fbpx

ହାଇ ପ୍ରୋଟିନଯୁକ୍ତ ଖାଦ୍ୟ ଦାବି କଲେ ସୁଶୀଲ କୁମାର, ଜେଲ୍ କର୍ତ୍ତୃପକ୍ଷ କହିଲେ- ସେ ଜଣେ କଏଦୀ, ଗେଷ୍ଟ ନୁହନ୍ତି

ନୂଆଦିଲ୍ଲୀ : ଯୁବ କୁସ୍ତିଯୋଦ୍ଧା ସାଗର ଧନକଡ ହତ୍ୟା ମାମଲାରେ ଅଭିଯୁକ୍ତ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାର ତିହାର ଜେଲ୍ରେ ବନ୍ଦୀ ଅଛନ୍ତି। ହେଲେ ଜେଲ୍ ଖାଦ୍ୟରେ ତାଙ୍କ ପେଟ ପୁରୁନାହିଁ। ସେଥିପାଇଁ ତାଙ୍କୁ ପ୍ରୋଟିନଯୁକ୍ତ ଖାଦ୍ୟ ଦେବାକୁ ସୁଶୀଲ ଦାବି କରିଛନ୍ତି। ଏପରିକି ଦିଲ୍ଲୀ ରୋହିଣୀ କୋର୍ଟରେ ଏ ନେଇ ଆବେଦନ ମଧ୍ୟ କରିଛନ୍ତି। ସୁଶୀଲଙ୍କ ଆବେଦନ ଉପରେ ଶୁଣାଣି କରି ମଙ୍ଗଳବାର ଅଦାଲତ ରାୟ ସଂରକ୍ଷିତ ରଖିଛନ୍ତି। ଆଜି ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ମାମଲାର ଶୁଣାଣି ଚାଲିଥିଲା। ଏହି ସମୟରେ ସୁଶୀଲଙ୍କ ଓକିଲ କହିଛନ୍ତି, ଜେଲରେ ତାଙ୍କ ମହକିଲଙ୍କ ଜୀବନ ପ୍ରତି ବିପଦ ରହିଛି। ତେଣୁ ତାଙ୍କୁ ଅନ୍ୟ ଅଭିଯୁକ୍ତଙ୍କ ପରି ଜେଲ୍ରେ ରଖାଯାଇ ପାରିବ ନାହିଁ।
ସୁଶୀଲଙ୍କ ପକ୍ଷରୁ କୋର୍ଟରେ ହାଜର ଆଡଭୋକେଟ୍ ତାଙ୍କ ମହକିଲଙ୍କୁ ଉଚ୍ଚସୁରକ୍ଷା ବଳୟ ସେଲ୍ରେ ରଖିବାକୁ ଦାବି କରିଥିଲେ। ଏହା ଉପରେ ତିହାର ଜେଲ୍ କର୍ତ୍ତୃପକ୍ଷ ନିଜ ପକ୍ଷ ରଖି କହିଛନ୍ତି ଯେ, ସୁରକ୍ଷା ଦୃଷ୍ଟିରୁ ସୁଶୀଲଙ୍କୁ ଅନ୍ୟ କଏଦୀଙ୍କଠୁ ଅଲଗା ରଖାଯାଇଛି। ତାଙ୍କୁ ଉଚ୍ଚସୁରକ୍ଷା ବିଶିଷ୍ଟ ସେଲ୍ରେ ରଖାଯାଇଛି। ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ଦଲିଲ୍ ଶୁଣି ଅଦାଲତ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସୁଶୀଲ ଜଣେ ଅନ୍ତର୍ଜାତୀୟସ୍ତରର ଖେଳାଳି ହୋଇଥିବାରୁ ତାଙ୍କୁ ପ୍ରୋଟିନଯୁକ୍ତ ଖାଦ୍ୟ ଦେବାକୁ ତାଙ୍କ ଓକିଲ ଦାବି କରିଥିଲେ।
ସୁଶୀଲଙ୍କ ଏହି ଦାବିକୁ ତିହାର ଜେଲ୍ କର୍ତ୍ତୃପକ୍ଷ କଡା ବିରୋଧ କରିଛନ୍ତି। ଜେଲ୍ ପ୍ରଶାସନ କହିଛନ୍ତି, ସୁଶୀଲ ଜଣେ କଏଦୀ, ସେ କୌଣସି ଅତିଥି ନୁହନ୍ତି ଯେ, ଆମେ ତାଙ୍କୁ ପ୍ରୋଟିନଯୁକ୍ତ ଖାଦ୍ୟ ଦେବୁ। ଜେଲ୍ରେ ଆହୁରି ମଧ୍ୟ କଏଦୀ ଅଛନ୍ତି, ଯେଉଁମାନେ ଭଲ ଭୋଜନ କିମ୍ବା ପ୍ରୋଟିନଯୁକ୍ତ ଖାଦ୍ୟ ଦାବି କରୁଛନ୍ତି। ଯଦି ସୁଶୀଲଙ୍କୁ ପ୍ରୋଟିନଯୁକ୍ତ ଖାଦ୍ୟ ଯୋଗାଇ ଦେବୁ ତେବେ ଏହାର ପ୍ରଭାବ ଅନ୍ୟ କଏଦୀଙ୍କ ଉପରେ ପଡିବ। ସେମାନେ ମଧ୍ୟ ସମାନ ଖାଦ୍ୟ ଦେବାକୁ ଦାବି କରିବେ।
ଜେଲ୍ କର୍ତ୍ତୃପକ୍ଷଙ୍କ ଏହି ଯୁକ୍ତି ଶୁଣିବା ପରେ ଅଭିଯୁକ୍ତଙ୍କ ଓକିଲ କହିଛନ୍ତି, ତେବେ ସୁଶୀଲଙ୍କୁ ଦୁଇ ବେଳର ଘରର ଖାଦ୍ୟ ଖାଇବାକୁ ଅନୁମତି ଦିଆଯାଉ। ଜେଲ୍ ନିୟମରେ ମଧ୍ୟ ଏହା ରହିଛି। କିନ୍ତୁ ଜେଲ୍ କର୍ତ୍ତୃପକ୍ଷ ଏହାକୁ ମଧ୍ୟ ବିରୋଧ କରିଛନ୍ତି ଏବଂ କହିଛନ୍ତି, ଡାକ୍ତରଙ୍କ ପରାମର୍ଶକ୍ରମେ ହିଁ ଆମେ ଏହା ବିଷୟରେ ବିଚାର କରିବୁ।

Get real time updates directly on you device, subscribe now.