fbpx

ଟି-ଟେଣ୍ଟି ବିଶ୍ୱକପ: ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ, ବିଜୟ ଉଭୟ ଦଳ ପାଇଁ ଏକ ନୂଆ ଇତିହାସ

ଦୁବାଇ: ସେମିଫାଇନାଲରେ ପରାଜୟ ସ୍ୱିକାର କରି ଦୁଇ ଟାଇଟଲ ଫେବରାଇଟ୍‌ ଦଳ ଇଂଲଣ୍ଡ ଓ ପାକିସ୍ତାନ ଚଳିତ ଟି-୨୦ କ୍ରିକେଟ ବିଶ୍ୱକପରୁ ବିଦାୟ ନେଇଛନ୍ତି । ବର୍ତ୍ତମାନ ଅନ୍ୟ ଦୁଇ ଦଳର ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । ସେମିଫାଇନାଲ ବିଜୟ ସହିତ ଦ୍ୱିତୀୟ ଥରପାଇଁ ପୁଣି ଆଉ ଏକ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ।

ଅଷ୍ଟ୍ରେଲିଆରେ ଅନୁଷ୍ଠିତ ୨୦୧୪ ଦିନିକିଆ ବିଶ୍ୱକପ ଫାଇନାଲରେ ଏହି ଦୁଇ ଦଳ ପରସ୍ପରକୁ ଭେଟିଥିଲେ । ଏଥିରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା । ସେହିପରି ଚଳିତ ଟି-୨୦ ବିଶ୍ୱକପରେ ପୁଣି ଉଭୟ ଦଳ ଆଉ ଏକ ବିଶ୍ୱକପ ଟାଇଟଲ ହାସଲ ପାଇଁ ଲଢ଼େଇ କରିବେ । ତେବେ ଉଭୟ ଦଳ ପାଇଁ ଆଉଏକ ବ୍ୟତିକ୍ରମ ଘଟଣା ହେଲା ଯେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ କେବେ ଟି-୨୦ ବିଶ୍ୱକପ ଟାଇଟଲ ଜିତି ପାରି ନାହାନ୍ତି । ଅଷ୍ଟ୍ରେଲିଆ ଗୋଟିଏ ଥର ଫାଇନାଲରେ ପ୍ରବେଶ କରି ହାରି ଥିବା ବେଳେ ନ୍ୟୁଜିଲାଣ୍ଡ ପାଇଁ ଏହା ହେଉଛି ପ୍ରଥମ ଫାଇନାଲ । ତେଣୁ ଫାଇନାଲ ବିଜୟ ଉଭୟ ଦଳ ପାଇଁ ଏକ ନୂଆ ଇତିହାସ ହୋଇ ରହିବ ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପାଞ୍ଚଥର ଦିନିକିଆ ବିଶ୍ୱକପ ଟାଇଟଲ ଜିତି ଥିବା ବେଳେ ନ୍ୟୁଜିଲାଣ୍ଡ କେବେ ଏହି ବିଜୟ ସ୍ୱାଦ ଚାଖିନାହିଁ । ତେଣୁ ଆସନ୍ତା ୧୪ ତାରିଖ ଦିନ ଏଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଫାଇନାଲ ମ୍ୟାଚ ଉଭୟ ଦଳ ପାଇଁ ଏକ ନିଆରା ଅନୁଭୂତି ହେବ । ସେହିପରି ଅନ୍ୟଏକ ଘଟଣା ହେଲା ଯେ ଚଳିତ ଟି-୨୦ ବିଶ୍ୱକପର ସୁ ର ୧୨ ପର୍ଯ୍ୟାୟ ମୁକାବିଲାରେ ମଧ୍ୟ ଉଭୟ ଦଳ ୪ ଲେଖାଏଁ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲ ମ୍ୟାଚ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଥିଲେ । ବ୍ୟାଟିଂ ଓ ବୋଲିଂରେ ଦୁଇ ଦଳର ଶକ୍ତି ଓ ସାମର୍ଥ୍ୟ ପ୍ରାୟତଃ ସମାନ । ତେଣୁ ଫାଇନାଲ ମ୍ୟାଚରେ ଉଭୟ ଦଳ ବିଜୟୀ ହେବା ପାଇଁ ଆପ୍ରାଣ ଉଦ୍ୟମ କରିବେ । ଟାଇଟଲ ଲଢ଼େଇ ମ୍ୟାଚରେ ବଡ ସ୍କୋର କରିବା ସହିତ ବୋଲିଂ ଓ ଫିଲ୍ଡିଂରେ ମଧ୍ୟ ଦକ୍ଷତା ଦେଖାଇବାକୁ ପଡିବ ।

Get real time updates directly on you device, subscribe now.