ଶୁଭେନ୍ଦୁ ଅଧିକାରୀ ହେବେ ବଙ୍ଗଳାର ନୂଆ ମୁଖ୍ୟମନ୍ତ୍ରୀ, କାଲି ସକାଳ ୧୧ଟାରେ ଶପଥ ଗ୍ରହଣ

WestBengal New CM: ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ବିଜେପି ବିଧାୟକ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶୁଭେନ୍ଦୁ ଅଧିକାରୀଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି। ଆସନ୍ତା ଶନିବାର ସେ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିବେ।

ଶୁକ୍ରବାର କୋଲକାତାରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ଶୁଭେନ୍ଦୁଙ୍କ ନାମରେ ମୋହର ବାଜିଛି। ଭବାନୀପୁର ଆସନରେ ମମତା ବାନାର୍ଜୀଙ୍କୁ ୧୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରିବା ପରେ ଶୁଭେନ୍ଦୁ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସବୁଠାରୁ ଆଗରେ ଥିଲେ। ରାଜ୍ୟରେ ରାଜନୈତିକ ସନ୍ତୁଳନ ରକ୍ଷା କରିବା ପାଇଁ ଦୁଇଜଣ ଡେପୁଟି ସିଏମ୍ (Deputy CM) ନିଯୁକ୍ତ ହେବା ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ଚାଲିଛି। ଗୁରୁବାର ରାଜ୍ୟପାଳ ଆର.ଏନ. ରବି ପଶ୍ଚିମବଙ୍ଗ ବିଧାନସଭା ଭଙ୍ଗ କରିବା ପରେ ରାଜ୍ୟରେ ଏହି ନୂତନ ସମୀକରଣ ସୃଷ୍ଟି ହୋଇଛି।

ଶୁଭେନ୍ଦୁଙ୍କ ନାମ ଘୋଷଣା ପରେ ଅମିତ ଶାହ ଫୁଲମାଳ ପିନ୍ଧାଇଲେ, କହିଲେଅନ୍ୟ କୌଣସି ନାମର ପ୍ରସ୍ତାବ ଆସିନାହିଁ

“ମୁଁ ପଶ୍ଚିମବଙ୍ଗ ବିଜେପି ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ନାମ ଘୋଷଣା କରୁଛି,” କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁଭେନ୍ଦୁ ଅଧିକାରୀଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସମସ୍ତେ ଶୁଭେନ୍ଦୁ ଅଧିକାରୀଙ୍କ ନାମ ପ୍ରସ୍ତାବ କରିଥିଲେ, ସେଥିପାଇଁ ମୁଁ ବିଧାୟକ ଦଳର ନେତା ଭାବରେ ଶୁଭେନ୍ଦୁ ଅଧିକାରୀଙ୍କ ନାମ ଘୋଷଣା କରୁଛି। ଘୋଷଣା ପରେ ଶୁଭେନ୍ଦୁ ଅଧିକାରୀଙ୍କ ବେକରେ ଫୁଲମାଳ ପିନ୍ଧାଯାଇଥିଲା।