲାର ଶୁଣାଣି କରିବା ସମୟରେ ସୁପ୍ରିମକୋର୍ଟ ଏହି ମତ ଦେଇଥିଲେ। ଯାହା ଅନୁଯାୟୀ, ପ୍ରେମ ସମ୍ପର୍କରେ ରହିବା ପରେ ପରବର୍ତ୍ତୀ ସମୟରେ ବିବାହ କରିବାକୁ ମନା କରିଦେବା ଘଟଣାକୁ ସିଧାସଳଖ ଆତ୍ମହତ୍ୟା ପାଇଁ ଉସୁକାଇବା ବୋଲି କୁହାଯାଇପାରିବ ନାହିଁ। ଏହି ଗୁରୁତ୍ୱପୂର୍ଣ୍ଣ ମତାମତ ସହିତ, ସର୍ବୋଚ୍ଚ ନ୍ୟାୟାଳୟ ଜଣେ ମହିଳାଙ୍କ ଆତ୍ମହତ୍ୟା ମାମଲାରେ ଛଅ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାଲିଥିବା ଫୌଜଦାରୀ କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିଦେଇଛନ୍ତି।

ନ୍ୟାୟମୂର୍ତ୍ତି ଜେ.ବି. ପାର୍ଦିୱାଲା ଏବଂ ଜଷ୍ଟିସ କେ. ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ତେଲେଙ୍ଗାନାର ମେଡଚଲ-ମଲକାଜଗିରି ଜିଲ୍ଲା ଅଦାଲତରେ ବିଚାରାଧୀନ ଥିବା ମାମଲାକୁ ଖାରଜ କରିଦେଇଛନ୍ତି। ଅଭିଯୁକ୍ତ ମହିଳାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ କିମ୍ବା ସେଥିପାଇଁ ଉସୁକାଇଥିଲେ, ତାହା ପ୍ରମାଣ କରିବା ପାଇଁ ରେକର୍ଡରେ କୌଣସି ପ୍ରମାଣ କିମ୍ବା ତଥ୍ୟ ନାହିଁ ବୋଲି କୋର୍ଟ ନିଜ ରାୟରେ ସ୍ପଷ୍ଟ କରିଛନ୍ତି।

ଏହି ମାମଲାଟି ଜଣେ ମହିଳାଙ୍କ ଆତ୍ମହତ୍ୟା ସହ ଜଡ଼ିତ, ଯିଏ ନିଜ ପ୍ରେମିକଙ୍କ ସହ ପ୍ରାୟ ତିନି ମାସ ଧରି ‘ଲିଭ୍-ଇନ୍ ରିଲେସନ୍‌ସିପ୍’ରେ ଥିଲେ। ମୃତ ମହିଳାଙ୍କ ପରିବାରବର୍ଗଙ୍କ ଅନୁଯାୟୀ, ପ୍ରେମିକ ତାଙ୍କୁ ବିବାହ କରିବାକୁ ମନା କରିଦେବା ପରେ ସେ ଏଭଳି ଚରମ ପଦକ୍ଷେପ ନେଇଥିଲେ। ମୃତ ମହିଳାଙ୍କ ଭଉଣୀଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ଉକ୍ତ ସମ୍ପର୍କ ଉଭୟଙ୍କ ସହମତି ଭିତ୍ତିରେ ଥିଲା, ଏହା ବ୍ୟତୀତ, ପ୍ରେମିକଙ୍କ ଜଣେ ବନ୍ଧୁ ସମ୍ପୃକ୍ତ ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ଏବଂ ଅଭିଯୁକ୍ତଙ୍କ ପରିବାର ଏହି ବିବାହ ବିରୁଦ୍ଧରେ ଥିଲେ।

ଶୁଣାଣି ସମୟରେ ସୁପ୍ରିମକୋର୍ଟ ଉଲ୍ଲେଖ କରିଥିଲେ ଯେ ଆତ୍ମହତ୍ୟା କରିବା ପୂର୍ବରୁ ମହିଳାଜଣକ ନିଜ ଭଉଣୀଙ୍କୁ ଫୋନ୍ କରି ଜଣାଇଥିଲେ ଯେ ତାଙ୍କ ପ୍ରେମିକ ତାଙ୍କୁ ବିବାହ କରିବାକୁ ମନା କରିଦେଇଛନ୍ତି। ତଥାପି, କୋର୍ଟ ସ୍ପଷ୍ଟ କରିଥିଲେ ଯେ କେବଳ ଏହି ଘଟଣା ପ୍ରମାଣିତ କରେ ନାହିଁ ଯେ ଅଭିଯୁକ୍ତ ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକାଇଥିଲେ।

ଅଦାଲତ ଲକ୍ଷ୍ୟ କରିଥିଲେ ଯେ ଏହା କୌଣସି ଉଦ୍ଦେଶ୍ୟମୂଳକ କାର୍ଯ୍ୟ ନଥିଲା କିମ୍ବା ଏହାକୁ ଆତ୍ମହତ୍ୟା ପାଇଁ ଉସୁକାଇବା ବୋଲି ମଧ୍ୟ କୁହାଯାଇପାରିବ ନାହିଁ। ବିଭିନ୍ନ ପରିସ୍ଥିତି ପ୍ରତି ପ୍ରତ୍ୟେକ ବ୍ୟକ୍ତି ଭିନ୍ନ ଭିନ୍ନ ଭାବରେ ପ୍ରତିକ୍ରିୟା ପ୍ରକାଶ କରିଥାନ୍ତି। ଯଦି କୌଣସି ବ୍ୟକ୍ତି ସମ୍ପର୍କ ଭାଙ୍ଗିଯିବା କିମ୍ବା ସମ୍ପର୍କର ଅନ୍ତ ଘଟିବା ପରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରନ୍ତି, ତେବେ ଏଥିପାଇଁ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କୁ ସର୍ବଦା ଦାୟୀ କରାଯାଇପାରିବ ନାହିଁ।