ଆରଜିକର ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ମିଳୁ… ଦୋଷୀ ଦଣ୍ଡ ପାଉ…
ଗାୟତ୍ରୀ ଅଧିକାରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ହେବା ପରେ ବେଙ୍ଗଲର ଲୋକଙ୍କ ପାଇଁ କାମ କରିବା ପୁଅର ମୁଖ୍ୟ କାମ ହେଉ
କୋଲକାତା: ପୁଅ ଶୁଭେନ୍ଦୁର ସଂଘର୍ଷର କଥା କହି ଭାବପ୍ରବଣ ହେଲେ ମାଆ ଗାୟତ୍ରୀ ଅଧିକାରୀ। ଆଉ କହିଦେଲେ ନିଜ ମନର କଥା। ଆରଜିକର ମେଡିକାଲ୍ କଲେଜ ପୀଡ଼ିତାଙ୍କ ପରିବାରକୁ ଉଚିତ ନ୍ୟାୟ ମିଳୁ ବୋଲି ସେ ଆଜି କହିଲେ।
ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ଶୁଭେନ୍ଦୁ ଅଧିକାରୀ। ଏହା ମୋ ପାଇଁ ଖୁଶିର ମୁହୂର୍ତ୍ତ ବୋଲି ମାଆ ଗାୟତ୍ରୀ କହିଛନ୍ତି। ସେ କହିଛନ୍ତି, ଗତ ୫ ବର୍ଷ ହେଲା ଶୁଭେନ୍ଦୁ ସଂଘର୍ଷ କରିଆସୁଥିଲା। ଟିଏମ୍ସି ସରକାର ବିରୋଧରେ ଜୋରଦାର ଲଢ଼େଇ କରୁଥିଲା। ଶୁଭେନ୍ଦୁ ବିରୋଧୀ ଦଳ ନେତା ଥିବା ସତ୍ତ୍ୱେ ତାଙ୍କୁ ହତ୍ୟା ପାଇଁ ଉଦ୍ୟମ ହୋଇଥିଲା। ୩ରୁ ୪ ଥର ଏମିତି ସ୍ଥିତି ହୋଇଥିଲା ଯେ ପୁଅର ଜୀବନ ପ୍ରତି ବିପଦ ରହିଥିଲା ବୋଲି ଗାୟତ୍ରୀ କହିଛନ୍ତି।
ସେ କହିଛନ୍ତି, ଶୁଭେନ୍ଦୁ ରାଜନୀତିରେ ଲଢ଼େଇ କରିବାର ଶକ୍ତି ତାଙ୍କ ବାପା ଶିଶିର ଅଧିକାରୀଙ୍କଠାରୁ ଶିଖିଛନ୍ତି। ଶିଶିର ଦିନେ ଟିଏମ୍ସିର ଜଣେ ବଡ଼ ନେତା ଥିଲେ। ଏଥିସହ କାନ୍ଥି ଲୋକସଭା ନିର୍ବାଚନମଣ୍ଡଳୀରୁ ୩ ଥର ସାଂସଦ ହୋଇଥିଲେ। ୨୦୨୧ ମସିହାରେ ଶୁଭେନ୍ଦୁ ବିଜେପିରେ ସାମିଲ ହୋଇଥିଲେ।
ଗାୟତ୍ରୀ ଅଧିକାରୀ ଆହୁରି ମଧ୍ୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ହେବା ପରେ ବେଙ୍ଗଲର ଲୋକଙ୍କ ପାଇଁ କାମ କରିବା ପୁଅର ମୁଖ୍ୟ କାମ ହେଉ। ବିଶେଷ କରି ଆରଜିକର ମେଡିକାଲ କଲେଜରେ ମୃତ ଛାତ୍ରୀଙ୍କ ପରିବାରକୁ ଉଚିତ ନ୍ୟାୟ ମିଳିବା ଦରକାର। ଏଥିସହ ମହିଳାଙ୍କ ସୁରକ୍ଷା, ରୋଜଗାର ଓ ଗରିବ ଲୋକଙ୍କ ଭଲ କାମ କରିବା ଦରକାର। ସାଧାରଣ ଲୋକଙ୍କୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ପୂରଣ ହେବା ଦରକାର ବୋଲି ଗାୟତ୍ରୀ କହିଛନ୍ତି।
ସୂଚନାରୁ ପ୍ରକାଶ, ଶୁଭେନ୍ଦୁ ଅଧିକାରୀ କେବେ ମମତା ବାନାର୍ଜୀଙ୍କ ଅତି ନିକଟର ଥିଲେ। ହେଲେ ପରିବେଶ ଓ ପରିସ୍ଥିତି ତାଙ୍କୁ ଦୂରେଇ ଦେଇଥିଲା। ଆଉ ବିଜେପି ତାଙ୍କୁ କୋଳେଇ ନେଇ ମମତାଙ୍କ ବିରୋଧରେ ଅସ୍ତ୍ର କରିଥିଲା। ଯାହାର ଫଳ ୨୦୨୬ ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଥିଲା। ନିଜ ନିର୍ବାଚନମଣ୍ଡଳୀ ଭବାନୀପୁରରେ ହାମ୍ବୁଡେଇଥିଲେ ମମତା। ତାଙ୍କୁ ୧୫ ହଜାରରୁ ଅଧିକ ଭୋଟ୍ରେ ପରାସ୍ତ କରିଥିଲେ ଶୁଭେନ୍ଦୁ। ଏଥିସହ ମମତା ମୁଖ୍ୟମନ୍ତ୍ରୀ ପଦରୁ ମଧ୍ୟ ବିଦା ହୋଇଥିଲେ।

