କୋଲକାତା: ପଶ୍ଚିମବଙ୍ଗରେ ଦୀର୍ଘ ବର୍ଷ ଧରି ଚର୍ଚ୍ଚାରେ ଥିବା ଛୋଟ ଅଙ୍ଗାରିଆ ହତ୍ୟାକାଣ୍ଡ ମାମଲା ଫାଇଲ ଖୋଲିବ। ଏହି ମାମଲାରେ ଅଭିଯୁକ୍ତ ଥିବା ସିପିଆଇ(ଏମ୍) ନେତା ତପନ ଘୋଷ ଓ ସୁକୁର ଅଲୀଙ୍କୁ ଖୋଜି ବାହାର କରିବାକୁ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସର୍ବସାଧାରଣ ସଭାରୁ ପଶ୍ଚିମ ମେଦିନୀପୁର ଏସ୍ପି ପାପିଆ ସୁଲତାନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ତପନ ଘୋଷଙ୍କୁ ଜେଲ୍ରେ ଦେଖିବାକୁ ଚାହୁଁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।
ଅକ୍ଟୋବର ୩୧ ତାରିଖରେ ଗଡ଼ବେତାରେ ଏକ ଜନସଭା ହୋଇଥିଲା। ଏଥିରେ ସମ୍ବୋଧନ କରି ଶୁଭେନ୍ଦୁ କହିଛନ୍ତି, ଛୋଟ ଅଙ୍ଗାରିଆଠାରୁ ଆରମ୍ଭ କରି ୨୦୦୭ ମସିହାର ନନ୍ଦୀଗ୍ରାମ ଘଟଣା ପର୍ଯ୍ୟନ୍ତ ସମସ୍ତ ପୁରୁଣା ମାମଲାର ପୁନଃ ତଦନ୍ତ କରାଯିବ। ଏହି ଘଟଣାଗୁଡ଼ିକ ସହ ଜଡ଼ିତ ଥିବା ଲୋକଙ୍କୁ ଆଇନ ଅନୁସାରେ ଦାୟୀ କରାଯିବ ବୋଲି ସେ କହିଥିଲେ।
ସଭାମଞ୍ଚରୁ ଏସ୍ପି ପାପିଆ ସୁଲତାନାଙ୍କୁ ସିଧାସଳଖ ସମ୍ବୋଧନ କରି ଶୁଭେନ୍ଦୁ ପଚାରିଥିଲେ, “ତପନ ଏବେ କେଉଁଠି? ସେ ଏଠାରେ ଅଛି ନା ଫେରାର ହୋଇଯାଇଛି? ଏସ୍ପି ମ୍ୟାଡାମ୍, ତାଙ୍କୁ ଖୋଜି ବାହାର କରିବାକୁ ପଡ଼ିବ। ମୁଁ ତାଙ୍କୁ ଜେଲ୍ରେ ଦେଖିବାକୁ ଚାହୁଁଛି।” ତପନ ଘୋଷ ଓ ସୁକୁର ଅଲୀଙ୍କ ସହ ଜଡ଼ିତ ପୁରୁଣା ମାମଲା ଗୁଡ଼ିକର ନୂଆ କରି ତଦନ୍ତ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଶୁଭେନ୍ଦୁ ଆହୁରି ଅଭିଯୋଗ କରିଥିଲେ; ତପନ ଓ ସୁକୁର ଅତୀତରେ ମୋତେ ଧମକ ଦେଇଥିଲେ। ଛୋଟ ଅଙ୍ଗାରିଆ ଅଞ୍ଚଳକୁ ଆସିଲେ ମୋ’ ଗୋଡ଼ ଭାଙ୍ଗିଦେବେ ବୋଲି କହିଥିଲେ। କିନ୍ତୁ ଏହାର କିଛି ଦିନ ମଧ୍ୟରେ ମୁଁ ଚନ୍ଦ୍ରକୋଣା ରୋଡ୍ରେ ପହଞ୍ଚି ସଭା କରିଥିଲି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ତେବେ ଏଠି ପ୍ରଶ୍ନ ଉଠୁଛି ଛୋଟ ଅଙ୍ଗାରିଆ ମାମଲା କଣ? ୨୦୦୧ ମସିହାର ଘଟଣା। ସେତେବେଳେ ପଶ୍ଚିମବଙ୍ଗରେ ବାମପନ୍ଥୀଙ୍କ ଦବ୍ଦବା ରହିଥିଲା। ଆତଙ୍କରାଜ ଚଳାଉଥିଲେ। ସେମାନଙ୍କ ଭୟରେ ମେଦିନୀପୁର ଜିଲ୍ଲାର ଗଡ଼ବେତା ଥାନା ଅନ୍ତର୍ଗତ ଛୋଟ ଅଙ୍ଗାରିଆ ଗାଁରେ ବାସ କରୁଥିବା ଟିଏମ୍ସି କର୍ମୀମାନେ ଘର ଛାଡ଼ି ପଳାଇ ଯାଇଥିଲେ। ପରବର୍ତ୍ତୀ ସମୟରେ ସ୍ଥାନୀୟ ସିପିଆଇ(ଏମ୍) ନେତୃତ୍ୱଙ୍କ ଆଶ୍ୱାସନା ପାଇ କେତେକ କର୍ମୀ ଫେରିଥିଲେ।
ଅଭିଯୋଗ ଅନୁସାରେ, ଏହାପରେ ଏକ ସଶସ୍ତ୍ର ଗୋଷ୍ଠୀ ସେମାନଙ୍କ ଉପରେ ଆକ୍ରମଣ କରିଥିଲା। କେତେକ ଲୋକଙ୍କୁ ଜୀବନ୍ତ ଜାଳି ଦିଆଯାଇଥିଲା। ଏହି ଘଟଣାରେ ତପନ ଘୋଷ ଓ ସିପିଆଇ(ଏମ୍)ର ତତ୍କାଳୀନ ଜୋନାଲ କମିଟି ସଚିବ ସୁକୁର ଅଲୀଙ୍କ ନାମ ଅଭିଯୁକ୍ତ ଭାବେ ସାମ୍ନାକୁ ଆସିଥିଲା। ଏବେ ଏହି ପୁରୁଣା ମାମଲା ଗୁଡ଼ିକର ପୁନଃ ତଦନ୍ତ ନେଇ ଶୁଭେନ୍ଦୁଙ୍କ ଘୋଷଣା ପରେ ପଶ୍ଚିମବଙ୍ଗ ରାଜନୀତିରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।


