fbpx

ଟି-୨୦ ବିଶ୍ୱକପ: ଭାରତ-ନ୍ୟୁଜିଲାଣ୍ଡ ପାଇଁ ‘କର ବା ମର’ ମ୍ୟାଚ୍, ବିଜୟ ଲକ୍ଷରେ ମଇଦାନକୁ ଓହ୍ଳାଇବେ ଉଭୟ ଟିମ୍

ଦୁବାଇ: ଚଳିତ ଟି-୨୦ କ୍ରିକେଟ ବିଶ୍ୱକପର ଗ୍ରୁପ୍ ବି ରେ ସ୍ଥାନ ପାଇଥିବା ପାକିସ୍ତାନ ଲଗାତର ଦୁଇ ମ୍ୟାଚରେ ବିଜୟ ଲାଭ କରି ଶୀର୍ଷ ସ୍ଥାନରେ ରହିଛି । ପ୍ରଥମ ମ୍ୟାଚରେ ଭାରତକୁ ପରାସ୍ତ କରିଥିବା ପାକିସ୍ତାନ ମଙ୍ଗଳବାର ଦିନ ନିଜର ଦ୍ୱିତୀୟ ମ୍ୟାଚରେ ନ୍ୟୁଚିଲାଣ୍ଡକୁ ହରାଇ ୪ ପଏଣ୍ଟ ହାସଲ କରି ସେମିଫାଇନାଲ ମ୍ୟାଚ ଖେଳିବା ଆଶା ଉଜ୍ଜ୍ୱଳ କରିଛି । କାରଣ ଅବଶିଷ୍ଠ ତିନି ମ୍ୟାଚରେ ଆଫଗାନିସ୍ତାନ ,ସ୍କଟଲାଣ୍ଡ ଓ ନାମ୍ବିଆକୁ ପରାସ୍ତ କରିବ ବୋଲି ଅନୁମାନ । କାରଣ ଭାରତ ଓ ନ୍ୟୁଜିଲାଣ୍ଡ ବିକ୍ଷ ମ୍ୟାଚ ପାକିସ୍ତାନ ପାଇଁ ବିଶେଷ ଗୁରୁତ୍ୱୂର୍ଣ୍ଣ ଥିଲା । ତେଣୁ ଏହି ଦୁଇ ଦଳକୁ ପରାସ୍ତ କରିବା ପରେ ପାକିସ୍ତାନର ବଡ ଚିନ୍ତା ଦୂର ହୋଇ ପାରିଛି ।

ସେହିପରି ଏହି ଗ୍ରୁପ୍‌ରେ ସ୍ଥାନ ପାଇଥିବା ଆଫଗାନିସ୍ତାନ ପ୍ରଥମ ମୁକାବିଲାରେ ସ୍କଟଲାଣ୍ଡକୁ ପରାସ୍ତ କରି ୨ ପଏଣ୍ଟ ହାସଲ ସହିତ ଦ୍ୱିତୀୟ ସ୍ଥାନରେ ରହିଛି । ମାତ୍ର ଭାରତ ଓ ନ୍ୟୁଜିଲାଣ୍ଡ ଏ ପର୍ଯ୍ୟନ୍ତ ପଏଣ୍ଟ ଟେବୁଲରେ ଖାତା ଖୋଲି ପାରି ନାହାନ୍ତି । ଆସନ୍ତା ରବିବାର ଦିନ ଉଭୟ ଦଳ ପରବର୍ତ୍ତୀ ମ୍ୟାଚରେ ପରସ୍ପରକୁ ଭେଟିବେ । ଏହି ମ୍ୟାଚରେ ବିଜୟୀ ଦଳ ଆଗକୁ ଅଗ୍ରଗତି କରିବା ପାଇଁ ସୁଯୋଗ ସୃଷ୍ଟି କରି ପାରିବ । ପରାଜିତ ଦଳ ପାଇଁ ନିଶ୍ଚିତ ସମସ୍ୟା ସୃଷ୍ଟି ହେବ । କାରଣ ଗ୍ରୁପ୍‌ ‘ଏ’ ଓ ଗ୍ରୁପ ‘ବି’ ରୁ ଦୁଇ ଲେଖାଏଁ ଦଳ ସେମିଫାଇନାଲ ଖେଳିବା ପାଇଁ ସୁଯୋଗ ପାଇବେ । ତେଣୁ ଭାରତ ଓ ନ୍ୟୁଜିଲାଣ୍ଡ ପାଇଁ ଏହି ମ୍ୟାଚ କର ବା ମର ପରିସ୍ଥିତି ସୃଷ୍ଟି କରିଛି ।

ଅନ୍ୟ ପକ୍ଷରେ ଆଫଗାନିସ୍ତାନକୁ ମଧ୍ୟ କୌଣସି ଦଳ ହାଲକା ଭାବେ ନେଇ ପାରିବେ ନାହିଁ । ପ୍ରଥମ ମୁକାବିଲାରେ ସ୍କଟଲାଣ୍ଡକୁ ପରାସ୍ତ କରିଥିବା ଆଫଗାନିସ୍ତାନ ପରବର୍ତ୍ତୀ ମ୍ୟାଚରେ ସବୁ ଦଳକୁ କଡା ଟକ୍କର ଦେବା ସମ୍ଭାବନାକୁ କଦାପି ଏଡାଇ ଦିଆ ଯାଇ ନ ପାରେ । ତେଣୁ ରବିବାର ଦିନ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚରେ ଭାରତ କିମ୍ବା ନ୍ୟୁଜିଲାଣ୍ଡ ବିଜୟୀ ହେଲେ ମଧ୍ୟ ପରବର୍ତ୍ତୀ ତିନି ମ୍ୟାଚରେ ବିଜୟୀ ହେଲେ ୮ ପଏଣ୍ଟ ସହିତ ଗ୍ରୁପ୍‌ ‘ବି’ରୁ ସେମିଫାଇନାଲ ଖେଳିବା ପାଇଁ ଆଶା କରିପାରିବେ । ତେବେ ଗତ ୧୮ ବର୍ଷଧରି ଭାରତ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପାରି ନ ଥିବାରୁ ଆସନ୍ତା ୩୧ ତାରିଖ ମ୍ୟାଚରେ ବିଜୟୀ ହେବା ବଡ ଚାଲେଞ୍ଜ । କାରଣ ୨୦୦୩ ପରେ ନ୍ୟୁଜିଲାଣ୍ଡ ସମସ୍ତ ଆଇସିସି ବୃହତ ଟୁର୍ଣ୍ଣାମେଣ୍ଟରେ ସବୁବେଳେ ଭାରତକୁ ପରାସ୍ତ କରି ଆସୁଥିବାରୁ ପୁଣି ହରାଇ ପାରିବ ବୋଲି ଦୃଢ଼ ଆଶା ରଖିଛି । ତେବେ ଏହି ଦୁଇ ଦଳ ପାଇଁ ଆଫଗାନିସ୍ତାନ ମଧ୍ୟ ବଡ ପ୍ରତିବନ୍ଧକ ସାଜିବ ବୋଲି ଆଶଙ୍କା କରା ଯାଉଛି । ତେଣୁ ପାକିସ୍ତାନ ବର୍ତ୍ତମାନ ଦୃଢ଼ ସ୍ଥିତିରେ ଥିବା ବେଳେ ଏହି ଗ୍ରୁର ଅନ୍ୟ କେଉଁ ଦଳ ସେମିଫାଇନାଲ ପର୍ଯ୍ୟାୟରେ ପ୍ରବେଶ କରିବ ତାହା ବର୍ତ୍ତମାନ ଠାରୁ ଅନୁମାନ କରିବା ଅସମ୍ଭବ । ସଂପ୍ରତି ଭାରତ ,ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଆଇସିସି ମାନ୍ୟତାର ଦ୍ୱିତୀୟ ,ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିଲେ ହେଁ ବିଶ୍ୱକପ ମ୍ୟାଚ ସହିତ ଏହାର କୌଣସି ସମ୍ପର୍କ ନାହିଁ । କାରଣ ଏଠାରେ ଆଇସିସି  ମାନ୍ୟତା କୌଣସି ପ୍ରଭାବ ପକାଇବ ନାହିଁ ।

Get real time updates directly on you device, subscribe now.