ବଦଳୁଛି ପୃଥିବୀ; କେଉଁଠି ବର୍ଷା ତ ଆଉ କେଉଁଠି ମରୁଡି ଦେଖାଦେଉଛି, ଏବେ ସତର୍କ ନହେଲେ ଆଗକୁ ଆସୁଛି ଆହୁରୀ ବଡ ବିପଦ..
ବିଶେଷଜ୍ଞଙ୍କ ଚିନ୍ତା ବଢାଇଲାଣି ଜଳବାୟୁ ପରିବର୍ତ୍ତନ...
ଓଡିଶା ଭାସ୍କର: ବଢୁଛି ତାପମାତ୍ରା, ତରଳୁଛି ବରଫ, ମାଡି ଆସୁଛି ବିପଦ, ଆଗୁଆ ସତର୍କ ନହେଲେ ହଇରାଣ ହେବ ସାରା ବିଶ୍ୱ । ଆଉ ଏହାର ଭୟଙ୍କର ପରିଣାମ ଭୋଗିବେ ବିଶ୍ୱବାସୀ ।
ଚଳିତ ବର୍ଷ ରୁତୁରେ ଅନେକ ପରିବର୍ତ୍ତନ ହେବା ଅନୁଭୁତ ହେଉଛି । ଏପରିକି ଆଣ୍ଟାର୍କଟିକା ସମେତ ବିଶ୍ୱର ଅନେକ ରାଷ୍ଟ୍ରରେ ଦ୍ରୁତ ଗତିରେ ବରଫ ତରଳୁଛି । ଅନ୍ୟପଟେ ଶୀତ ରୁତୁରେ ବିଳମ୍ବ ହୋଇଥିବା ବେଳେ ଏବେ ମଧ୍ୟ ତାପମାତ୍ରା ସାମାନ୍ୟ ଅଧିକ ରହୁଛି । ଏଣୁ ବରଫପାତ ବା ସ୍ନୋ ଫଲ ମଧ୍ୟ ଏକ ପ୍ରକାର ଗାଏବ ହୋଇଯାଇଥିବା ବେଳେ କିଛି ସ୍ଥାନରେ ସ୍ନୋ ଫଲର ମାତ୍ରା ବହୁତ କମ ରହିଛି ।
ସ୍ୱିସ ଗ୍ଲାସିଅରରେ ପରିବର୍ତ୍ତନ: ସ୍ୱିଜରଲ୍ୟାଣ୍ଡରେ ମଧ୍ୟ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦେଖିବାକୁ ମିଳିଛି । ସ୍ୱିଜରଲ୍ୟାଣ୍ଡରେ ୧୩ ପ୍ରତିଶତ ତୁଷାରପାତ ହୋଇଥିବା ବେଳେ ମାର୍ଚ୍ଚ ମାସରେ ତାପମାତ୍ରା ସାମାନ୍ୟ ଅଧିକ ରହିଥିଲା । ୨୦୦୩ ମସିହା ପରେ ସ୍ୱିଜରଲ୍ୟାଣ୍ଡ ଭଳି ଦେଶରେ ପ୍ରଥମ ଥର ପାଇଁ ପୁଣି ତାପମାତ୍ରାରେ ବୃଦ୍ଧି ଦେଖିବାକୁ ମିଳିଛି ।
ରିପୋର୍ଟ କଣ କହୁଛି: ରିପୋର୍ଟ ମୁତାବକ ଗତ ୧୦ ବର୍ଷ ଭିତରେ ସ୍ୱିଜରଲ୍ୟାଣ୍ଡର ୨୪ ପ୍ରତିଶତ ଅଞ୍ଚଳରୁ ବରଫ ଗାଏବ ହୋଇଯାଇଛି । ଏବେ ସେହି ଅଞ୍ଚଳ ଗୁଡିକରେ ଶୁଖିଲା ଚଟାଣ ଦେଖାଯାଉଛି ।ବିଶେଷଜ୍ଞଙ୍କ ମତରେ ଯଦି ୩୦ ବର୍ଷ ଭିତରେ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ୟାସର ପରିମାଣ ନ କମେ, ତେବେ ସ୍ୱିଜରଲ୍ୟାଣ୍ଡରେ ଥିବା ଅଧା ଗ୍ଲାସିଅର ପ୍ରାୟ କୁଆଡେ ଉଭେଇ ଯିବ ।
ସୂଚନାଯୋଗ୍ୟ ଯେ ୧୯୭୩ ରୁ ୨୦୧୬ ମଧ୍ୟରେ ୧୦୦୦ ରୁ ଅଧିକ ଗ୍ଲାସିଅର ସବୁ ଉଭାନ ହୋଇଗଲାଣି । ସେହିପରି ୨୦୧୬ରୁ ୨୦୨୨ ମଧ୍ୟରେ ପାଖପାଖି ୧୦୦ ଟି ଗ୍ଲାସିଅର ମଧ୍ୟ ହଜିଯାଇଛି ।
