କାହିଁକି ଏତେ ଛୋଟ ଥିଲା ଡାଇନୋସର T-Rex ର ହାତ? ୭ କୋଟି ବର୍ଷର ରହସ୍ୟ ଉପରୁ ଉଠିଲା ପରଦା!
ଡାଇନୋସର ହାତ ଛୋଟ କାହିଁକି?
ନୂଆଦିଲ୍ଲୀ: ବୈଜ୍ଞାନିକମାନେ ଡାଇନୋସର ସହ ଜଡିତ ଏକ ୭ କୋଟି ବର୍ଷ ପୁରୁଣା ରହସ୍ୟ ସମାଧାନ କରିଥିବା ଦାବି କରିଛନ୍ତି। ଏହି ରହସ୍ୟ ବିଶାଳ ଡାଇନୋସରର ଛୋଟ ହାତ ସହିତ ଜଡିତ। ବୈଜ୍ଞାନିକମାନେ ବ୍ୟାଖ୍ୟା କରିଛନ୍ତି ଯେ ୪୫ ଫୁଟ ଲମ୍ବା ଡାଇନୋସର, ଟାଇରାନୋସରସ୍ ରେକ୍ସର ହାତ କେବଳ ତିନି ଫୁଟ ଲମ୍ବା କାହିଁକି ଥିଲା।
ଡେଲି ମେଲ୍ ଅନୁଯାୟୀ, ବୈଜ୍ଞାନିକମାନେ ଦଶନ୍ଧି ଧରି ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ଯେ ଟାଇରାନୋସୋରସ୍ ରେକ୍ସର ହାତ ଏତେ ଛୋଟ କାହିଁକି ଥିଲା। ଏହା ଏକ ୬ଫୁଟ ଉଚ୍ଚ ମଣିଷର ପାଞ୍ଚ ଇଞ୍ଚ ଲମ୍ବା ହାତ ଥିବା ପରି ଥିଲା। ୟୁନିଭର୍ସିଟି କଲେଜ ଲଣ୍ଡନର ଗବେଷକମାନେ ଏହି ଗବେଷଣା କରିଥିଲେ ଏବଂ ଶେଷରେ ଏହି ବଡ଼ ଶରୀର ଏବଂ ଛୋଟ ହାତ ପଛରେ ଥିବା ରହସ୍ୟ ଖୋଜି ବାହାର କରିଥିବା ଦାବି କରିଛନ୍ତି।
କାରଣ କଣ: ଗବେଷକମାନେ ଦାବି କରିଛନ୍ତି ଯେ ଡାଇନୋସରଙ୍କ ଛୋଟ ହାତର ବିବର୍ତ୍ତନ ସମ୍ଭବତଃ ଏକ ଶକ୍ତିଶାଳୀ ମୁଣ୍ଡର ବିକାଶ ଯୋଗୁଁ ହୋଇଥିଲା। ଅଧ୍ୟୟନର ମୁଖ୍ୟ ଲେଖକ ଚାର୍ଲି ରୋଜର ଶେରେର କହିଛନ୍ତି, “ସମସ୍ତେ ଜାଣନ୍ତି ଯେ ଟି. ରେକ୍ସଙ୍କ ହାତ ଛୋଟ ଥିଲା, କିନ୍ତୁ ଅନ୍ୟ ବଡ଼ ଥେରୋପଡ ଡାଇନୋସରମାନଙ୍କର ମଧ୍ୟ ବହୁତ ଛୋଟ ଆଗ ଅଙ୍ଗ ଥିଲା।
କାର୍ନୋଟୋରସଙ୍କ ହାତ ଆହୁରି ଛୋଟ ଥିଲା। ଆମେ ଏହି ପରିବର୍ତ୍ତନର କାରଣ ବୁଝିବାକୁ ଚେଷ୍ଟା କଲୁ ଏବଂ ଛୋଟ ହାତ ଏବଂ ଏକ ବଡ଼, ଶକ୍ତିଶାଳୀ ମୁଣ୍ଡ ମଧ୍ୟରେ ଏକ ଦୃଢ଼ ସମ୍ପର୍କ ପାଇଲୁ। ଆକ୍ରମଣ ପାଇଁ ହାତ ବଦଳରେ ମୁଣ୍ଡ ବ୍ୟବହାର ହେବା ଆରମ୍ଭ ହେଲା। ହାତଗୁଡ଼ିକ ଆଉ ଉପଯୋଗୀ ନଥିଲା, ଏବଂ ସମୟ ସହିତ ସେଗୁଡ଼ିକ ଛୋଟ ହୋଇଗଲା।” ଗବେଷକମାନେ ମତ ଦିଅନ୍ତି ଯେ ଶିକାରର ଆକାର ବଢ଼ିବା ସହିତ, ଟି. ରେକ୍ସ ନଖ ବଦଳରେ ପାଟି ଏବଂ ମୁଣ୍ଡ ବ୍ୟବହାର କରି ଶିକାର କରିବା ଆରମ୍ଭ କରିଥିଲେ, ଯାହା ଫଳରେ ହାତ ଛୋଟ ହୋଇଥିଲା।
ଟି. ରେକ୍ସ ପ୍ରଥମେ ଜୁରାସିକ ଯୁଗର ଶେଷ ଭାଗରେ ଦେଖାଯାଇଥିଲା, ଏବଂ କ୍ରେଟାସିୟସ ଯୁଗର ଶେଷ ଭାଗରେ ଏହାର ଶୀର୍ଷରେ ପହଞ୍ଚିଥିଲା, ଯାହା ପରେ ଏହା ପ୍ରାୟ ୬୫.୫ ନିୟୁତ ବର୍ଷ ପୂର୍ବେ ବିଲୁପ୍ତ ହୋଇଯାଇଥିଲା। ଏହି ପ୍ରଜାତିକୁ “ଡାଇନୋସରର ରାଜା” ଭାବରେ ମଧ୍ୟ ଜଣାଶୁଣା। ଏହି ଅଧ୍ୟୟନ ପାଇଁ , ଗବେଷକମାନେ ୮୨ ପ୍ରକାରର ଥେରୋପଡରୁ ତଥ୍ୟ ବିଶ୍ଳେଷଣ କରିଥିଲେ। ଏମାନେ ଦୁଇ ଗୋଡ ବିଶିଷ୍ଟ, ମୁଖ୍ୟତଃ ମାଂସ ଖାଉଥିବା ଡାଇନୋସର ଥିଲେ।
ପ୍ରୋଜେକ୍ଟ ଲିଡର ଡକ୍ଟର ଜୁଆନ କାନାଲେ କହିଛନ୍ତି ଯେ ଶିକାର ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକ ମୁଖ୍ୟତଃ ସେମାନଙ୍କ ମୁଣ୍ଡ ସାହାଯ୍ୟରେ କରାଯାଉଥିଲା। ସେମାନଙ୍କ ହାତ ଅନ୍ୟାନ୍ୟ କାର୍ଯ୍ୟକଳାପ ପାଇଁ ବ୍ୟବହୃତ ହେଉଥାଇପାରେ। ସେମାନେ ହୁଏତ ପ୍ରଜନନ ଉଦ୍ଦେଶ୍ୟରେ ହାତ ବ୍ୟବହାର କରିଥାଇପାରନ୍ତି, ଯେପରିକି ମିଳନ ସମୟରେ ମାଈ ପ୍ରାଣୀଙ୍କୁ ଧରିବା, କିମ୍ବା ପଡ଼ିଯିବା ପରେ ଠିଆ ହେବା ପାଇଁ ନିଜକୁ ସମର୍ଥନ କରିବା।

